ବୃଦ୍ଧ ବାପାଙ୍କୁ ନିର୍ଯାତନା ! ବର୍ଷା ରାତିରେ ଶ୍ୱଶୂରଙ୍କୁ ଘରୁ ତଡ଼ିଦେଲା ନୃଶଂସ ବୋହୂ

କୋରେଇ – କୁହାଯାଏ ଝିଅଟିଏ ଦୁଇ କୁଳକୁ ହିତା। ଏପଟେ ସଂପର୍କ , ସେପଟେ ସଂସାର । ଗୋଟେ ପଟେ ଜନ୍ମ ଆଉ ଗୋଟେ ପଟେ କର୍ମ । ଏହି ତାର କପାଳ ଲିଖନ । ଯାହା ଚିର ସତ୍ୟ । ଶଙ୍ଖା ସିନ୍ଦୂରରେ ସେ ଲଭେ ପୂର୍ଣ୍ଣତା । ସାର୍ଥକ ହୁଏ ଝିଅ ଜନମ । ଶାଶୂ ଶ୍ୱଶୂର ତାର ଆଉ ଦୁଇ ଜଣ ବାପ ମାଆ । ବୋହୂ ପରିଚୟ ନେଇ ସେ ଶାଶୂ ଶ୍ୱଶୂରଙ୍କ ସେବା କରେ । କିନ୍ତୁ ସେହି ବୋହୂ ଯଦି ପାଲଟି ଯାଏ ନିଷ୍ଠୁର । ବାପା ରୂପି ଶ୍ୱଶୂରଙ୍କୁ ଯେବେ ଦିଏ ନିର୍ଯାତନା ….?? ସମ୍ପତ୍ତି ଲୋଭରେ ଜଣେ ବୋହୂ ଯେ ଏତେ ତଳକୁ ଯାଇ ପାରେ , ତାର ଉଦାହରଣ ଦେଖିବାକୁ ମିଳିଛି ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ । କେନ୍ଦୁଝର ଜିଲ୍ଲା ପୁଲି ଗଡ଼ିଆ ଗାଁର ପ୍ରତାପ ଜେନା (୭୯), ୩ ମାସ ହେଲା ସାନ ପୁଅ ବୋହୂଙ୍କ ପାଖରେ ରହୁଥିଲେ । କିନ୍ତୁ ଗତ ମଙ୍ଗଳବାର ବର୍ଷା ରାତିରେ ପ୍ରତାପଙ୍କୁ ଘରୁ ତଡ଼ିଦେଇଥିଲେ ବୋହୂ ।

 ସେପଟେ ବର୍ଷା ପବନର , ଆଉ ଏପଟେ ବୋହୂର ଉତ୍ପାତ ।  କଣ କରିବେ.. ଶେଷରେ ବର୍ଷାରେ ଓଦା ହୋଇ ଥରିଥରି ୫ କିଲୋମିଟର ଚାଲିଥିଲେ ଏହି ବୃଦ୍ଧ ଜଣଙ୍କ ।  ଯାଜପୁର ରଗଡ଼ି ଛକରେ ପହଞ୍ଚିଥିଲେ ।

କୋରେଇ ପୁଲିସ୍‌ ଏଏସ୍ଆଇଙ୍କ ସୂଚନା ମୁତାବକ ,ପ୍ରବଳ ବର୍ଷା ଯୋଗୁଁ ନିଜ ଗାଁକୁ ଫେରିପାରିନଥିଲେ ପ୍ରତାପ । ବଜାର ବନ୍ଦ ଥିବାରୁ ଏକ ଦୋକାନ ପିଣ୍ଢାରେ ଓଦା ବସ୍ତ୍ର ପିନ୍ଧି ଭୋକ ଉପାସରେ ସାରା ରାତି କଟେଇଥିଲେ। ସକାଳେ ସ୍ଥାନୀୟ ସ୍ୱେସ୍ଥାସେବୀ ବୃଦ୍ଧ ଜଣଙ୍କୁ ଉଦ୍ଧାର କରି ଖାଇବାକୁ ଦେଇ କୋରେଇ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ ।

ସାନ ପୁଅ  ଚେନ୍ନାଇରେ ରହି କାମ କରୁଥିବା ବେଳେ  ବୃଦ୍ଧ ବାପା ଜଣଙ୍କ ବୋହୂ ପାଖରେ ରହୁଥିଲେ ।  ସମ୍ପତ୍ତି ଲୋଭରେ ବୃଦ୍ଧ ବାପାଙ୍କୁ ବୋହୂ ଅବହେଳା କରିବା ସହ ଦୀର୍ଘ ଦିନ ଧରି ନିର୍ଯାତନା ଦେଉଥିବାର ପ୍ରତାପ ଅଭିଯୋଗ କରିଛନ୍ତି । କୋରେଇ ପୁଲିସ୍‌ ଘଟଣାର ତଦନ୍ତ କରୁଛନ୍ତି ।