ଗୋଟିଏ ଦିନରେ ସର୍ପାଘାତରେ ୯ ମୃତ

ଭୁବନେଶ୍ୱର ୨୪/୯:ରାଜ୍ୟର ବିଭିନ୍ନ ସ୍ଥାନରେ ସାପ କାମୁଡ଼ାରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ସବୁ ଘଟିଛି । ହିସାବ ଅନୁଯାୟୀ-ଗଞ୍ଜାମ ଜିଲ୍ଲାରେ ୩, ଅନୁଗୁଳରେ ୨, ଯାଜପୁରରେ ୨, କେନ୍ଦୁଝରରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ମା’ ପୁଅ, ଅନୁଗୁଳରେ ଦୁଇ ଭଉଣୀ ଅଛନ୍ତି ।

ସେହିପରି ଗଞ୍ଜାମ ଜିଲାର କୋଦଳା ଏନ୍‌ଏସି ଅନ୍ତର୍ଗତ ବି. ନୂଆପଲ୍ଲୀରେ ମାଆ ଓ ପୁଅ ଏବଂ କବିସୂର୍ଯ୍ୟନଗର ବ୍ଲକ୍‌ ଅନ୍ତର୍ଗତ ଏ. ବରିଡ଼ା ଗ୍ରାମରେ ଜଣେ ଯୁବକଙ୍କ ସାପ କାମୁଡ଼ାେରେ ପ୍ରାଣ ହରାଇଛନ୍ତି । ମୃତକ ହେଲେ କୋଦଳା ବି. ନୂଆପଲ୍ଲୀ ଗ୍ରାମର ମାଆ ମନାସ ପରିଡ଼ା(୩୦) ଓ ପୁଅ ଆଶିଷ ପରିଡ଼ା(୬) । କବିସୂର୍ଯ୍ୟନଗର ଏ. ବରିଡ଼ା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁ(୩୦) । କୋଦଳା ଏନ୍‌ଏସି ବି. ନୂଆପଲ୍ଲୀରେ ଗତକାଲି ରାତିରେ ମାଆ ମନାସ ପରିଡ଼ା ଓ ପୁଅ ଆଶିଷ ଘରେ ଶୋଇଥିବା ବେଳେ ସାପ କାମୁଡ଼ିଥିଲା । ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମାଆ ପୁଅଙ୍କ ମୃତ୍ୟୁ ଘଟିଛି । ସାପ କାମୁଡ଼ାରେ ଏ. ବରିଡ଼ାର କୃଷ୍ଣ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି । ଗତକାଲି ରାତିରେ ଖାଇପିଇ ଘରେ ଶୋଇଥିବା ବେଳେ ତାଙ୍କୁ ବିଷଧର ସାପ କାମୁଡ଼ିଥିଲା । ରାତି ୧୧ଟାରେ ସେ ଚାଲି ଚାଲି ଅଧା କିମି ରାସ୍ତା ଯିବା ପରେ ଅଟୋରେ ଆସିକା ଡାକ୍ତରଖାନାରେ ପହଞ୍ଚିଥିଲେ । ପରେ ଭୋର୍‌ ୪ଟାରେ ପରିବାର ଲୋକ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୬ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅନୁଗୁଳ ସହର ଉପକଣ୍ଠ ବେନ୍ତପୁର ଗ୍ରାମରେ ସର୍ପାଘାତରେ ଦୁଇ ଭଉଣୀ ସୁମନ୍ତ ସାହୁଙ୍କ ଝିଅ ରୋଜାଲିନ୍‌ (୧୩) ଓ ସୁଜାତା(୧୧)ଙ୍କ ମୃତ୍ୟୁ ହୋଇଯାଇଛି । ରୋଜାଲିନ୍‌ ଓ ସୁଜାତା ଏକାଠି ଶୋଇଥିଲେ । ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଉଭୟଙ୍କୁ ଏକ ବିଷଧର ସାପ କାମୁଡ଼ିଥିଲା । ରୋଜାଲିନ୍‌ଙ୍କ ବେକରେ ଓ ସୁଜାତାଙ୍କ ହାତକୁ ସର୍ପ ଦଂଶନ କରିଥିଲା । ଦୁହିଁଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ନେବା ବାଟରେ ଉଭୟଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।

ଯାଜପୁର ଟାଉନ ଥାନା ଅଧୀନ ଯାଜପୁର ପୌରାଞ୍ଚଳ ପ୍ରହରାଜପୁର ଗ୍ରାମର ସତ୍ୟବାଦୀ ସାମଲଙ୍କ ପୁଅ ମହେଶ୍ୱର (୨୮)ଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି । ମହେଶ୍ୱର ଗତକାଲି ରାତିରେ ଖାଇସାରି ଶୋଇଥିଲେ । ରାତି ପ୍ରାୟ ୩ଟା ବେଳକୁ ତାଙ୍କର ବାନ୍ତି ହୋଇଥିଲା । ପେଟ ଗଡ଼ବଡ଼ ଯୋଗୁ ବାନ୍ତି ହେଉଥିବା ପରିବାର ଲୋକ ଅନୁଭବ କରି ତୁଟୁକା ଚିକିତ୍ସା କରିଥିଲେ । ତେବେ ବାନ୍ତି ନକମିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତାଙ୍କୁ ସାପ କାମୁଡ଼ି ଥିବା ଡାକ୍ତର ଚିକିତ୍ସା ବେଳେ ଜାଣିବାକୁ ପାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଥିଲା । ସାପ କାମୁଡ଼ାରେ ଯାଜପୁର ଟାଉନ ଥାନା ତଥା ଦଶରଥପୁର ବ୍ଲକ୍‌ ଖଣ୍ଡରା ପଞ୍ଚାୟତ ସୁଧଗୋବିନ୍ଦା ଗ୍ରାମର ପଦ୍ମନାଭ ଦାସଙ୍କ ସ୍ତ୍ରୀ ସରସ୍ୱତୀ(୫୦)ଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା ।

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ତାଳପଦା ପଞ୍ଚାୟତ ଗୁରୁମୁ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗ୍ରାମର ବିଦ୍ୟାଧର ପାତ୍ରଙ୍କ ପତ୍ନୀ ଧରିତ୍ରୀ ପାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସଖିପାଟଣା ଗାଁର ଘନଶ୍ୟାମ ବେହେରାଙ୍କ ପୁଅ ବାଦଲ ବେହେରା(୬)ଙ୍କ ମୃତ୍ୟୁ ଘଟିଛି । ରବିବାର ରାତିରେ ଘରେ ମଶାରି ଭିତରେ ଶୋଇଥିଲେ ବାଦଲ । ହଠାତ୍‌ ନିଦରୁ ଉଠି ତାଙ୍କ ଦେହରେ ଯନ୍ତ୍ରଣା ହେଉଥିବା ବାପା -ମା’ଙ୍କୁ କହିଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ବାଦଲର ହାତ ସେତେବେଳକୁ ଫୁଲି ଯାଇଥିଲା । ହାତରେ ୨ଟି କ୍ଷତ ଚିହ୍ନରୁ ରକ୍ତ ବାହାରୁଥିଲା । ଉଭୟ ବାପା- ମା ବିଛଣା ତଳୁ ଏକ ରଣା ସାପ ବାହାରି ଯାଉଥିବା ଦେଖିଥିଲେ । ଗାଁ ଲୋକଙ୍କ ସହାୟତାରେ ପୁଅକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କଟକ ବଡ ମେଡିକାଲ୍‌କୁ ପଠାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଦଲ ଆଖିବୁଜିଥିଲେ ।

   ସମ୍ବନ୍ଧିତ ଖବର


ଶିକ୍ଷକଙ୍କୁ କଚାଡି ମାରିଲା ହାତୀ

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍, କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲା

ଟ୍ରେନରେ କଟି ଗୋଟିଏ ପରିବାରର ୩ ମୃତ: ଆତ୍ମହତ୍ୟା ସନ୍ଦେହ

ଘର ସାମ୍ନାରେ ଖେଳୁଥିବାବେଳେ ଶିଶୁ ଉପରେ ଚଢିଗଲା ବୋଲେରୋ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ପରିବାରଲୋକ