ଓଡ଼ିଶା ବଜାରରେ ପିଆଜ ଚଡ଼କ: ସରକାର ବେଫିକର, ଦର ନିୟନ୍ତ୍ରଣ ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ

ଭୁବନେଶ୍ୱର ୨୨/୮: ଓଡ଼ିଶା ପିଆଜ ବଜାରରେ ଚଡ଼କ ପଡ଼ିଛି । ଖାଲି ପିଆଜ ନୁହେଁ ଆଳୁ ବି ମହଙ୍ଗା ହୋଇଛି । ମାତ୍ର ୧୦ ଦିନ ଭିତରେ ପିଆଜ କିଲୋ ୧୪ରୁ ୧୫ଟଙ୍କା ଥିଲା ବେଳେ ଆଜି ହଠାତ୍‌ କେତେକ ଜାଗାରେ ୩୫ ଟଙ୍କା ଛୁଇଁଛି । ଦର ଯେଉଁ ହାରରେ ବଢ଼ୁଛି, ଯଦି ଲଗାମ ନ ଲାଗେ ତେବେ ଦିନେ ଦୁଇଦିନ ମଧ୍ୟରେ ତାହା ୪୦ ଟପିବ । ବ୍ୟବସାୟୀମାନେ ଦର ବୃଦ୍ଧି ନେଇ ମହାରାଷ୍ଟ୍ର ବନ୍ୟାକୁ ଦାୟୀ କରିଛନ୍ତି । ଆଳୁ ଦର ବୃଦ୍ଧିକୁ ଟ୍ରକ୍‌ ଧର୍ମଘଟ ସହ ଯୋଡ଼ିଛନ୍ତି । ତେବେ ସରକାର କିନ୍ତୁ ଏନେଇ ବେଫିକର ।

ଓଡ଼ିଶା ପିଆଜ ବଜାର ମହାରାଷ୍ଟ୍ର ନାସିକ ଓ ମଧ୍ୟପ୍ରଦେଶର ଇନ୍ଦୋର ଉପରେ ନିର୍ଭର କରେ । ପାଖାପାଖି ୧୦ ଦିନ ତଳୁ ମହାରାଷ୍ଟ୍ରର ବନ୍ୟା ବିଭୀଷିକା ଦେଖା ଦେଲାଣି ଏବଂ ପାଣିପାଗର ପୂର୍ବାନୁମାନ ଏହାର ଭୟାବହତା ନେଇ ଚେତାଇ ସାରିଛି । ପିଆଜ ଓ ଆଳୁ ଆଗକୁ ସଙ୍କଟ ସୃଷ୍ଟି କରିବ ଜଳଜଳ ହୋଇ ଦିଶୁଥିବାବେଳେ ରାଜ୍ୟ ସରକାର କିନ୍ତୁ ବେଫିକର ହୋଇ ବସିଛନ୍ତି । ଦର ନିୟନ୍ତ୍ରଣ ପାଇଁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଅନ୍ୟ ରାଜ୍ୟରୁ ପିଆଜ ମଗାଇବା ନେଇ କୌଣସି ପଦକ୍ଷେପ ଗ୍ରହଣ କଲେନି । ଫଳରେ ବ୍ୟବସାୟୀମାନେ ଆଗକୁ ଆଳୁ, ପିଆଜ ନିଅଣ୍ଟ ପଡ଼ିବ ବୋଲି ଜାଣି ହୋଡିଂ କଲେ । ଏବେ ଯେତେବେଳେ ଅଭାବ ପଡିଲା ଚଢ଼ା ଦରରେ ବିକ୍ରି ଆରମ୍ଭ କରିଛନ୍ତି । ଯୋଗାଣ ଓ କାଉଟି କଲ୍ୟାଣ ବିଭାଗର ନିଷ୍କ୍ରିୟତା ଯୋଗୁ ବ୍ୟବସାୟୀମାନେ ନିରଙ୍କୁଶ ଭାବେ ଦରବୃଦ୍ଧି କରି ଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି ।

ଏକ ନମ୍ବର ହାଟର କଞ୍ଚା ପରିବା ମହାଜନ ସଂଘର ସଭାପତି କବିରାଜ ସ୍ୱାଇଁଙ୍କ କହିବାନୁସାରେ ବର୍ତ୍ତମାନ ମାର୍କେଟର ପିଆଜର ପାଇକାରୀ ଦର ୨୫ରୁ ୨୬ ଟଙ୍କା ରହିଛି । ଗତ ୫ ଦିନ ପୂର୍ବରୁ ଏହା ୨୦ ଟଙ୍କା ଥିଲା । ତା’ ୫ ଦିନ ପୂର୍ବରୁ ୧୪ରୁ ୧୫ଟଙ୍କା ଦରରେ ପିଆଜ ବିକ୍ରୀ ହେଉଥିଲା । ଏବେ ଖୁଚୁରା ବଜାରରେ ପିଆଜ ୩୦ରୁ ୩୫ ଟଙ୍କା ରହିଥିବା ବେଳେ ମହାରାଷ୍ଟ୍ରର ବନ୍ୟା ଏଥିପାଇଁ ଦାୟୀ ବୋଲି କହିହେବ ।

କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି ବନ୍ୟା ପରିସ୍ଥିତି ଯୋଗୁଁ ପିଆଜ ଦର ବଢ଼ିଛି । ନାସିକରେ ଏବେ ପାଇକାରୀ ଦର ୨୧ ଟଙ୍କା ଥିବା ବେଳେ ଭୁବନେଶ୍ୱରରେ ଏହା ୨୩ରୁ ୨୪ ଟଙ୍କା ରହିଛି । ୬ ଦିନ ତଳେ ନାସିକରେ ପାଇକାରୀ ଦର ୧୩ରୁ ୧୪ ଟଙ୍କା ଥିଲା ତେଣୁ ସେତେବେଳେ ଭୁବନେଶ୍ୱରରେ ମଧ୍ୟ ଏହା ୧୭-୧୮ ଟଙ୍କା ରହିଥିଲା ।

ସେହିପରି ପଶ୍ଚିମବଙ୍ଗରେ ଟ୍ରକ୍‌ ଧର୍ମଘଟ ଯୋଗୁଁ ଆଳୁ ଦର ବଢ଼ିଛି । ୬ ଦିନ ତଳେ ସେଠି ଆଳୁ ଦର ୯ରୁ ୯.୫୦ ଥିବା ବେଳେ ଏବେ ପାଇକାରୀ ଦଳ ୧୧ରୁ ୧୧ଟ ୫୦ ପଇସା ରହିଛି । ତେଣୁ ଖୁଚୁରା ବେପାରୀଙ୍କ ଦର ୧୫ରୁ ୧୭ ଟଙ୍କା ରହିଛି ।

   ସମ୍ବନ୍ଧିତ ଖବର


ୟୁନିସେଫ୍‌ ଓ ଏମସ୍‌ର ମିଳିତ ୱେବିନାର, ‘ସୁସ୍ଥ ଶିଶୁ ସୁସ୍ଥ ସମ୍ପ୍ରଦାୟ ଗଠନ କରିଥାଏ’

ସର୍ତ୍ତମୂଳକ ଜାମିନ ମିଳିଲା ଡେପୁଟି କଲେକ୍ଟରଙ୍କୁ

ବଜ୍ରପାତ ବେଳେ ମୋବାଇଲ୍‌ରେ କଥା ହେବା ହେଲା କାଳ ! ଚାଲିଗଲା ଯୁବକଙ୍କ ଜୀବନ

ପୁରୀକୁ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ -ଅକ୍ଟେବାର ପହିଲାରୁ ଟ୍ରେନ ଗୁଡ଼ିକର ଅତିରିକ୍ତ ରହଣି

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

କରୋନା ଆକ୍ରାନ୍ତ ହୋଇ ସାମ୍ୱାଦିକ ତାରିଣୀ ପାଢ଼ୀଙ୍କ ମୃତ୍ୟୁ