ଭୁବନେଶ୍ୱରରେ ଅଲିମ୍ପିକ୍ସ ଯୋଗ୍ୟତା ହକି: ନଭେମ୍ବର ୧, ୨ରେ ଖେଳିବେ ଭାରତ-ରୁଷିଆ , ଭାରତ-ୟୁଏସ୍‌ଏ

ଭୁବନେଶ୍ୱର ୧୦/୯ : ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ହକିର ଯୋଗ୍ୟତା ପର୍ଯ୍ୟାୟ ପ୍ଲେ ଅଫ୍‌ର ଡ୍ର’ ଚୂଡ଼ାନ୍ତ ହୋଇଛି । ଆଜି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପକ୍ଷରୁ ଏହି ଡ୍ର’ ଘୋଷଣା କରାଯାଇଛି । ଏଥିପାଇଁ ସ୍ୱିଜରଲାଣ୍ଡର ଲାଉସେନରେ ଏଫ୍‌ଆଇଏଚ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ନିଷ୍ପତ୍ତିକ୍ରମେ ଉଭୟ ପୁରୁଷ ଓ ମହିଳା ଦଳର ଡ୍ର’ ଚୂଡ଼ାନ୍ତ ହୋଇଥିଲା । ଭାରତୀୟ ଦଳ ପୁରୁଷରେ ରୁଷିଆକୁ ଓ ମହିଳାରେ ୟୁଏସଏକୁ ଭେଟିବ ।
ଭୁବନେଶ୍ୱରକୁ ଘରୋଇ ଭେନ୍ୟୁ ଭାବେ ନେଇ ଭାରତ ସବୁ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳିବ ।

ନଭେମ୍ବର ୧ ଓ ୨ ତାରିଖରେ ଏହି ମ୍ୟାଚ୍‌ ଖେଳାଯିବ । ସମାନ ତାରିଖରେ ପୁରୁଷ ଓ ମହିଳା ଦଳ ଦୁଇଟି ଲେଖାଏଁ ମ୍ୟାଚ୍‌ ରୁଷିଆ ଓ ୟୁଏସଏ ସହ ଖେଳିବେ । ଡ୍ର’ରେ କେବଳ ବିଶ୍ୱ ମାନ୍ୟତା ଅନୁସାରେ ଶ୍ରେଷ୍ଠ ୭ଟି ଦଳକୁ ମ୍ୟାଚ୍‌ ଆୟୋଜନ ଅଧିକାର ମିଳିଛି । ଭାରତ ଏଫ୍‌ଆଇଏଚ୍‌ ମାନ୍ୟତା ତାଲିକାର ପଞ୍ଚମ ସ୍ଥାନରେ ରହିଥିବାରୁ ଆୟୋଜନ ଅଧିକାର ପାଇଛି ।

ପୁରୁଷ ଓ ମହିଳାର ପ୍ରତ୍ୟେକ ଡ୍ର’ରେ ୧୪ଟି ଲେଖାଏଁ ଦଳ ସାମିଲ ହୋଇଛନ୍ତି । ସେମାନଙ୍କୁ ୭ଟି ଲେଖାଏଁ ଡ୍ର’ରେ ଭାଗ କରାଯାଇଛି । ପୁରୁଷରେ ନେଦରଲାଣ୍ଡସ-ପାକିସ୍ତାନ, ଭାରତ-ରୁଷିଆ, ଜର୍ମାନୀ-ଅଷ୍ଟ୍ରିଆ, ବ୍ରିଟେନ-ମାଲେସିଆ, ସ୍ପେନ-ଫ୍ରାନ୍ସ, ନ୍ୟୁଜିଲାଣ୍ଡ-ଦକ୍ଷିଣ କୋରିଆ ଏବଂ କାନାଡ଼ା ଓ ଆୟର୍ଲାଣ୍ଡ । ସେମିତି ମହିଳାରେ ଅଷ୍ଟ୍ରେଲିଆ-ରୁଷିଆ, ଜର୍ମାନୀ-ଇଟାଲୀ, ବ୍ରିଟେନ-ଚିଲି, ସ୍ପେନ-ଦକ୍ଷିଣ କୋରିଆ, ଆୟର୍ଲାଣ୍ଡ-କାନାଡ଼ା, ଭାରତ-ୟୁଏସ୍‌ଏ ଏବଂ ଚୀନ-ବେଲଜିୟମ ।

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଭାରତ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରି ପାରିଥାନ୍ତା । ମାତ୍ର ଉଭୟ ପୁରୁଷ ଓ ମହିଳା ବର୍ଗରେ ବିଫଳ ହେବାରୁ ଭାରତ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଖେଳିବାକୁ ବାଧ୍ୟ ହୋଇଥିଲା । ଗତ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ଭାରତ (ପୁରୁଷ ଓ ମହିଳା) ଚାମ୍ପିଅନ ହୋଇ ଯୋଗ୍ୟତା ପର୍ଯ୍ୟାୟକୁ ଉନ୍ନୀତ ହୋଇ ଅଲିମ୍ପିକ୍ସ ଟିକେଟ୍‌ ହାସଲ ପଥ ସୁଗମ କରିଥିଲା । ଏବେ ଡ୍ର’ରେ ଦୁଇ ଦୁର୍ବଳ ଦଳକୁ ଭାରତ ଭେଟିବ । ଦୁଇ ଦଳକୁ ଅଧିକ ଗୋଲ୍‌ ବ୍ୟବଧାନରେ ପ୍ରତ୍ୟେକ ମ୍ୟାଚ୍‌ ଜିତିବାକୁ ହେବ । ସେହି ଅନୁସାରେ କ୍ରମ ପ୍ରସ୍ତୁତ ହେବ ।

ପୁରୁଷ ବର୍ଗରେ ପାକିସ୍ତାନ ସହ ଭାରତର ପ୍ଲେ ଅଫ୍‌ ଡ୍ର’ ପଡ଼ିବ ବୋଲି ଆଲୋଚନା ଜୋର ଧରିଥିଲା । ଏଫ୍‌ଆଇଏଚ୍‌ ମାନ୍ୟତା ତାଲିକା ଅନୁସାରେ ଡ୍ର’ ଚୂଡ଼ାନ୍ତ ହୋଇଥିଲା । ତେଣୁ ପାକିସ୍ତାନର ଡ୍ର’ ଭାରତ ସହ ନ ହୋଇ ନେଦରଲାଣ୍ଡସ ସହ ହୋଇଛି । ଯଦି ଭାରତ ଓ ପାକିସ୍ତାନ ଗୋଟିଏ ଡ୍ର’ରେ ରହିଥାନ୍ତେ, ତେବେ ମ୍ୟାଚ୍‌ ଆୟୋଜନ ଅସମ୍ଭବ ହୋଇଥାନ୍ତା । କାରଣ ଦୁଇ ଦେଶ ମଧ୍ୟରେ ଏବେ ଯେଉଁଭଳି ଉତ୍ତେଜନାମୟ ସ୍ଥିତି ଲାଗି ରହିଛି, ମ୍ୟାଚ୍‌ ଆୟୋଜନକୁ କୌଣସି ସରକାର ସ୍ୱୀକୃତି ପ୍ରଦାନ କରି ନଥାନ୍ତେ । ନିକଟରେ ଏହି କାରଣରୁ ଭାରତ ଓ ପାକିସ୍ତାନ ଡେଭିସ୍‌ କପ୍‌ ମ୍ୟାଚ୍‌କୁ ମଧ୍ୟ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

୧୨ ଦଳ ଖେଳିବେ ଅଲିମ୍ପିକ୍ସ
ଟୋକିଓ ଅଲିମ୍ପିକ୍ସ ପାଇଁ ୧୨ଟି ହକି ଦଳ (ପୁରୁଷରେ ୧୨ ଓ ମହିଳାରେ ୧୨) ଯୋଗ୍ୟତା ହାସଲ କରିବେ । ଏଫ୍‌ଆଇଏଚ୍‌ (ଅନ୍ତର୍ଜାତୀୟ ହକି ମହାସଂଘ) ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରୀଡ଼ାସୂଚୀରେ ହକି ପ୍ରୋ ଲିଗ୍‌ ସାମିଲ କରିଛି । ତେଣୁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଏହି ଲିଗ୍‌ରୁ ଦଳ ସାମିଲ ହେବେ । ଯେଉଁ ୧୨ଟି ଦଳ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବେ, ସେମାନଙ୍କ ମଧ୍ୟରୁ ଆୟୋଜକ ଦଳ ପାଇଁ ଗୋଟିଏ ସ୍ଥାନ ସଂରକ୍ଷିତ ରହିଛି । ୫ଟି ମହାଦେଶୀୟ ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ଦଳ ସିଧାସଳଖ ଯୋଗ୍ୟତା ହାସଲ କରିବେ । ସେହିପରି ଅନ୍ୟ ୬ଟି ଦଳ ଯୋଗ୍ୟତା ପର୍ଯ୍ୟାୟରୁ ଉନ୍ନୀତ ହେବେ ।

୨୦୨୦ ଅଲିମ୍ପିକ୍ସ ପାଇଁ ଯେଉଁ ଯୋଗ୍ୟତା ପର୍ଯ୍ୟାୟ ଫର୍ମାଟ୍‌ ପ୍ରସ୍ତୁତ କରାଯାଇଛି, ତାହା ଏପରି- ହକି ପ୍ରୋ ଲିଗରୁ ଶ୍ରେଷ୍ଠ ୪ ଦଳ, ହକି ସିରିଜ୍‌ ଫାଇନାଲ୍ସରୁ ୬ ଏବଂ ଏଫ୍‌ଆଇଏଚ୍‌ର ଶ୍ରେଷ୍ଠ ୪ ମାନ୍ୟତା ପ୍ରାପ୍ତ ଦଳ (ଯେଉଁମାନେ ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଯୋଗ୍ୟତା ହାସଲ କରି ନଥିବେ)କୁ ନେଇ ୭ଟି ଡ୍ର’ ହୋଇଛି । ପ୍ରତି ଡ୍ର’ରେ ୨ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି । ସେମାନେ ପରସ୍ପର ମଧ୍ୟରେ ୨ଟି ମ୍ୟାଚ୍‌ (ଲେଗ୍‌ ଆଧାରରେ) ଖେଳିବେ । ଉଭୟ ମ୍ୟାଚ୍‌ର ସର୍ବାଧିକ ଗୋଲ୍‌ ସ୍କୋରର୍‌ ଯୋଗ୍ୟତା ଅର୍ଜନ କରିବେ । ଗୋଲ୍‌ ସମାନ ରହିଲେ ସୁଟ ଆଉଟ୍‌ର ସହାୟତା ନିଆଯିବ । ଏହି ଆଧାରରେ ଶ୍ରେଷ୍ଠ ୭ଟି ଦଳ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବେ ।

ଏସୀୟ କ୍ରୀଡ଼ା (ମହାଦେଶୀୟ ଟୁର୍ଣ୍ଣାମେଣ୍ଟ)ରେ ସ୍ୱର୍ଣ୍ଣ ଜିତି ଜାପାନ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛି । ଦଳର ଆୟୋଜକ ଭାବେ ଯେଉଁ ଗୋଟିଏ ସ୍ଥାନ ସଂରକ୍ଷିତ ଥିଲା ତାହା ଯୋଗ୍ୟତା ପର୍ଯ୍ୟାୟରେ ସାମିଲ ହୋଇଛି । ତେଣୁ ଯୋଗ୍ୟତା ପର୍ଯ୍ୟାୟରୁ ୬ ଦଳ ପରିବର୍ତ୍ତେ ୭ଟି ଦଳ ଅଲିମ୍ପିକ୍ସ ଟିକେଟ୍‌ ପାଇବେ । ଫଳରେ ଶେଷ ୭ଟି ସ୍ଥାନ ପାଇଁ ୧୪ଟି ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।

   ସମ୍ବନ୍ଧିତ ଖବର


ଆଜି କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ ଓ ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର

IPL-2020: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର

ଇତିହାସ ରଚିଲେ ଅଟୋ ଚାଳକଙ୍କ ପୁଅ, ନିଜ ନାମରେ କଲେ ନୂଆ ରେକର୍ଡ

କପିଲ ଦେବଙ୍କୁ ହାର୍ଟ ଆଟାକ୍, ଦିଲ୍ଲୀର ଏକ ହସ୍ପିଟାଲରେ ହେଲେ ଭର୍ତ୍ତି

ନଭେମ୍ବର ୨୦ରୁ ଆରମ୍ଭ ହେବ ଆଇଏସ୍‌ଏଲ୍‌, ଏଥର ସିଜନରେ ୧୧ ଟିମ୍ ଖେଳିବେ

IPL-2020: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ କଡ଼ା ମୁକାବିଲା