୧ ହଜାର କୋଟିର ଋଣ ଠକିବାକୁ ଆକ୍ସନ୍ ଷ୍ଟିଲ୍ ପ୍ରମୋଟଙ୍କ ନୂଆ ଚାଲ: ୧୩୩୦ କୋଟି ଟଙ୍କା ବିନିଯୋଗ ଅଥଚ ୨୫୦ କୋଟିରେ ନିଲାମ ଡାକ

ଝାରସୁଗୁଡ଼ା,୨୫/୦୮: ଝାରସୁଗୁଡ଼ା ପଣ୍ଡରିପଥର ଠାରେ ବନ୍ଦ ପଡ଼ିଥିବା ସମ୍ୱିତ ଇସ୍ପାତ କାରଖାନାକୁ ଚଳାଇବା ଲାଗି ଆକ୍ସନ ଇସ୍ପାତ ଆଣ୍ଡ ପାୱାର କମ୍ପାନି କୌଣସି ଆନ୍ତରିକତା ପ୍ରଦର୍ଶନ କରୁନାହିଁ। ହେଲେ ଏବେ କୌଶଳକ୍ରମେ ୧ ହଜାର କୋଟିର ବ୍ୟାଙ୍କ ଋଣ ଅର୍ଥ କିଭଳି ଫାଙ୍କି ହେବ, ସେହି ଲକ୍ଷ୍ୟରେ କମ୍ପାନି ବାଟ ଖୋଜୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ଏକ ମଧ୍ୟସ୍ଥି ଜରିଆରେ କିଛି ଅର୍ଥ ଜମା କରି କମ୍ପାନି ବକେୟା ବ୍ୟାଙ୍କ ଋଣ ଓ ସୁଧ ବୋଝରୁ କିଭଳି ମୁକୁଳିଯିବ ସେଥିଲାଗି ପ୍ରୟାସ ଆରମ୍ଭ କରିଥିବା ବେଳେ କରଜଦାତା ବ୍ୟାଙ୍କଗୁଡ଼ିକର ଚାପ କମ୍ପାନି ଉପରେ ବୃଦ୍ଧି ପାଇବାରେ ଲାଗିଛି। ଦୀର୍ଘ ବର୍ଷ ହେଲା କମ୍ପାନି ବନ୍ଦ ପଡ଼ିବା ପରଠାରୁ ୫୦୦ ଶ୍ରମିକ କର୍ମଚାରୀ ପରିବାରଙ୍କ ପାଇଁ ଦୁର୍ଦ୍ଦିନ ଅଜାଡ଼ି ହୋଇଛି । କମ୍ପାନି ଦିଲ୍ଲୀରେ ଥିବା କାରଖାନା ଗୁଡ଼ିକ ଉପରେ ଅଧିକ ଫୋକସ କରୁଥିବା ବେଳେ ଝାରସୁଗୁଡ଼ାର ଏହି କାରଖାନା ଖୋଲିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ ରହିଛି ।

ଆକ୍ସନ ଇସ୍ପାତ କମ୍ପାନି ଝାରସୁଗୁଡ଼ା ପଣ୍ଡରିପଥର ଠାରେ ପ୍ରତିଷ୍ଠିତ ଏହି କାରଖାନା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କରୁ ଋଣ ଉଠାଇଛି । ରାଜ୍ୟ ସରକାରଙ୍କ ସହ ସ୍ୱାକ୍ଷରିତ ଏମ୍‌ଓୟୁ ଅନୁଯାୟୀ ଗତ ୨୦୦୫ ମସିହାରେ ପ୍ରାୟ ୧୩୩୦ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ୩୭୦ ଏକର ଜମିରେ ଏହି କାରଖାନା ପ୍ରତିଷ୍ଠିତ । ହେଲେ ପରିଚାଳନାଗତ ତ୍ରୁଟି ହେଉ ଅବା ଅନ୍ୟ କାରଣରୁ ଗତ ସେପ୍ଟେମ୍ୱର ୨୦୧୬ ମସିହାରୁ ବନ୍ଦ ପଡ଼ିଛି ।

କମ୍ପାନିର ପରିବର୍ତ୍ତିତ ନୀତି ଅନୁଯାୟୀ ୧୨ ଶହ କୋଟି ଟଙ୍କାରୁ ଅଧିକ ଋଣ ଅର୍ଥ ସେଟେଲମେଣ୍ଟ୍‌ ପାଇଁ ଆକ୍ସନ ଇସ୍ପାତ କମ୍ପାନିର ପ୍ରୋମୋଟର୍‌ମାନେ ବ୍ୟାଙ୍କର୍ସମାନଙ୍କ ପାଖରେ ୨୫୦ କୋଟି ଟଙ୍କାର ନିଲାମ ଡାକିଛନ୍ତି । ଋଣଦାତା ଷ୍ଟେଟ ବ୍ୟାଙ୍କ ଏବଂ ଅନ୍ୟ କେତେକ ବ୍ୟାଙ୍କ କମ୍ପାନିର ପ୍ରୋମୋଟର୍ସମାନଙ୍କୁ ଇଚ୍ଛାକୃତ ଋଣ ଖିଲାପି ଭାବେ ଘୋଷଣା କରି ସାରିଛନ୍ତି । ଯଦି ପ୍ରୋମୋଟର୍ସମାନଙ୍କର ଏଭଳି ପ୍ରସ୍ତାବକୁ ବ୍ୟାଙ୍କ ଗ୍ରହଣ କରି କମ ମୂଲ୍ୟରେ ଋଣ ସେଟେଲମେଣ୍ଟ୍‌ କରେ ତାହେଲେ ଏହା ଲୋକଙ୍କ ଅର୍ଥର ବିପୁଳ କ୍ଷତି ହେବା ସହ ବ୍ୟାଙ୍କ ଗୁଡ଼ିକ ପାଇଁ ଖିଲାପି ପ୍ରୋମୋଟର୍ସଙ୍କ ବ୍ୟବସାୟରୁ ଅର୍ଥ ଆଦାୟର ବାଟ ବନ୍ଦ ହେବ ।

ବ୍ୟାଙ୍କ ଅବା ଅନ୍ୟମାନେ ଯେଉଁମାନଙ୍କର ଅର୍ଥ ଏହି କମ୍ପାନିରେ ବିନିଯୋଗ ହୋଇଛି ସେମାନେ ଫେରି ପାଇବା ଲାଗି ନ୍ୟାସନାଲ କମ୍ପାନି ଲ’ ଟ୍ରାଇବ୍ୟୁନାଲ (ଏନ୍‌ସିଏଲ୍‌ଟି)ରେ ଆବେଦନ କରିବା ପରେ ପ୍ରକଳ୍ପର ସମ୍ପତ୍ତିର ମୂଲ୍ୟାୟନ କରି ନିଲାମ ପ୍ରକ୍ରିୟା ଆରମ୍ଭ ହେବା କଥା । ମାତ୍ର ଏଠାରେ ସିଧାସଳଖ କମ୍ପାନିର ପ୍ରମୋଟରମାନେ ବ୍ୟାଙ୍କ ସହ କଥାବାର୍ତ୍ତା କରି କମ ମୂଲ୍ୟରେ ଏହାର ସେଟେଲମେଣ୍ଟ୍‌ ସହ ପ୍ରାୟ ଏକ ହଜାର କୋଟି ଟଙ୍କା ଫାଙ୍କିବାର ଉଦ୍ଦେଶ୍ୟରେ ଅଗ୍ରସର ହେଉଛନ୍ତି ବୋଲି ତଥ୍ୟାଭିଜ୍ଞ ମହଲ ଆଶଙ୍କା ପ୍ରକଟ କରିଛି । ବର୍ତ୍ତମାନ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ପରିଚାଳିତ ଏନଫୋର୍ସମେଣ୍ଟ୍‌ ଡାଇରେକ୍ଟୋରେଟ୍‌ (ଇଡି) ବିପିଏସ୍‌ଏଲ୍‌-ଜେଏସଡବ୍ଲ୍ୟୁ ବ୍ୟାଙ୍କ ଠକେଇ ମାମଲାର ଖୋଳତାଡ଼ କରୁଥିବା ବେଳେ ଏବେ ଆକ୍ସନ ଇସ୍ପାତ ଆଣ୍ଡ ପାୱାର ଲିମିଟେଡ୍‌ କମ୍ପାନି ନିଜର ଅଫିସିଆଲ ୱେବସାଇଟ୍‌ରୁ ମ୍ୟାନେଜମେଣ୍ଟ୍‌ ଟିମର ସମସ୍ତ ସଦସ୍ୟଙ୍କ ନାମକୁ ପ୍ରତ୍ୟାହାର କରିନେବା ଘଟଣା ତାତ୍ପର୍ଯ୍ୟପୂର୍ଣ୍ଣ । ବ୍ୟାଙ୍କ, ସିବିଆଇ ଅବା ଇଡି ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନର ଆଶଙ୍କାରେ ଏଭଳି ହୋଇଥାଇ ପାରେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି ।

ଇଡି ସ୍କାନର୍‌ରେ ଆକ୍ସନ ଇସ୍ପାତ କମ୍ପାନି ରହିଥିବା କାରଣରୁ ଏଭଳି ଛକାପଞ୍ଝା ଆରମ୍ଭ ହୋଇଥିବା ନେଇ ଆଶଙ୍କା କରାଯାଉଛି । କାରଖାନାକୁ ବେଆଇନ ଭାବେ କମ୍ପାନି ପକ୍ଷରୁ ବନ୍ଦ ଘୋଷଣା କରାଯିବା ପୂର୍ବରୁ ଏଠାରେ ଗଚ୍ଛିତ କଞ୍ଚାମାଲ୍‌, ଉତ୍ପାଦିତ ସାମଗ୍ରୀ ଆଦିକୁ ଉଦ୍ଦେଶ୍ୟମୂଳକ ଭାବେ ଚାଲାଣ କରାଯାଇଥିବା ନେଇ ମଧ୍ୟ ଶ୍ରମିକ କର୍ମଚାରୀ ବହୁ ଆଗରୁ ଅଭିଯୋଗ କରିଛନ୍ତି । କାରଖାନାର ଯନ୍ତ୍ରାଂଶ ବି ଏବେ ଆଉ କାର୍ଯ୍ୟକ୍ଷମ ହେବା ସ୍ଥିତିରେ ନ ଥିବା ବେଳେ କେବଳ ସ୍କ୍ରାପ ଦରରେ ବିକ୍ରି ହେବା ସାର ହେବ । ଏଭଳି ସ୍ଥିତିରେ କାରଖାନା ଚିମନିରୁ ପୁଣି ଥରେ ଧୂଆଁ ବାହାରି ଉତ୍ପାଦନକ୍ଷମ ହେବ ଏହା ଅସମ୍ଭବ ।

ଏପଟେ ସପ୍ଲାୟର, ଠିକାଦାର, ଶ୍ରମିକମାନଙ୍କ ବକେୟା ଦରମା ବାବଦକୁ ବିପୁଳ ବାକିଆ ପଡ଼ିଛି । ସରକାରୀ ଦେୟ ମଧ୍ୟ କମ୍ପାନି ପରିଶୋଧ କରିନାହିଁ । ଏଭଳି ପରିସ୍ଥିତିରେ ଏହି କମ୍ପାନିକୁ ପୁଣିଥରେ ଉତ୍ପାଦନକ୍ଷମ ହେବାର ଆଶା ହରାଇ ସାରିଛନ୍ତି ସ୍ଥାନୀୟ ଲୋକେ। କେବଳ ରାଜନୈତିକସ୍ତରରେ କାରଖାନା ଚାଲୁ ହେବାର ବୃଥା ଆସ୍ଫାଳନ ଶ୍ରମିକ କର୍ମଚାରୀଙ୍କ ପାଇଁ ସାମୟିକ ଆଶ୍ୱସ୍ତିକର ହୋଇଛି । ଦ୍ରୁତ ଶିଳ୍ପାୟନ ଦ୍ୱାରା ଜିଲ୍ଲାରେ ଯେଉଁ ନିଯୁକ୍ତିର ସୁଯୋଗ ସୃଷ୍ଟି ସହ ଲୋକଙ୍କ ରୋଜଗାର ଓ କ୍ରୟ ଶକ୍ତି ବୃଦ୍ଧି ପାଇବାର ଆଶା ଥିଲା ତାହା ଗୋଟିଏ ପରେ ଗୋଟିଏ ଶିଳ୍ପ କାରଖାନା ବନ୍ଦ ହେବା ପରେ ସମ୍ପୂର୍ଣ୍ଣ ମଉଳି ଯାଇଛି । ଜିଲ୍ଲାରେ ଏବେ ବି ଶିଳ୍ପ ସଂସ୍ଥାରୁ ଛଟେଇ ହୋଇଥିବା ଏବଂ ଶିଳ୍ପ କାରଖାନା ବନ୍ଦ ହେବା ପରେ ରୋଜଗାରଶୂନ୍ୟ ହୋଇଥିବା ଶ୍ରମିକ ପରିବାରଙ୍କ ଦୁଃଖ ଦୁର୍ଦ୍ଦଶା ଅକଥନୀୟ ।

   ସମ୍ବନ୍ଧିତ ଖବର


ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ

ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ବଜାରରେ ଟୟୋଟାର ନୂଆ ଇନୋଭା କ୍ରାଏଷ୍ଟା

ଆର୍ଥିକ ସଂକଟର ସାମ୍ନା କରୁଥିବା ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଜମାକାରୀଙ୍କ ପାଇଁ ଖୁସି ଖବର

ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌