OLXରେ ନକଲି ବିଜ୍ଞାପନ ଦେଇ ଠକେଇ: ଆଇଫୋନ୍‌ କିଣିବା ଆଶା ଦେଖାଇ ଠକେଇ ନେଲେ ୪୫ ହଜାର ଟଙ୍କା

କଟକ, ୧୬/୫: ଜିନିଷ କିଣାବିକା ୱେବ୍‌ସାଇଟ୍‌ ଓଏଲ୍‌ଏକ୍ସରେ ପୁଣି ଏକ ଠକେଇ ହୋଇଛି । ଜଣେ ଯୁବକ ଏକ ଆଇଫୋନ୍‌ କିଣିବା ଆଶାରେ ୪୫ ହଜାର ଟଙ୍କାର ଠକେଇରେ ପଡ଼ିଛନ୍ତି । ଏନେଇ ଦରଘାବଜାର ଥାନାରେ ଏତଲା ଦାୟର ହୋଇଛି । ପୁଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ କରୁଛି ।

ସନ୍ଦିପ କୁମାର ସିଂହ ନାମକ କଟକର ଜଣେ ଯୁବକ ବିଗ୍‌ବଜାରରେ କାମ କରନ୍ତି । ଗଲା ଦୁଇ ପସ୍ତାହ ତଳେ ସେ ‘ଓଏଲ୍‌ଏକ୍ସ’ରେ ଏକ ଆଇଫୋନ୍‌-୧୧ ମଡେଲ୍‌ର ଫୋନ୍‌ର ବିଜ୍ଞାପନ ଦେଖିଥିଲେ । ଏହା ପରେ ସେ ଫୋନ୍‌ର ବିକ୍ରେତାଙ୍କୁ ଅନ୍‌ଲାଇନ୍‌ରେ ଯୋଗାଯୋଗ କରିଥିଲେ । ଫୋନ୍‌ର ଦାମ୍‌ ୧୭ ହଜାର ଟଙ୍କାରେ ଛିଡ଼ିଥିଲା । ୧୭ ହଜାର ଟଙ୍କା ଦେଇ ଫୋନ୍‌ କିଣିବାକୁ ସନ୍ଦିପ ରାଜି ହୋଇଥିଲେ । ତେବେ ପ୍ରଥମେ ୧ ହଜାର ଟଙ୍କାର ଆଡ୍‌ଭାନ୍ସ ଦେଲେ ବିକ୍ରେତା ଜଣକ କୋରିଅର୍‌ ଯୋଗେ ଫୋନ୍‌ ପଠାଇବେ ବୋଲି କଥା ଛିଡ଼ିଲା । ଏହା ପରେ ସନ୍ଦିପ ୧ ହଜାର ଟଙ୍କା ଅନ୍‌ଲାଇନ୍‌ରେ ପଠାଇଲେ । ଏହାର କିଛି ଦିନ ପରେ ସେ କୋରିଅର୍‌ରେ ଫୋନ୍‌ ପାଇବା ପାଇଁ ଅପେକ୍ଷା କଲେ । ହେଲେ ଫୋନ୍‌ ଆସିଲାନି ।

ତେଣୁ ଯୋଗାଯୋଗ କରିବାରୁ ତାଙ୍କୁ ଆଉ ୫ ହଜାର ଓ ପରେ ବାକି ୧୧ ହଜାର ଡିପୋଜିଟ୍‌ କରିବାକୁ କୁହାଗଲା । ଏହା ଶୁଣି ସନ୍ଦିପ ଅନ୍‌ଲାଇନ୍‌ରେ ମୋଟ୍‌ ୧୭ ହଜାର ପଠାଇଲେ । କିଛି ଦିନ ପରେ ଏକ ଫୋନ୍‌ରୁ କଲ୍‌ ଆସିଲା । ଫୋନ୍‌ କରିଥିବା ବ୍ୟକ୍ତି କୋରିଅର୍‌ ସଂସ୍ଥାର ବୋଲି କହିଲେ । ତେବେ ଫୋନ୍‌ ଦର ଅଧିକ ପଡ଼ିବ, ଯଦି ଆଉ ୨୮ ହଜାର ଟଙ୍କା ଦେବ ତାହାଲେ ଆଇଫୋନ୍‌-୧୧ ମିଳିବ ବୋଲି କୋରିଅର ବୟ କହିଲା । ଏହା ଶୁଣି ସନ୍ଦିପଙ୍କ ହୋସ୍‌ ଉଡ଼ିଗଲା । ପୂର୍ବରୁ ଦେଇଥିବା ୧୭ ହଜାର ବୁଡ଼ିବା ଭୟରେ ସେ ପୁଣି ୨୮ ହଜାର ଟଙ୍କା ଅନ୍‌ଲାଇନ୍‌ରେ ପୈଠ କଲେ ।

ବାସ୍‌ ଏହା ପରେ ଫୋନ୍‌ ଆସିଥିବା ନମ୍ବର ଦୁଇଟି ବନ୍ଦ ହୋଇଗଲା । ଓଏଲ୍‌ଏକ୍ସରେ ଥିବା ବିଜ୍ଞାପନ ମଧ୍ୟ ଉଡ଼ିଗଲା । ଏହା ଦେଖିବା ପରେ ସନ୍ଦିପ ଏକ ବଡ଼ ଠକେଇର ଶିକାର ହୋଇଥିବା ଜାଣି ପାରିଲେ । ତେଣୁ ସେ ଦରଘାବଜାର ଥାନାକୁ ଆସି ଏନେଇ ଏତଲା ଦାୟର କରିଥିଲେ । ପୁଲିସ ଅଭିଯୋଗ ପାଇ ଆଇପିସିର ଧାରା ୪୨୦ ଓ ୩୪ ସହିତ ଆଇଟି ଆକ୍ଟର ଧାରା ୬୬-ସି ଏବଂ ୬୬-ଡିରେ ମାମଲା( ୬୦/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ ବ୍ୟାଙ୍କ୍‌ରୁ ସମସ୍ତ ତଥ୍ୟ ମଗାଇ ପୁଲିସ ତାର ତଦନ୍ତ କରୁଛି । ତେବେ ଓଏଲ୍‌ଏକ୍ସ ଭଳି ପ୍ରତିଷ୍ଠିତ ୱେବ୍‌ସାଇଟ୍‌ରେ ଏଭଳି ନକଲି ବିଜ୍ଞାପନ ଦେଇ ଠକେଇ କରିବା ଘଟଣା ଚିନ୍ତାଜନକ ବୋଲି ପୁଲିସ କହିଛି । ଏଭଳି ବିଜ୍ଞାପନଠାରୁ ଦୂରେଇ ରହିବା ଦରକାର ବୋଲି ଦରଘାବଜାର ଥାନା ଅଧିକାରୀ ପ୍ରଦୀପ୍ତ ଜେନା ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଭିଜିଲାନ୍ସ ଜାଲରେ ମେଡିକାଲ କର୍ମଚାରୀ, ଲାଞ୍ଚ ନେଇ ଧରା ପଡ଼ିଲେ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

ରାଇରଙ୍ଗପୁରରୁ ବାଘ ଛାଲ ଜବତ, ୫ ଗିରଫ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ଟ୍ରକ ଚୋରି କରି ଜେଲ୍ ‌ଯାଇଥିଲା , ଜାମିନ୍‌ରେ ଆସି ପୁଣି ଥାନା ପରିସରରୁ ସେହି ଟ୍ରକକୁ ଚୋରି କଲା ଚୋର

ନୟାଗଡ଼ରେ ନକଲି ନୋଟ୍‌ ଦେଇ କିଣୁଥିଲା ଗାଡ଼ି, ଧରା ପଡ଼ିଗଲା ଅଭିଯୁକ୍ତ