PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ବିଜୁ ଜୟନ୍ତୀରେ ନବୀନଙ୍କ ରଣହୁଙ୍କାର: ଓଡ଼ିଶା ପାଇଁ ଲଢ଼ୁଛୁ, ଲଢ଼ିବୁ

ଭୁବନେଶ୍ୱର,୫ା୩(ବ୍ୟୁରୋ): ବିଜୁ ଜୟନ୍ତୀରେ ନବୀନଙ୍କ ରଣହୁଙ୍କାର । ସଂକ୍ଷିପ୍ତ ବକ୍ତବ୍ୟରେ ସିଧା କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ମହାନଦୀ, ସ୍ୱତନ୍ତ୍ର ପାହ୍ୟା, କେବିକେ ବିକାଶଠୁ ନେଇ ଖଣି ରୟାଲଟି ଯାଏଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ନବୀନ । ଆଉ କହିଛନ୍ତି, କେନ୍ଦ୍ର ସରକାର ସବୁଥିରେ ଓଡ଼ିଶା ପ୍ରତି ଅବହେଳା କରୁଛି । କିନ୍ତୁ, ବିଜୁ ବାବୁଙ୍କ ଆଦର୍ଶରେ ଗଠିତ ବିଜୁ ଜନତା ଦଳ ଓଡ଼ିଶାର ହକ୍‌ ପାଇଁ ଲଢ଼େଇ କରୁଛି । ଆଉ ଏ ଲଢ଼େଇ ଆଗକୁ ବି ଜାରି ରହିବ ।
ଆଜି ଥିଲା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ । ସନ୍ଧ୍ୟାରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ ହୋଇଥିଲା । ମୁଣ୍ଡ ଉପରେ ଭୋଟ୍‌ ଥିବାରୁ ବାତାବରଣରେ ରାଜନୈତିକ ଉଷ୍ମତା ବାରି ହୋଇପଡ଼ୁଥିଲେ । ‘ନବୀନ ନବୀନ… ଗୀତରେ କମ୍ପୁଥିଲା ପରିବେଶ । ପୂରା ଜୋଶ୍‌ରେ ଥିଲେ ନେତା ଓ କର୍ମକର୍ତ୍ତା ।
ନବୀନ ପହଞ୍ଚିବା ପରେ କର୍ମକର୍ତ୍ତାଙ୍କ ଉତ୍ସାହ ଆହୁରି ବଢ଼ି ଯାଇଥିଲା । ବିଜୁ ବାବୁ ଅମର ରହେ… ନବୀନ ପଟ୍ଟନାୟକ ଜିନ୍ଦାବାଦ୍‌… ନାରା କମ୍ପିଥିଲା । ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ନବୀନ କହିଲେ, ବିଜୁ ବାବୁ ଥିଲେ ଜଣେ ବୀର ଯୋଦ୍ଧା । ଓଡ଼ିଶା ପାଇଁ ସେ ଅନେକ କାମ କରି ଯାଇଛନ୍ତି । ରାଜ୍ୟର ହକ୍‌ ପାଇଁ ସାରା ଜୀବନ ଲଢ଼େଇ କରିଥିଲେ । ଓଡ଼ିଶାକୁ ସେ ବହୁତ ଭଲ ପାଉଥିଲେ । ଜୀବନ ସାରା ଓଡ଼ିଶା ପାଇଁ କାମ କରିଥିଲେ ।
ଏହି ଅବସରରେ ଓଡ଼ିଶା ପ୍ରତି ବିଜୁ ବାବୁଙ୍କ ଅବଦାନକୁ ମନେ ପକାଇଥିଲେ ନବୀନ । କହିଲେ, ପାରାଦୀପ ବନ୍ଦର ପ୍ରତିଷ୍ଠା ହେଉ କି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ବା କୃଷି ବିଶ୍ୱବିଦ୍ୟାଳୟ, ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ପ୍ରଭାବ ପକାଇ ଓଡ଼ିଶାର ହକ୍‌ ହାସଲରେ ବିଜୁ ବାବୁ ଥିଲେ ସବୁଠୁ ଆଗୁଆ । କ୍ଷମତାରେ ଥାନ୍ତୁ କି ନ ଥାନ୍ତୁ, ଓଡ଼ିଶାର ସ୍ୱାର୍ଥ ପାଇଁ ସେ ସବୁବେଳେ ଲଢ଼େଇ ଜାରି ରଖିଥିଲେ । ନବେ ଦଶକରେ କେନ୍ଦ୍ର ସରକାରଙ୍କ ଅସହଯୋଗ ଯୋଗୁ ବିଜୁ ବାବୁ ସେତେବେଳେ କହିଥିଲେ, ଓଡ଼ିଶାକୁ ଆର୍ଥିକ ସ୍ୱାୟତ୍ତତା ଦିଅ, ସେ କେନ୍ଦ୍ରଠାରୁ ଟଙ୍କାଟିଏ ବି ସାହାଯ୍ୟ ଚାହିଁବେ ନାହିଁ ।
ନବୀନ ଆହୁରି କହିଲେ, ବିଜୁ ବାବୁଙ୍କ ଆଦର୍ଶରେ ଗଠିତ ବିଜେଡି ଗତ ୨୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ହକ୍‌ ପାଇଁ ଲଢ଼ୁଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ, ଖଣି ରାଜସ୍ୱ ପ୍ରସଙ୍ଗ ହେଉ କିମ୍ବା କେବିକେ ଅଞ୍ଚଳର ବିକାଶ ପ୍ରସଙ୍ଗ, ସବୁକ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରି ଆସୁଛନ୍ତି । ବିଜେଡି ଏଥିପାଇଁ ଲଢ଼େଇ କରୁଛି ଓ କରି ଚାଲିବ । ଓଡ଼ିଶାବାସୀଙ୍କ ଆଶୀର୍ବାଦ ଆମ ସହିତ ରହିଛି ବୋଲି ନବୀନ କହିଥିଲେ ।
ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଏହି ସଭା କାର୍ଯ୍ୟ ପରିଚାଳନା କରିଥିଲେ । ନବୀନଙ୍କ ବ୍ୟତୀତ କୌଣସି ବଡ଼ ନେତା ଭାଷଣ ରଖିନଥିଲେ । ହେଲେ ସଭା ଆରମ୍ଭରୁ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ସୁଯୋଗ ମିଳିଥିଲା ପଦିଏ ଲେଖାଏଁ କହିବା ପାଇଁ । ସଭିଙ୍କ ଭାଷଣ ଥିଲା ଜୋଶ୍‌ ଭରିଲା ଭଳି । ସବୁ କହୁଥିଲେ, ଏଥର ଭୋଟ୍‌ରେ ସବୁ ରେକର୍ଡ ଭାଙ୍ଗିବା । ପୁଣି ଥରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା । ଏଥିପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଉଥିଲେ ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମହିଳା ବିଜେଡି ସଭାନେତ୍ରୀ ମୀନତି ବେହେରା, ଯୁବ ସଭାପତି ଅମରେଶ ପତ୍ରୀ, ଛାତ୍ର ସଂଗଠନ ସଭାପତି ରାଣାପ୍ରତାପ ପାତ୍ର, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର