ଏହି ରାଜ୍ୟରେ ୭.୮୨ କୋଟି ଆଧାର ତଥ୍ୟ ହୋଇଛି ଚୋରି, ଆଇଟି କମ୍ପାନୀ ବିରୋଧରେ ମାମଲା ରୁଜୁ

ହାଇଦରାବାଦ,୧୪।୪ : ଭାରତୀୟ ଏକକ ପରିଚୟପତ୍ର ପ୍ରାଧିକରଣ (ୟୁଆଇଡିଏଆଇ) ୭.୮୨ ଆଧାର କାର୍ଡ ତଥ୍ୟ ଚୋରି ନେଇ ହାଇଦ୍ରାବାଦର ଏକ ଆଇଟି କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି ଯେ, ଆଇଟି ଗ୍ରିଡ (ଇଣ୍ଡିଆ) କମ୍ପାନୀ ଅବୈଧ ଭାବରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ଭୋଟରଙ୍କ ତଥ୍ୟ ହାସଲ କରିଛି। କମ୍ପାନୀ ଏହି ତଥ୍ୟକୁ ବ୍ୟବହାର କରି ଆନ୍ଧପ୍ରଦେଶର ଶାସକ ଦଳ ଟିଡିପି ପାଇଁ ‘ସେବା ମିତ୍ର’ ନାମକ ଏକ ମୋବାଇଲ ଆପ କରିବାକୁ ଯାଉଛି। ତେବେ ୟୁଆଇଡିଏଆଇର ଏହି ଅଭିଯୋଗକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସରକାରୀ ଯୋଜନାର ଲାଭ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଆପ ପ୍ରସ୍ତୁତ କରାଯାଉଛି।
ତେଲଙ୍ଗାନା ପୁଲିସ୍ ସୂଚନା ଅନୁସାରେ କମ୍ପାନୀ ନିକଟରେ ଆଧାର ସମ୍ପର୍କିତ ଅନେକ ସମ୍ବେଦନଶୀଳ ତଥ୍ୟ ରହିଥିବା ତଦନ୍ତରୁ ଜାଣିବାକୁ ମିଳିଛି। ଏହାଛଡା ଭୋଟରଙ୍କ ପ୍ରୋଫାଇଲ ତଥ୍ୟ ବି ଚୋରି କରାଯାଇଛି। ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହାର ବ୍ୟବହାର କରାଯାଇପାରେ ବୋଲି ଆଶଙ୍କା କରାଯାଇଛି। ଏନେଇ ଆନ୍ଧ୍ରପ୍ରଦେଶରେ ମାର୍ଚ୍ଚ ୭ରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ଏବେ ତେଲଙ୍ଗାନାରେ ଆଉ ଏକ ମାମଲା ରୁଜୁ କରାଯାଇଛି। ଏବେ ଦୁଇଟି ମାମଲାର ତଦନ୍ତ ଦାୟିତ୍ୱ ତେଲଙ୍ଗାନା ଏସ୍ଆଇଟିକୁ ପ୍ରଦାନ କରାଯାଇଛି।
ୟୁଆଇଡିଏଆଇର ଡେପୁଟି ଡାଇରେକ୍ଟର ଭବାନୀ ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ କିଛି ଦିନ ତଳେ କମ୍ପାନୀରୁ ଜବତ ତଥ୍ୟକୁ ଯାଞ୍ଚ ପାଇଁ ତେଲଙ୍ଗାନା ଫରେନ୍ସିକ ଲାବରୋଟରୀକୁ ପଠାଯାଇଥିଲା। ଯାଞ୍ଚରୁ ଜାଣିବାକୁ ମିଳିଥିଲା ଯେ କମ୍ପାନୀର ହାର୍ଡଡିକ୍ସରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ୭ କୋଟି ୮୨ ଲକ୍ଷ ୨୧ ହଜାର ୩୯୭ ଆଧାରକାର୍ଡଧାରୀଙ୍କୁ ତଥ୍ୟ ରହିଛି। ଏହା ସମ୍ପୂର୍ଣ୍ଣ ଭାବେ ୟୁଆଇଡିଏଆଇ ଡାଟାବେସ୍ ଭଳି ରହିଛି। କମ୍ପାନୀ ସିଆଇଡିଆର କିମ୍ବା ରାଜ୍ୟର ଡାଟା ହବକୁ ବ୍ୟବହାର କରି ଏହି ତଥ୍ୟ ହାସଲ କରିଥିବା ଆଶଙ୍କା କରାଯାଉଛି।
ନାଇଡୁ ସରକାର ଏହି ମାମଲାର ତଦନ୍ତ ରାଜ୍ୟ ବାହାରରୁ କରିବା ନେଇ କହିଛନ୍ତି। ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି ବିଜେପି ଓ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ୍) ଓ୍ବାଇଏସ୍ଆର କଂଗ୍ରେସର ସାହାର୍ଯ୍ୟ କରିବା ପାଇଁ ଷହଯନ୍ତ୍ର କରିଛି। ଏହାପରେ ଟିଆରଏସର କାର୍ଯ୍ୟକାରୀ ଅଧ୍ୟଧ କେଟି ରାମରାଓ କହିଛନ୍ତି ତେଲେଙ୍ଗାନା ପୋଲିସ କେବଳ ଡାଟା ଚୋରି କରିଥିବାର ଅଭିଯୋଗର ଯାଞ୍ଚ କରୁଛି। ଯଦି ନାଇଡୁ କିଛି ଭୁଲ କରିନାହାନ୍ତି ତେବେ ଭୟ କେଉଁ କଥାକୁ କରୁଛନ୍ତି ବୋଲି ସେ କହିଛନ୍ତି।