ବେଲଗାମ ପିଆଜ ଦର,ଦିନକୁ ବଢ଼ୁଛି ୨୦, ଗୋଟାକୁ ୧୦ ଟଙ୍କା: ଖୁଚୁରା ବଜାରରେ କେଜି ୧୪୦ ଟପିଲା

ଭୁବନେଶ୍ୱର ୫/୧୨: ଗୋଟାଏ ପିଆଜ ଦିଅ । ଛୋଟ ପିଆଜ ଅଢ଼େଇ ଶହକୁ କେତେ? ଦୋକାନରେ ଗ୍ରାହକଙ୍କ ମୁହଁରୁ ଏମିତି ଶୁଣିବାକୁ ମିଳୁଛି । ପିଆଜ ଦର ଏବେ ଲୋକଙ୍କ ଚିନ୍ତାର କାରଣ ହୋଇଛି । ଆଜି ରାଜ୍ୟର ବିଭିନ୍ନ ଖୁଚୁରା ବଜାରରେ ପିଆଜ ଦର ୧୪୦ ଟଙ୍କାରେ ପହଞ୍ଚିଛି । ଏଭଳି ଦର ଶୁଣି ଲୋକେ କାନମୁଣ୍ଡା ଆଉଁସି ଘରକୁ ଫେରୁଛନ୍ତି ।

ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ପିଆଜ କିଲୋ ପିଛା ୧୪୦ ଟଙ୍କାରେ ବିକ୍ରି ହୋଇଛି । ପିଆଜ ଦରବୃଦ୍ଧି ରେକର୍ଡ ସ୍ତରରେ ପହଞ୍ଚିଛି । ବରମୁଣ୍ଡା, ଶିରିପୁର ଛକ, ଗଙ୍ଗନଗର, ୟୁନିଟ-୪, ଶାସ୍ତ୍ରୀନଗର, ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଭଳି ଅଞ୍ଚଳରେ ପିଆଜ ଏଭଳି ମହରଗ ହୋଇଯାଇଛି । କଟକରେ ବି ପିଆଜ ୧୪୦ । ପୁରୀ, ବାରିପଦାରେ ୧୪୦ରେ ପହଞ୍ଚି ସାରିଛି । ଖୋର୍ଦ୍ଧା, ଭଦ୍ରକ, ନୟାଗଡ଼ ଓ ଅନୁଗୁଳରେ ଛୁଇଁବା ଛୁଇଁବା ହେଉଛି । ଜୟପୁରରେ ୧୦୦ ଟଙ୍କା, ରାୟଗଡ଼ାରେ ୯୫ ଓ କେନ୍ଦୁଝରରେ ୧୦୦ ଟଙ୍କା ଅଛି ।

ଗତକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ପିଆଜ ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିଲା । ଆଜି କିନ୍ତୁ ପିଆଜ ଦରବୃଦ୍ଧି ସବୁ ପୁରୁଣା ରେକର୍ଡକୁ ଟପିଯାଇଛି । ଦିନକରେ ଗୋଟିଏ କେଜିରେ ୨୦ ଟଙ୍କା ଦରବୃଦ୍ଧି ଘଟିଛି । ଗୋଟିଏ କିଲୋ ବଡ଼ ପିଆଜ ଓଜନ କଲେ ଏଥିରେ ୧୨ରୁ ୧୪ଟି ପିଆଜ ଉଠୁଛି । ଆଉ ଗୋଟିଏ ପିଆଜ ପିଛା ହିସାବ କଲେ ୧୦ ଟଙ୍କା ପଡ଼ିଯାଉଛି । ଅନେକ ଗ୍ରାହକ ଦୋକାନକୁ ଆସି ଗୋଟିଏ ଦୁଇଟି ପିଆଜ ମାଗୁଛନ୍ତି ।

ପିଆଜର ଅହେତୁକ ମୂଲ୍ୟବୃଦ୍ଧି ସବୁ ବର୍ଗର ଲୋକଙ୍କୁ ବାଧିଛି । ଦରବୃଦ୍ଧି ସିଧାସଳଖ ପ୍ରଭାବ ହୋଟେଲ ଓ ରେସ୍ତୋରାଁରେ ପଡ଼ିଛି । ପିଆଜ ପାଇଁ ହୋଟେଲରେ ତରକାରି ମହଙ୍ଗା ହୋଇଛି । ରାଜଧାନୀର କିଛି ଫାଷ୍ଟଫୁଡ୍‌ ଦୋକାନରେ ଚିଲି ଚିକେନ୍‌ ଓ ଅନ୍ୟ ଫାଷ୍ଟଫୁଡ୍‌ ଦର ବଢ଼ିଯାଇଛି । ପିଆଜର ରେକର୍ଡ ଦରବୃଦ୍ଧି ଯୋଗୁ ହାଣ୍ଡିଶାଳରେ ଚଡ଼କ ପଡ଼ିଛି । ବିନା ପିଆଜରେ ରୋଷେଇ କରିବାକୁ ଅନେକ ବାଧ୍ୟ ହେଉଛନ୍ତି । ଆଗମାର୍କ ନେଟ୍‌ରେ ପ୍ରଦତ୍ତ ପିଆଜ ତଥ୍ୟ ଅନୁସାରେ, ଆଜି ମହାରାଷ୍ଟ୍ରର ନାସିକ୍‌ ବଜାରକୁ ବହୁତ କମ୍‌ ପିଆଜ ଆସିଥିଲା । ଏଣୁ ରାଜ୍ୟକୁ ନାସିକ୍‌ରୁ କୌଣସି ପିଆଜ ଆସିନି । ମହାରାଷ୍ଟ୍ରର କୋହ୍ଲାପୁରରେ ଆଜି ପିଆଜ କୁଇଣ୍ଟାଲ ୧୨ହଜାର ୫୦୦ଟଙ୍କା ଥିଲା । ଲାସଲଗାଓଁରେ ୯୩୫୨, ପିମ୍ପଲଗାଓଁରେ ୯୫୦୦, ପୁନେରେ ୧୨ହଜାର ଥିଲା । ଏବେ ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦରୁ ଓଡ଼ିଶାକୁ ପିଆଜ ଆମଦାନୀ ହୋଇ ଆସୁଛି ।

ଓଡ଼ିଶାକୁ ଆଜି ବହୁତ କମ୍‌ ପିଆଜ ଆମଦାନୀ ହୋଇ ଆସିଛି । ଏଥିପାଇଁ ଦର ବୃଦ୍ଧି ନିୟନ୍ତ୍ରଣ ବାହରକୁ ଚାଲିଯାଇଛି । ରାଜଧାନୀ ଭୁବନେଶ୍ୱରକୁ ମାତ୍ର ୮୦ରୁ ୧୦୦ଟନ୍‌ ପିଆଜ ଆମଦାନୀ ହୋଇଛି । ଏଥିପାଇଁ ଆସନ୍ତାକାଲି ମଧ୍ୟ ପିଆଜ ଦର ବଢ଼ିବ । ଦୁଇ ଦିନ ଭିତରେ ଏହି ଦର ଦେଢ ଶହ ଟପିବ ବୋଲି ଯୋଗାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ରାଜଧାନୀ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି, କମ୍‌ ଆମଦାନୀ ପାଇଁ ଆଜି ପିଆଜ ଦର ପୁଣି ବଢିଛି । ହୋଲସେଲରେ ପିଆଜ କେଜି ୧୧୦ରୁ ୧୨୦ଟଙ୍କାରେ ବିକ୍ରି ହୋଇଛି । ତେବେ ନାସିକ୍‌ରୁ ନୂଆ ପିଆଜ ବାହାରିବାକୁ ଆହୁରି ସମୟ ଲାଗିବ । ସେବେଯାଏ ପିଆଜ ଦର ଖସିବାର ପ୍ରଶ୍ନ ଉଠୁନି ।

ସେପଟେ ନିୟମ ଅନୁସାରେ ହୋଲସେଲ ଦରଠାରୁ ୪ଟଙ୍କା ଅଧିକରେ ଖୁଚୁରା ବଜାରରେ ପିଆଜ ବିକ୍ରି ହେବା କଥା। କିନ୍ତୁ ହୋଲସେଲ ଦରଠାରୁ ୨୦ଟଙ୍କା ଅଧିକରେ ପିଆଜ ବିକ୍ରି ହେଉଛି । ଏହା ଉପରେ ଲଗାମ୍‌ ଲଗାଇବାରେ ଯୋଗାଣ ବିଭାଗ ଫେଲ୍‌ ମାରିଛି ।

   ସମ୍ବନ୍ଧିତ ଖବର


କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର