ପ୍ରେମରେ ପଡ଼ିଥିଲେ ରତନ୍‌ ଟାଟା: ପ୍ରେମିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ, ସବୁ ବିଗାଡ଼ିଦେଲା ଭାରତ-ଚୀନ୍‌ ଯୁଦ୍ଧ

ନୂଆଦିଲ୍ଲୀ,୧୩ା୨(ଏଜେନ୍ସି): ଟାଟା ଟ୍ରଷ୍ଟ୍‌ସ ଅଧ୍ୟକ୍ଷ ରତନ୍‌ ଟାଟା । ଭାରତର ଜଣେ ପ୍ରତିଷ୍ଠିତ ତଥା ଖ୍ୟାତିସମ୍ପନ୍ନ ଶିଳ୍ପପତି । ଜୀବନରେ ପୁଳାପୁଳା ସଫଳତା ସାଉଁଟି ଶିଳ୍ପ ଜଗତରେ ସୁନାମ ଅର୍ଜନ କରିଛନ୍ତି । ଅନେକଙ୍କ ପାଇଁ ଉଦାହରଣ ସାଜି ଉଦ୍ୟୋଗୀ ହେବାର ବାଟ ଦେଖାଇଛନ୍ତି । କିନ୍ତୁ ଏହି ଶିଳ୍ପ ସମ୍ରାଟ ପ୍ରେମରେ ବିଫଳତାର କଟୁ ସ୍ୱାଦ ଚାଖିଛନ୍ତି । ଯାହାଙ୍କୁ ସେ ମନପ୍ରାଣ ଦେଇ ପ୍ରେମ କରୁଥିଲେ, ତାଙ୍କୁ ବିବାହ କରିପାରି ନଥିଲେ । ହୁଏତ ସାରା ଜୀବନ ବିବାହ ନ କରିବା ପଛରେ ଏହା ଏକ ବଡ଼ କାରଣ ହୋଇଥାଇପାରେ!

ଏକ ସାକ୍ଷାତକାରରେ ୮୨ ବର୍ଷୀୟ ରତନ୍‌ ଟାଟା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କିଛି ବଖାଣିଛନ୍ତି । ଏହି ସମୟରେ କିଛି ପୁରୁଣା ସ୍ମୃତି ମନେ ପକାଇଛନ୍ତି । ଅନ୍ୟମାନଙ୍କ ଭଳି ସେ ବି ଥରେ ପ୍ରେମରେ ପଡ଼ିଥିଲେ । ଆମେରିକାର ଲସ୍‌ ଆଞ୍ଜେଲ୍‌ସସ୍ଥିତ ଏକ କମ୍ପାନିରେ ଚାକିରି କରୁଥିବା ବେଳେ ସେ ଜଣକୁ ଭଲପାଇ ବସିଥିଲେ । ସେତେବେଳେ ଜୀବନକୁ ସେ ଉପଭୋଗ କରୁଥିଲେ । ନିଜର କାର ଥିଲା ଏବଂ ପ୍ରେମିକା ବି । ପ୍ରେମିକାକୁ ମନେମନେ ବାହା ବି ହୋଇସାରିଥିଲେ ସେ ।

କିନ୍ତୁ ପ୍ରେମିକାକୁ ଜୀବନସାଥୀ କରିବା ଅଳ୍ପ କେତେକଙ୍କ ଭାଗ୍ୟରେ ଜୁଟିଥାଏ । ତାହା ଟାଟାଙ୍କ ଭାଗ୍ୟରେ ନଥିଲା । ସେ ଚାହୁଁଥିଲେ, ପ୍ରେମିକା ତାଙ୍କୁ ବାହାହୋଇ ଭାରତ ଆସନ୍ତୁ ଏବଂ ଏହିଠାରେ ସଂସାର କରନ୍ତୁ । ଜେଜେମା’ଙ୍କ ଭଲପାଇବା ଓ ଉତ୍ସର୍ଗର ମୂଲ୍ୟ ଦେବାକୁ ଟାଟା ଭାରତରେ ରହିବାକୁ ଚାହୁଁଥିଲେ । ତେଣୁ ପ୍ରେମିକାଠାରୁ ଦୂରେଇ ଚାଲିଆସିଥିଲେ । ପ୍ରେମିକା ବି ତାଙ୍କୁ ସେତିକି ଭଲ ପାଉଥିଲେ । ହେଲେ ୧୯୬୨ର ଭାରତ-ଚୀନ୍‌ ଯୁଦ୍ଧ ସବୁ ବିଗାଡ଼ିଦେଲା । ଯୁଦ୍ଧ ଯୋଗୁ ପ୍ରେମିକାଙ୍କ ପିତା ବିବାହ ପାଇଁ ସମ୍ମତି ପ୍ରକାଶ କରିନଥିଲେ । ଫଳରେ ସବୁଦିନ ପାଇଁ ପ୍ରେମିକାଠାରୁ ଅଲଗା ହୋଇଯାଇଥିଲେ ଟାଟା ।

‘ହ୍ୟୁମାନ୍ସ ଅଫ୍‌ ବମ୍ବେ’କୁ ଦେଇଥିବା ସାକ୍ଷାତକାରରେ ଟାଟା କହିଛନ୍ତି, ତାଙ୍କ ପିଲାଦିନ ବେଶ୍‌ ସୁଖକର ଥିଲା । କିନ୍ତୁ ପିତାମାତାଙ୍କ ବିବାହ ବିଚ୍ଛେଦ ଜୀବନରେ ଝଡ଼ ଆଣିଥିଲା । ମାଆ ପୁନର୍ବିବାହ କରିବା ପରେ ସ୍କୁଲରେ ତାଙ୍କୁ ପିଲାମାନେ ଟାହିଟାପରା କରିଥିଲେ । କିନ୍ତୁ ପରିସ୍ଥିତିର ସାମ୍ନା କରିବା ପାଇଁ ସବୁବେଳେ ଧୀର ଓ ନମ୍ର ରହିବାକୁ ଜେଜେମା’ ନବାଜବାଈ ଶିଖାଇଥିଲେ । ଟାଟା ଓ ତାଙ୍କ ବଡ଼ଭାଇଙ୍କ ଯତ୍ନ ନେବା ସହ ସେମାନଙ୍କୁ ଶିକ୍ଷାଦୀକ୍ଷା ଦେଇଥିଲେ ଜେଜେମାଆ । କୌଣସି ପରିସ୍ଥିତିରେ ମର୍ଯ୍ୟାଦା ନ ହରାଇବାର ଶିକ୍ଷା ସେ ତାଙ୍କ ଜେଜେମା’ଙ୍କଠାରୁ ପାଇଥିଲେ । ଆଜି ବି ସେ ନିଜ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିପାରିଛନ୍ତି ।

ଟାଟା କହିଛନ୍ତି, ସେ ପିଲାଦିନେ ଭାୟୋଲିନ୍‌ ଶିଖିବାକୁ ଚାହୁଁଥିଲେ କିନ୍ତୁ ପିତା ଚାହୁଁଥିଲେ ସେ ପିଆନୋ ଶିଖନ୍ତୁ । ସେ ଆମେରିକାରେ ପଢ଼ିବାକୁ ଚାହୁଁଥିଲା ବେଳେ ପିତା ତାଙ୍କୁ ବ୍ରିଟେନରେ ପଢ଼ାଇବାକୁ ଚାହୁଁଥିଲେ । ସେ ସ୍ଥପତି ହେବାକୁ ଇଚ୍ଛା ରଖିଥିଲେ । କିନ୍ତୁ ସେ ଇଞ୍ଜିନିୟର ହୁଅନ୍ତୁ ବୋଲି ତାଙ୍କ ପିତା ବାଧ୍ୟ କରୁଥିଲେ । କିନ୍ତୁ ଜେଜେମା’ଙ୍କ ଯୋଗୁ ସେ ଆମେରିକାର ନ୍ୟୁୟର୍କସ୍ଥିତ କର୍ଣ୍ଣେଲ ୟୁନିଭର୍ସିଟିରୁ ସ୍ଥାପତ୍ୟ (ଆର୍କିଟେକ୍‌ଚର)ରେ ଡିଗ୍ରୀ ଶେଷ କରିଥିଲେ ।

   ସମ୍ବନ୍ଧିତ ଖବର


ସାମ୍ଭବ୍ୟ କରୋନା ଟୀକା ‘INO-4800’ DNA vaccineର ମାନବୀୟ ପରୀକ୍ଷଣ ଆରମ୍ଭ

ରାୟ ସପକ୍ଷରେ ନଆସିବାରୁ ବିଚାରପତିଙ୍କୁ ଓକିଲଙ୍କ ଅଭିଶାପ: ‘ତୁମକୁ କରୋନା ହୋଇଯାଉ’

କରୋନା ସଙ୍କଟ ମଧ୍ୟରେ ଆଉ ଏକ ବଡ ସମସ୍ୟାରେ ପଡିଲା ପାକିସ୍ତାନ

କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ