ତାଳଚେର ସାର କାରଖାନାର ପୁନରୁଦ୍ଧାର: ଖୋଲିବ କୋଇଲା ବାଷ୍ପୀକରଣ ୟୁନିଟ୍‌

ନୂଆଦିଲ୍ଲୀ ୧୮/୯: ୟୁରିଆ ଓ ଆମୋନିଆ ଉତ୍ପାଦନ ଲାଗି ଓଡ଼ିଶାର ତାଳଚେର ସାର କାରଖାନାରେ ଏକ କୋଇଲା ବାଷ୍ପୀକରଣ ୟୁନିଟ ସ୍ଥାପନ ହେବ । ଏଥିପାଇଁ ମଙ୍ଗଳବାର ନୂଆଦିଲ୍ଲୀରେ ଚୁକ୍ତି ସ୍ୱାକ୍ଷର ହୋଇଛି । ୧୩,୨୭୭ କୋଟି ଟଙ୍କା ନିବେଶ କରାଯାଇ ଗେଲ୍‌, ଆରସିଏଫ, ସିଆଇଏଲ ଓ ଏଫସିଆଇଏଲର ମିଳିତ ସହଭାଗିତାରେ ଏହି କାରଖାନା ପ୍ରତିଷ୍ଠା ହେବ । କାରଖାନାରୁ ବାର୍ଷିକ ୧.୨୭ ନିୟୁତ ଟନ୍‌ ୟୁରିଆ ଓ ୦.୭୩ ନିୟୁତ ଟନ୍‌ ଆମୋନିଆ ଉତ୍ପାଦନ ହେବ । ଚୀନ୍‌ର ଉହାନ ଇଞ୍ଜିନିୟରିଂ କୋ ଲିମିଟେଡ୍‌ ଏହି ପ୍ଲାଣ୍ଟ ପାଇଁ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ପ୍ରଦାନ କରିବ । ୨୦୨୩ ତୃତୀୟ ତ୍ରୈମାସରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ଏହା ୪,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହି ଅବସରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତାଳଚେର ସାର କାରଖାନା କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଆଧାରରେ ୟୁରିଆ ଓ ଆମୋନିଆ ଉତ୍ପାଦନ କରିବ । ଭାରତର ୟୁରିଆ ଚାହିଦାକୁ ଏହା ପୂରଣ କରିବ । ବାୟୁମଣ୍ଡଳରୁ ଅଙ୍ଗାରକ ପରିମାଣ ହ୍ରାସ ପାଇଁ ଭାରତ ‘ସିଓପି୨୧’ ନିକଟରେ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ଏବଂ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଏ ଦିଗରେ ଏକ ପଦକ୍ଷେପ । ପୂର୍ବ ଭାରତରେ ବନ୍ଦ ହୋଇଯାଇଥିବା ସମସ୍ତ ସାର କାରଖାନାକୁ ପୁଣିଥରେ ଚାଲୁ କରିବା ନେଇ ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଏତଦ୍‌ବ୍ୟତୀତ ପୂର୍ବାଞ୍ଚଳ ଗ୍ୟାସ ଗ୍ରିଡ୍‌ ପାଇଁ ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ଏବଂ ଏଥିରେ ଗୋରଖପୁର ଓ ବାରାଉନିକୁ ଅନ୍ତର୍ଭୁକ୍ତ କରାଯାଇଛି । ଖୁବଶୀଘ୍ର ସିନ୍ଦରିକୁ ସାମିଲ କରାଯିବ । ସାର ଉତ୍ପାଦନ ପାଇଁ ଏହି ପ୍ରକଳ୍ପରେ କୋଇଲା ଓ ପିଟକୋକର ବ୍ୟବହାର କରାଯିବ ବୋଲି ପେଟ୍ରୋଲିୟମ୍‌ ମନ୍ତ୍ରୀ କହିଛନ୍ତି । ତାଙ୍କ କହିବାନୁଯାୟୀ, ଟିଏଫଏଲକୁ ପ୍ରଦାନ କରାଯାଇଥିବା ତାଳଚେର ଅଞ୍ଚଳର ଉତ୍ତର ଅରଖପାଳ ଖଣିର ଉତ୍ତର ଭାଗରୁ ଏହି ପ୍ରକଳ୍ପ ପାଇଁ କୋଇଲା ଅଣାଯିବ ଏବଂ କ୍ୟାପ୍ଟିଭ ଖଣିର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି ।

ଏହି ପ୍ରକଳ୍ପ ପାଇଁ ପାରାଦୀପ ବିଶୋଧନାଗାରରୁ ପିଟକୋକ ଯୋଗାଇ ଦିଆଯିବ । ପରିବେଶ ଅନୁକୂଳ ପଦ୍ଧତିରେ ରାଜ୍ୟରେ ଉପଲବ୍ଧ ପ୍ରଚୁର କୋଇଲା ଏହି ପ୍ରକଳ୍ପ ପାଇଁ ଉପଯୋଗ କରାଯିବ । ଶ୍ରୀ ପ୍ରଧାନ ଆହୁରି କହିଲେ ଯେ ସିନଗ୍ୟାସ, ଡିଜେଲ, ମିଥାନଲ ଓ ପେଟ୍ରୋକେମିକାଲ ଭଳି ଉତ୍ପାଦ ପାଇଁ କୋଇଲାର ବ୍ୟବହାର ଏହି ପ୍ରଯୁକ୍ତି ବିଦ୍ୟାର ସଫଳତା ପରେ ବୃଦ୍ଧି ପାଇବ ।

କାର୍ଯ୍ୟକ୍ରମରେ ଉପସ୍ଥିତ ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ା କହିଲେ ଯେ ଦେଶରେ ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ସାର ବିଶେଷ କରି ୟୁରିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଚାହିଦା ମେଣ୍ଟାଇବା ପାଇଁ ଭାରତ ପ୍ରତିବର୍ଷ ୫୦ରୁ ୭୦ ଲକ୍ଷ ୟୁରିଆ ଉତ୍ପାଦନ କରୁଛି । ଘରୋଇ ଭାବେ ୟୁରିଆ ଉତ୍ପାଦନ ବୃଦ୍ଧି ପାଇଁ ଭାରତ ଚେଷ୍ଟା କରୁଛି । ସମ୍ପ୍ରତି ଦେଶରେ ପ୍ରାକୃତିକ ଗ୍ୟାସର ବ୍ୟବହାର କରାଯାଇ ୟୁରିଆ ଉତ୍ପାଦନ କରାଯାଉଛି । ଏଥି ମଧ୍ୟରେ ରହିଛି ଘରୋଇ ପ୍ରାକୃତିକ ବାଷ୍ପ ଓ ଆମଦାନି କରାଯାଉଥିବା ଏଲଏନଜି ।

ଏଲଏନଜି ଉତ୍ପାଦନ ଅତ୍ୟନ୍ତ ମହଙ୍ଗା । ତେଣୁ ଦେଶରେ ୟୁରିଆ ଓ ଅନ୍ୟାନ୍ୟ ସାରର ଉତ୍ପାଦନ ପାଇଁ ସ୍ୱଦେଶୀ କଞ୍ଚାମାଲର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ସେ କହିଲେ ଯେ ତାଳଚେର ସାର ପ୍ରକଳ୍ପ ଏ ଦିଗରେ ଏକ ପଦକ୍ଷେପ, ଯେଉଁଠି ୟୁରିଆ ଉତ୍ପାଦନ ପାଇଁ ସ୍ୱଦେଶୀ କୋଇଲା ଓ ପିଟକୋକର ମିଶ୍ରଣକୁ କଞ୍ଚାମାଲ ଭାବେ ବ୍ୟବହାର କରାଯିବ । ଶ୍ରୀ ଗୌଡ଼ା କହିଲେ ଯେ ‘ମେକ ଇନ ଇଣ୍ଡିଆ’ ଅନ୍ତର୍ଗତ ଏହି ପଦକ୍ଷେପ ଭାରତକୁ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବ ଏବଂ ୪,୫୦୦ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ