ଅଭିଶପ୍ତ ଏହି ଗାଁ: ଯେଉଁଠି ଜନ୍ମ ହୁଅନ୍ତି ଖାଲି ଭିନ୍ନକ୍ଷମ ସନ୍ତାନ, ଜାଣନ୍ତୁ ପୁରା ଘଟଣା…

ନୂଆପଡ଼ା,୨୨ା୪(ରତନ କେତକୀ): ପିଲାଛୁଆକୁ ନେଇ ବାପା-ମା’ ଅନେକ ସ୍ୱପ୍ନ ଦେଖିଥାନ୍ତି । ଭାବି ସନ୍ତାନକୁ ନେଇ ଅନେକ କଳ୍ପନା କରିଥାନ୍ତି । କେମିତି ତାର ଛୁଆ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ସବଳ ଓ ନିରୋଗ ହୋଇ ଜନ୍ମହେଉ ବୋଲି ପ୍ରସବ ପୂର୍ବରୁ ଉପଯୁକ୍ତ ଭାବେ ମାଆର ଜନ୍ମ ନିଅନ୍ତି । ହେଲେ ଭାଗ୍ୟର ବିଡ଼ମ୍ୱନା ଯେ ନୂଆପଡ଼ା ଜିଲ୍ଲାରେ ଏମିତି ଏକ ଅଭିଶପ୍ତ ଗାଁ ଅଛି ଯେଉଁଠି କେବଳ ଭିନ୍ନକ୍ଷମ (ଅନ୍ଧ, ମୂକ ଓ ବଧିର) ଛୁଆ ଜନ୍ମ ହେଉଛନ୍ତି । ତିନି ବର୍ଷ ହେଲା ଗାଁରେ ଏଭଳି ସମସ୍ୟା ଲାଗି ରହିଥିଲେ ବି ପ୍ରଶାସନ ଚୁପ୍‌ ରହିବା ଦୁର୍ଭାଗ୍ୟର ବିଷୟ । ଗାଁରେ ଜନ୍ମ ହେଉଥିବା ଶିଶୁର ଏଭଳି ବ୍ୟତିକ୍ରମ କାହିଁକି ହେଉଛି ତାହା ଏବେବି ପ୍ରଶ୍ନବାଚୀ ହୋଇରହିଛି ।

ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ଶହେ କିମି ଦୂରରେ ରହିଛି ବୋଡେନ ବ୍ଲକ କରଙ୍ଗାମାଲ ପଞ୍ଚାୟତ କୁଲିଙ୍ଗାମାଲ ନିକଟ ମାଲପଡ଼ା ଗାଁ । ଏଠାରେ ୧୧୫ ଟି ଆଦିବାସୀ ଏବଂ ପଛୁଆ ବର୍ଗ ପରିବାରର ୪୭୭ ଜଣ ଗରିବ ଲୋକ ବସବାସ କରନ୍ତି । ଏହି ଉପାନ୍ତ ଗାଁରେ ଲୋକେ ଚାଷବାସ ଓ କୁଳିମଜୁରୀ କରି ଜିବୀକା ନିର୍ବାହ କରନ୍ତି । ପାନୀୟ ଜଳ ପାଇଁ ଗାଁରେ ୧୦ଟି ନଳକୂଅ ରହିଛି । ଗାଁରେ ସବୁ କିଛି ଠିକଠାକ ଚାଲିଥିଲା । ୩ ବର୍ଷ ହେଲା ଗାଁରେ ଦୁଃଖର ପାହାଡ଼ ମାଡ଼ି ଆସିଥିଲା । ଗାଁ ଲୋକଙ୍କୁ ସତେକି କେହି ଅଭିଶାପ ଦେବା ଭଳି ସମସ୍ତଙ୍କ ଘରେ ଭିନ୍ନକ୍ଷମ ଛୁଆ ଜନ୍ମ ହେବା ଆରମ୍ଭ ହେଲା । ଗାଁର ରମେଶ କଣ୍ଟାଙ୍କ ସ୍ତ୍ରୀ ହେମକାନ୍ତି ତିନି ବର୍ଷ ତଳେ ଗର୍ଭ ଧାରଣ କରିଥିଲେ । ଗତ ୨୦୧୬ ସେପ୍ଟେମ୍ୱର ୧୫ ଓ ପରେ ୨୦୧୮ ମାର୍ଚ୍ଚ ୨୫ରେ ଦୁଇଟି ଭିନ୍ନକ୍ଷମ ଝିଅକୁ ଜନ୍ମ ଦେଇଥିଲେ । ଏବେ ବଡ଼ ଝିଅ ସୌମ୍ୟସୂତା ମୂକ, ବଧିର ହୋଇଥିବା ବେଳେ ସାନଝିଅ କରିସ୍ମା ଦୃଷ୍ଟିହୀନ ହୋଇ ଅସହାୟ ଭାବେ ଜୀବନ ଅତିବାହିତ କରୁଛନ୍ତି । ଜମିବାଡ଼ି ବିକ୍ରି କରି ଦୁଇ ଝିଅର ଚିକିତ୍ସା କରିଥିଲେ ବି ଆରୋଗ୍ୟ ହେଉନି । ଦୁଇ ଝିଅଙ୍କ ଦୁଃଖ ଦେଖି ବାପା-ମା’ଙ୍କ ଆଖିରୁ ବି ଲୁହ ଥମୁନାହିଁ ।
ସେହିପରି ଗାଁର ନରେଶ ମାଝିଙ୍କ ପତ୍ନୀ ରୀନା ମାଝି ୪ ବର୍ଷ ତଳେ ଏକ ସୁସ୍ଥ, ସବଳ ପୁଅ ଜନ୍ମ ଦେଇଥିଲେ । ହେଲେ ଦୁଇ ବର୍ଷ ତଳେ ନିକିତା ନାମ୍ନୀ ଜଣେ ଦୃଷ୍ଟି ବାଧିତ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଗାଁର ଥବିର ଶଗରିଆଙ୍କ ସ୍ତ୍ରୀ ସରସ୍ୱତୀଙ୍କ ବିବାହର ବହୁ ବର୍ଷ ପରେ ଗତ ୨୦୧୮ ଫେବ୍ରୁଆରୀ ୧୭ରେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା । ଶିଶୁକନ୍ୟାକୁ ପାଇ ପରିବାର ଲୋକେ ବହୁ ଖୁସି ମନାଇଥିଲେ । ହେଲେ ଭାଗ୍ୟର ବିଡ଼ମ୍ୱନା ସେଇ କନ୍ୟା ସନ୍ତାନଟି ଜନ୍ମରୁ ଦୃଷ୍ଟିହୀନ ଥିଲେ ।

ସେହିପରି ପବିତ୍ର କଣ୍ଟାଙ୍କ ସ୍ତ୍ରୀ ରୁପେନ୍ଦ୍ରୀ ୬ ବର୍ଷ ତଳେ ଏକ ସୁସ୍ଥ ସବଳ ଝିଅ ଜନ୍ମ ଦେଇଥିବା ବେଳେ ଗତ ୨୦୧୭ ଜୁନ ୧୨ରେ ଜନ୍ମ ହୋଇଥିବା ଅନ୍ୟ ଝିଅ ଜ୍ୟୋତିର୍ମୟୀ ମୂକ, ବଧିର ହୋଇଥିବା ବେଳେ ଗତ ଅପ୍ରେଲ ୧୫ରେ ପୁଣି ଏକ ଅନ୍ଧ ପୁଅ ଜନ୍ମ ହୋଇଛି । ସେହିପରି ଗାଁର ଡୋଳାମଣି ଶଗରିଆଙ୍କ ଏକମାତ୍ର ପୁଅ ମଧ୍ୟ ଜନ୍ମରୁ ଅନ୍ଧ । ତିନି ବର୍ଷ ତଳେ ଗିରିଧାରୀ ମାଝିଙ୍କ ପତ୍ନୀ ହାରାବତୀ ପୁଅ ପୁସ୍ତମ(୧୩) ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ଦୃଷ୍ଟିଶକ୍ତି ହରାଇଛି । ଏମିତି ଗାଁର ଅନେକ ଅଭାଗା ବାପା ମା’ଙ୍କ କୋଳରେ ଭିନ୍ନକ୍ଷମ ପୁଅ ଝିଅ ଜନ୍ମ ହେଉଥିବାରୁ କର୍ମକୁ ଆଦରି ପଡ଼ି ରହିଛନ୍ତି । ବୃଦ୍ଧ ବୟସରେ ବାପା ମା’ଙ୍କ ପାଇଁ ସାହା ଭରସା ହେବାକୁ ଥିବା ପୁଅ-ଝିଅ ଭିନ୍ନକ୍ଷମ ହୋଇ ଜନ୍ମ ହେବା ବାପା ମା’ଙ୍କ ପାଇଁ ବୋଝ ପାଲଟିଛନ୍ତି । ଗାଁରେ ପ୍ରତ୍ୟେକଙ୍କ ପରିବାରରେ ଏପରି ଦିବ୍ୟାଙ୍ଗ ଶିଶୁ ଜନ୍ମ ହେବାର କାରଣ କ’ଣ ସେନେଇ ଗ୍ରାମବାସୀ ଜାଣିପାରୁ ନାହାନ୍ତି । କ୍ରମେ ଏହା ଜଟିଳ ସ୍ଥିତିକୁ ପହଞ୍ଚି ଥିଲେ ବି ଗାଁକୁ କୌଣସି ବିଶେଷଜ୍ଞ ଟିମ ଯାଇନଥିବାରୁ କାରଣ ସ୍ପଷ୍ଟ ହୋଇନାହିଁ ।

ଅପରପକ୍ଷେ ଏବେ ଗାଁର ସମ୍ୱାରୀ କଣ୍ଟା, ଡୋଳାମଣି ଶଗରିଆ, ଭୋଜନୀ କଣ୍ଟା ଭଳି ଅନେକ ମହିଳା ଗର୍ଭବତୀ ଅଛନ୍ତି । ଗାଁରେ ଅନ୍ଧ, ମୂକ, ବଧିର ଛୁଆ ଜନ୍ମ ହେଉଥିବାରୁ ସେମାନେ ଆତଙ୍କିତ ହୋଇପଡ଼ଡିଛନ୍ତି । କାଳେ ତାଙ୍କ ଗର୍ଭରୁ ବିି ବିକାଳାଙ୍ଗ ଛୁଆ ଜନ୍ମ ହେବକି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ପାଣି ଜନିତ ସମସ୍ୟା କିମ୍ବା ସଠିକ ଟିକାକରଣ ଅଭାବରୁ ଏଭଳି ହେଉଥିବା ଅଭିଯୋଗ କରିଛନ୍ତି । ସମ୍ୱଳ ଅଭାବରୁ ଅସହାୟ ବାପା ମା’ ଦିବ୍ୟାଙ୍ଗ ପୁଅଝିଅକୁ କୌଣସି ବଡ଼ ମେଡିକାଲକୁ ନେଇ ଉଚ୍ଚତର ଚିକିତ୍ସା କରାଇପାରୁନାହାନ୍ତି । ଜିଲ୍ଲା ପ୍ରଶାସନ ଗାଁକୁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଦଳ ପଠାଇ ଏହାର କାରଣ ଖୋଜି ବାହାର କରିବା ସହ ଦିବ୍ୟାଙ୍ଗ ପୁଅ-ଝିଅର ଚିକିତ୍ସା ବ୍ୟବସ୍ଥା କରାଇବାକୁ ଦାବି ହେଉଛି । ଏନେଇ ଗାଁର ଅଙ୍ଗନବାଡ଼ି କର୍ମୀ ଦ୍ରୌପଦୀ ଭୋଇ କହନ୍ତି ଆମେ ଗାଁରେ ଭିନ୍ନକ୍ଷମ ପିଲା ଜନ୍ମ ହେଉଥିବା ଆଇସିଡିଏସ୍‌ଙ୍କୁ ଜଣାଇ ଦେଇଛୁ । ହେଲେ ସେମାନେ କୌଣସି ପଦକ୍ଷେପ ନେଉନାହାନ୍ତି । ଏନେଇ ସିଡିଏମ୍‌ଓ ଡା. ପ୍ରଭାସିନୀ ବ୍ରହ୍ମାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆମ ପାଖରେ କୌଣସି ଖବର ନଥିଲା । ଗାଁକୁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍‌ ପଠାଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବୁ ବୋଲି କହିଛନ୍ତି ।

   ସମ୍ବନ୍ଧିତ ଖବର


ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

ଟ୍ରକ୍‌କୁ ପଛରୁ ପିଟିଲା ବୋଲେରୋ, ୫ ବରଯାତ୍ରୀ ଗୁରୁତର

ରାସଗୋବିନ୍ଦପୁର ବନାଞ୍ଚଳ ରାସ୍ତାରୁ ୨୦୦ ଗ୍ରାମର ଭଙ୍ଗା ହାତୀ ଦାନ୍ତ ଉଦ୍ଧାର