ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

କଣିହାଁ,୩୦/୧୧: ଏନ୍‌ଟିପିସି ୪ ନମ୍ବର ହଷ୍ଟେଲ୍‌ ସମ୍ମୁଖରେ ରବିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଜଣେ ମହିଳା କର୍ମଚାରୀ (ଯୁବତୀ)ଙ୍କୁ ପ୍ରେମିକା ବୋଲି ଦାବି କରିବା ଯୁବ ଇଂଜିନିୟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସ୍ଥାନୀୟ ଲୋକ ନିର୍ଧୂମ ପିଟିବା ସହ ତାଙ୍କ ନାମରେ ଥାନାରେ ଏତଲା ମଧ୍ୟ ହୋଇଛି।

ପ୍ରକାଶ ଯେ, ବିହାର ଅଞ୍ଚଳର ରୂପେଶ କୁମାର ନାମକ ଜଣେ ଯୁବକ ପୂର୍ବରୁ ଏନଟିପିସିରେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଦୁଇ ମାସ ହେଲା ଏଠାରୁ ଚାକିରି ଛାଡ଼ି ବାଙ୍ଗାଲୋର୍‌ରେ କାର୍ଯ୍ୟରତ ଅଛନ୍ତି ରୂପେଶ । ରବିବାର ଦିନ ସକାଳେ ସେ ହଷ୍ଟେଲ୍‌ ସମ୍ମୁଖକୁ ଆସି ଜଣେ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ନିଜର ପ୍ରେମିକା ବୋଲି ଦାବି କରିଥିଲେ । ଯୁବତୀ ଜଣକ ସେଇ ହଷ୍ଟେଲ୍‌ରେ ରହୁଛନ୍ତି । ହଷ୍ଟେଲ୍‌ ସମ୍ମୁଖରେ ରୂପେଶ ବସି ରହି ପାଟିତୁଣ୍ଡ କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ବାନ୍ଧି ପକାଇଥିଲେ । କିଛି ସମୟରେ ତାଙ୍କୁ ଖୋଲିଦିଆଯିବାରୁ ସେ ଥମିବା ପରିବର୍ତେ ଆହୁରି ଉତ୍ପାତ କରିଥିଲେ । ପରିସ୍ଥିତି ଏଭଳି ହେଲା ଯେ ଦେଖଣାହାରୀ ବି ତାଙ୍କୁ ମାଡ଼ପିଟ୍‌ କରିବାକୁ ପଛାଇ ନଥିଲେ । ମାଡ଼ରେ ତାଙ୍କର ହାତ ଅଙ୍ଗୁଳି ଭାଙ୍ଗି ଯାଇଥିବା ଜଣାପଡିଛି । ଖବର ପାଇ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ରୂପେଶ କୁମାରଙ୍କୁ କାବୁ କରି ଥାନାକୁ ନେଇଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ରୂପେଶଙ୍କ ହରକତ ନେଇ ଯୁବତୀ ଜଣକ ଥାନାରେ ଲିଖିତ ଏତଲା ଦେଇଥିବା ଜଣାପଡ଼ିଛି । କିନ୍ତୁ ଏ ନେଇ ଥାନାରେ କୌଣସି ମାମଲା ହୋଇନାହିଁ ବୋଲି ପୁଲିସ୍‌ ପ୍ରକାଶ କରିଛି । ଯୁବତୀଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି । ସେ ଏନଟିପିସି ପ୍ରକଳ୍ପରେ ଆସିଷ୍ଟାଣ୍ଟ୍‌ ଅପରେଟର ଭାବରେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ପୁଲିସ ରୂପେଶ କୁମାରଙ୍କ ପରିବାର ଲୋକଙ୍କୁ ଡକାଇଥିବା ଜଣାପଡ଼ିଛି । ସେପଟେ ମାମଲାକୁ ଆଗକୁ ନବଢ଼ାଇ ବୁଝାସୁଝା କରି ଯୁବକଙ୍କୁ ଛାଡି ଦେବାକୁ ଅଭିଯୋଗକାରିଣୀ ଚାହୁଁଥିବାରୁ ପୁଲିସ ଅଡ଼ୁଆରେ ପଡ଼ିଯାଇଛି ।