ପ୍ଲାଷ୍ଟିକ୍‌ ବ୍ୟାନ୍‌ ପାଇଁ ସହଯୋଗ ଲୋଡ଼ା: ମନ୍ତ୍ରୀ

ଭୁବନେଶ୍ୱର ୧୯/୯: ପରିବେଶ ହେଉଛି ସମସ୍ତ ଜୀବଜଗତର ଆଧାର । ବିକାଶ ପ୍ରକ୍ରିୟାରେ ଯେମିତି ପରିବେଶ ପ୍ରଦୂଷିତ ନହେବ, ଏଥିପ୍ରତି ଯତ୍ନବାନ ହେବାକୁ ପଡି଼ବ । ଏବେ ପ୍ଲାଷ୍ଟିକ୍‌ ଜନିତ ଦ୍ରବ୍ୟ ହଟାଇବା ବଡ଼ ଚାଲେଞ୍ଜ । ଆସନ୍ତା ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୧୧୪ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେଉଛି । ଖାଲି ଆଇନ୍‌ କଷିଲେ, ପ୍ଲାଷ୍ଟିକ୍‌ ହଟିଯିବନି । ଏକ ପ୍ଲାଷ୍ଟିକ୍‌ ମୁକ୍ତ ଓଡି଼ଶା ଗଢ଼ିବାରେ ଜନତା ଆପେ ସହଯୋଗ କରନ୍ତୁ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ପରାମର୍ଶ ଦେଇଛନ୍ତି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୬ତମ ପ୍ରତିଷ୍ଠା ଦିବସ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏହାର ଉଦ୍‌ଘାଟକ ଭାବେ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ଏବେ ବି ରାଜ୍ୟର ୬ଟି ସହର ପ୍ରଦୂଷଣଯୁକ୍ତ । ଭୁବନେଶ୍ୱର, କଟକ, ରାଉରକେଲା, ବାଲେଶ୍ୱର, ଅନୁଗୁଳ, ତାଳଚେର ସହରରେ ପ୍ରଦୂଷଣର ମାତ୍ରା ଅଧିକ ବୋଲି ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ(ଏନ୍‌ଜିଟି) କହିଛି । ସେଠାରୁ ପ୍ରଦୂଷଣର ମାତ୍ରା କମାଇବାକୁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ସରିଛି । ଖୁବ୍‌ଶୀଘ୍ର ଏନେଇ କାମ ଆରମ୍ଭ ହେବ ।

ସେ ଆହୁରି କହିଥିଲେ, ସୁସ୍ଥ ପରିବେଶ ଗଢ଼ିବାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନୁମୋଦିତ ମାତ୍ରା ଅନୁସାରେ ରାଜ୍ୟର ବାୟୁ ଓ ଜଳର ପ୍ରଦୂଷଣ ମାତ୍ରାକୁ ସୀମିତ ରଖିବାକୁ ଯଥାସମ୍ଭବ ପ୍ରୟାସ ଚାଲିଛି । ନଦୀରେ ମିଶୁଥିବା ବର୍ଜ୍ୟଜଳକୁ ସିୱେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଜରିଆରେ ପ୍ରଦୂଷଣ ମୁକ୍ତ କରାଯାଉଛି ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା କହିଥିଲେ, ଉପରୋକ୍ତ ୬ଟି ସହର ପ୍ରଦୂଷଣ ବଢ଼ିବାରେ ଧୂଳିକଣା ହିଁ ପ୍ରମୁଖ କାରଣ । ପରିବହନ, ଗୃହ ନିର୍ମାଣ ଭଳି ଅନ୍ୟ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ଚାଲିଛି । ଆଗାମୀ ୨ ବର୍ଷ ମଧ୍ୟରେ ଏଠାରୁ ପ୍ରଦୂଷଣ ହଟାଇବାକୁ ପଦକ୍ଷେପ ନିଆଯିବ । ବିଭାଗୀୟ ସ୍ୱତନ୍ତ୍ର ସଚିବ ଡ. କେ ମୁରୁଗେସାନ ତାଙ୍କ ବକ୍ତବ୍ୟରେ ଶିଳ୍ପାଞ୍ଚଳ ପ୍ରଦୂଷଣ ଓ ସହରାଞ୍ଚଳ ବର୍ଜ୍ୟବସ୍ତୁର ସମସ୍ୟା ଓ ସମାଧାନ ସହ ନଦୀଜଳ ପୁନର୍ଯୁବୀକରଣ ଉପରେ ଆଲୋଚନା କରିଥିଲେ ।

ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ୱାଳ କହିଥିଲେ, ଏନ୍‌ଜିଟି ଦ୍ୱାରା ଚିହ୍ନଟ ଦେଶର ୩୫୧ଟି ପ୍ରଦୂଷିତ ନଦୀରୁ ଓଡି଼ଶାର ୧୯ଟି ନଦୀ ଅଛି । ହେଲେ ଏଗୁଡି଼କରୁ ୧୦ଟି ନଦୀରେ ଅନୁମୋଦିତଠାରୁ ପ୍ରଦୂଷଣ ମାତ୍ରା କମ୍‌ ଥିବା ନେଇ ଏନ୍‌ଜିଟିକୁ ଅବଗତ କରାଯାଇଛି । କେବଳ ଗଙ୍ଗୁଆ ନାଳଟି ମାତ୍ରାଧିକ ପ୍ରଦୂଷଣଯୁକ୍ତ । ଅନ୍ୟ ପ୍ରଦୂଷିତ ନଦୀରୁ ପ୍ରଦୂଷଣ ହଟାଇବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ ସରିଛି ବୋଲି ସେ କହିଥିଲେ ।

ସମାରୋହରେ ମେସର୍ସ ଜେକେ ପେପର ମିଲ୍‌କୁ ‘ପଲ୍ୟୁସନ କଣ୍ଟ୍ରୋଲ ଏକ୍ସଲେନ୍ସ ଆୱାର୍ଡ’, ଜିଏମ୍‌ଆର୍‌ କମଳଙ୍ଗା ଏନର୍ଜି ସଂସ୍ଥା, ଇମ୍ପା ଗ୍ରୁପ୍‌ର ସୁକିନ୍ଦା କ୍ରୋମାଇଟ୍‌ ମାଇନ୍ସ, କଟକ ଶିଶୁଭବନକୁ ‘ପଲ୍ୟୁସନ କଣ୍ଟ୍ରୋଲ ଆପ୍ରିସିଏସନ ଆୱାର୍ଡ’ ଦିଆଯାଇଥିଲା । ରାଜ୍ୟ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ପଶ୍ଚିମବଙ୍ଗ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ବିନୟ ଦତ୍ତ ‘ଡ. ମହେନ୍ଦ୍ର କୁମାର ରାଉତ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ବୋର୍ଡ ଦ୍ୱାରା ପ୍ରକାଶିତ ‘ପରିବେଶ ସମାଚାର’ ଓ ଓଡ଼ିଶା ଜିଲ୍ଲାୱାରୀ କାର୍ଯ୍ୟାନୁଷ୍ଠାନ ଯୋଜନା ଉନ୍ମୋଚିତ ହୋଇଥିଲା । ବୋର୍ଡର ମୁଖ୍ୟ ପରିବେଶ ବୈଜ୍ଞାନିକ ଡ. ପ୍ରମୋଦ ପୃଷ୍ଟି ଓ ଏଏଓ ଦେବଦତ୍ତ ପଟ୍ଟନାୟକ ଉତ୍ସବର ପରିଚାଳନା କରିଥିଲେ ।

   ସମ୍ବନ୍ଧିତ ଖବର


ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ

ପୁଣି ସାଙ୍ଘାତିକ ଅଭିଯୋଗ : ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ‌ରେ ନୋଟିସ୍‌ ଜାରି

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି