ବୋଝ ଉପରେ ନଳିତା ବିଡା ! ଓମିକ୍ରନ ପରେ ଭାରତରେ ପ୍ରବେଶ କଲାଣି ଓମିକ୍ରନ୍ର ସବ-ଭାରିଆଣ୍ଟ BA.2, ୪୦୦ ଦେଶରେ ଖେଳାଇ ସାରିଲାଣି ଆତଙ୍କ…

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ କରୋନା, ଓମିକ୍ରନ୍ ର ନୂତନ ଭାରିଆଣ୍ଟ ମଧ୍ୟ ହଇଚଇ ସୃଷ୍ଟି କରିଛି । ଏହି ସମୟରେ, ଓମିକ୍ରନ୍ ସବ-ଭାରିଆଣ୍ଟ BA.2 ଚିହ୍ନଟ ହୋଇଛି, ଯାହା ପୁଣି ଥରେ ଲୋକଙ୍କ ଚିନ୍ତା ବଢାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସବ-ଭାରିଆଣ୍ଟର ୫୩୦ ନମୁନା ଭାରତରେ ମିଳିଛି ।
ଓମିକ୍ରନ୍ ସବ୍-ଭାରିଆଣ୍ଟ ବ୍ରିଟେନରେ ଏକ ଆତଙ୍କ ସୃଷ୍ଟି କରିଛି । କିନ୍ତୁ ବର୍ତ୍ତମାନ ଏହା ଭାରତରେ ମଧ୍ୟ ପ୍ରବେଶ କରିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଓମିକ୍ରନ୍ ଅପେକ୍ଷା BA.2 ଭାରିଆଣ୍ଟ ଶୀଘ୍ର ବିସ୍ତାର ହୋଇଥାଏ । ବ୍ରିଟିଶ ସ୍ୱାସ୍ଥ୍ୟ ବିଭାଗ ଓମିକ୍ରନର ଏହି ସବ-ଭାରିଆଣ୍ଟ ସହିତ ଜଡିତ ଶହ ଶହ ମାମଲା ଚିହ୍ନଟ କରିଛି। ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (UKHSA) ଏହାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଅନୁସନ୍ଧାନ ପରେ ଏହାର ନାମ BA.2 ରଖିଛି ।
ସୂଚନା ଅନୁଯାୟୀ, ଜାନୁଆରୀ ମାସର ପ୍ରଥମ ୧୦ ଦିନରେ, ବ୍ରିଟେନରେ ୪୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଏକ ଅନଲାଇନ୍ ନ୍ୟୁଜ୍ ମିଡିଆ ରିପୋର୍ଟ ଅନୁଯାୟୀ, ଭାରତରେ ଓମିକ୍ରନ୍ ସବ୍-ଭାରିଆଣ୍ଟର ୫୩୦ ନମୁନା, ସ୍ୱିଡେନରେ ୧୮୧ ଏବଂ ସିଙ୍ଗାପୁରରେ ୧୨୭ଟି ନମୁନା ମିଳିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଓମିକ୍ରନ୍ ଭାରିଆଣ୍ଟକୁ ‘ଭାରିଏଣ୍ଟସ୍ ଅଫ୍ କନ୍ସର୍ନ’ ଭାବରେ ବର୍ଣ୍ଣନା କରିଛି । ଏହାର ସବ-ଭାରିଆଣ୍ଟ BA.2 ମଧ୍ୟ ସମାନ ବୋଲି ବିଶ୍ୱାସ କରାଯାଉଛି । ଏହି ଦୁଇଟି ମଧ୍ୟରେ କୌଣସି ବିଶେଷ ପାର୍ଥକ୍ୟ ନାହିଁ । ଭବିଷ୍ୟତରେ ଏହା ମହାମାରୀର ବିସ୍ତାର ଉପରେ କିପରି ପ୍ରଭାବ ପକାଇପାରେ ତାହା ସ୍ଥିର କରିବାକୁ ବୈଜ୍ଞାନିକମାନେ ଏଥିପ୍ରତି ନଜର ରଖିଛନ୍ତି । ଖବର ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪୦ ଟି ଦେଶରେ ଓମିକ୍ରନ୍ ର ନୂତନ ସବ୍-ଭାରିଆଣ୍ଟ ଚିହ୍ନଟ ହୋଇଛି । ଡେନମାର୍କରେ ସର୍ବାଧିକ ସଂଖ୍ୟକ BA.2 ମାମଲା ରିପୋର୍ଟ ହୋଇଛି ।