ସୋସିଆଲ ମିଡିଆରେ କରୋନା ଗୁଜବ ପ୍ରଚାର କରି ଯୁବକ ଥାନାରେ ଅଟକ


ଭବାନୀପାଟଣା/ଧର୍ମଗଡ ୧୫/୩: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ କରୋନା ପହଞ୍ଚିବା ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଥିବା ଜଣେ ଯୁବକକୁ ଆଜି ଗୋଲାମୁଣ୍ଡା ପୁଲିସ ଅଟକ ରଖିଛି । ଯୁବକ ଜଣକ ହେଲେ ବିନ୍ଦୁ ମହାନନ୍ଦ। ତାଙ୍କ ଘର ଗୋଲାମୁଣ୍ଡା ବ୍ଲକର ଡୁଡକେଲ ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ସୂଚନା ଦେଇଛନ୍ତି । ଅଟକ ଯୁବକ ଜଣକ ସୋସିଆଲ ମିଡିଆରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ଜନୈକ ବ୍ୟକ୍ତିକୁ କରୋନା ଥିବା ସନ୍ଦେହ ନେଇ ପୋଷ୍ଟ କରିଥିଲେ । ବିଭିନ୍ନ ହ୍ୱାଟ୍‌ସଆପ୍‌ ଗ୍ରୁପରେ ମେସେଜ ଭାଇରାଲ ପରେ ପୁଲିସ ନିଜ ଆଡୁ ତଦନ୍ତ କରିଥିଲା ।

ନିଜେ ଉପଖଣ୍ଡ ପୁଲିସ ଅଧିକାରୀ ଗୋଲାମୁଣ୍ଡା ପୁଲିସ ଦଳ, ଗୋଲାମୁଣ୍ଡା ବିଡିଓ ଏବଂ ମେଡିକାଲ ଟିମ ସଂପୃକ୍ତ ଗାଁକୁ ଯାଇ ତଦନ୍ତ କରିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କଠାରେ କରୋନାଜନିତ କୌଣସି ଲକ୍ଷଣ ନଥିବା ଦେଖାଯାଇଥିଲା । ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବା ଅଭିଯୋଗରେ ମେସେଜ ଭାଇରାଲ କରିଥିବା ସଂପୃକ୍ତ ଯୁବକଙ୍କୁ ପୁଲିସ ଅଟକ ରଖିଛି ।