ନିର୍ବାଚନ କମିଶନଙ୍କୁ ୧୦ ବିରୋଧୀ ଦଳଙ୍କ ଫେରାଦ, ଇଭିଏମ୍‌ରେ ପଦ୍ମ ଚିହ୍ନ ତଳେ ବିଜେପି ଲେଖାଅଛି

ଇଭିଏମ୍‌ରେ ପଦ୍ମଫୁଲ ଚିହ୍ନ ତଳେ ବିଜେପି ଲେଖା ଅଛି ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି । ୧୦ଟି ବିରୋଧୀ ଦଳର ସଦସ୍ୟମାନେ ନିର୍ବାଚନ କମିଶନଙ୍କୁ ଭେଟି ଏହି ଅଭିଯୋଗ କରିବା ସହିତ ତୁରନ୍ତ ସେଥିରେ ସଂଶୋଧନ ଲାଗି ଦାବି କରିଛନ୍ତି । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ଏବଂ ତୃଣମୂଳ କଂଗ୍ରେସର ଦିନେଶ ତ୍ରିବେଦୀ ଓ ଡେରେକ ଓ’ବ୍ରିଏନଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଗତକାଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କୁ ଭେଟିଥିଲେ । ସେମାନେ ଦାବି କରିଛନ୍ତି ଯେ ଇଭିଏମ୍‌ରୁ ବିଜେପି ଲେଖା ହଟାଯାଉ ନଚେତ ଅନ୍ୟଦଳର ଚିହ୍ନ ତଳେ ସେହି ଦଳର ନାମ ଲେଖାଯାଉ ।

ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସିଂଘଭି କହିଛନ୍ତି ଯେ ଇଭିଏମ୍‌ରେ ପଦ୍ମଫୁଲ ଚିହ୍ନ ତଳେ ବିଜେପି ଲେଖାଯାଇଥିବା ବିଷୟ ସ୍ପଷ୍ଟ ଦେଖାଯାଉଛି । କୌଣସି ଦଳର ଚିହ୍ନ ଓ ନାମ ଏକାସାଙ୍ଗରେ ବ୍ୟବହାର କରାଯାଇପାରିବ ନାହିଁ । ସେଥିପାଇଁ ଇଭିଏମ୍‌ରେ ଅନ୍ୟ କୌଣସି ଦଳର ଉଭୟ ନାମ ଓ ଚିହ୍ନ ଉଲ୍ଲେଖ ନାହିଁ । କମିଶନ ଏହା ଉପରେ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି । ଗତ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଅଭିଯୋଗ କରିଥିଲେ କି ବାଲଟ ପେପରରେ ବିଜେପିର ନିର୍ବାଚନ ଚିହ୍ନ ପଦ୍ମଫୁଲ ତଳେ କାଳିରେ କିଛି ଲେଖାଯାଇଛି । ଯାହାକି ବିଜେପି ଭଳି ଦେଖାଯାଉଛି । କିନ୍ତୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ମୁଖ୍ୟନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ପଦ୍ମଫୁଲ ଚିହ୍ନ ତଳେ କୌଣସି ଲେଖା ରହି ନଥିବା ବିଷୟ ସ୍ପଷ୍ଟ କରିଥିଲେ ।

ଅପରପକ୍ଷରେ ଜଣେ ବରିଷ୍ଠ ନିର୍ବାଚନ ଅଧିକାରୀ ବିରୋଧୀ ଦଳମାନଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ବିରୋଧୀ ଦଳମାନେ ପଦ୍ମଫୁଲ ଚିହ୍ନକୁ ଠିକ୍‌ ଭାବେ ଦେଖିନାହାନ୍ତି । ୨୦୧୩ ମଧ୍ୟଭାଗରେ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା ଯେ ପଦ୍ମଫୁଲ ଚିହ୍ନ ଅତ୍ୟନ୍ତ ପତଳା ଦେଖାଯାଉଛି । ତାକୁ ଅଧିକ କଳା କରାଯାଉ । ବିଜେପିର ଅନୁରୋଧ ପରେ ପଦ୍ମଫୁଲ ଚିହ୍ନଟିକୁ ଅଧିକ ଗାଡ଼ କରାଯାଇଥିଲା । ତା ସହିତ ପଦ୍ମଫୁଲ ତଳେ କିଛି ପାଣିର ଚିତ୍ର ମଧ୍ୟ ସଂଶ୍ଳୀଷ୍ଟ କରାଗଲା । ସେହି ପାଣି ଚିତ୍ରଟି ଇଂରାଜୀ ଅକ୍ଷର ଏଫ ଓ ପି ଭଳି ଦେଖାଯାଉଛି । ବିଜେପି ଭଳି ନୁହେଁ । ୨୦୧୪ ମସିହାରୁ ଏହି ଚିହ୍ନ ବ୍ୟବହାର ହୋଇଆସୁଛି ବୋଲି ସେ କହିଛନ୍ତି । ଇତିମଧ୍ୟରେ ଇଭିଏମ୍‌ରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କମିଶନଙ୍କ ସୂତ୍ରରୁ ଜଣାପଡିଛି ।

   ସମ୍ବନ୍ଧିତ ଖବର


କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା