ପାକ୍‌ ଅଧିନାୟକ ବାବରଙ୍କ ବଢ଼ିଲା ଅଡୁଆ, ପୀଡ଼ିତା ମହିଳା ଆଣିଲେ ପ୍ରତାରଣା ଓ ନିର୍ଯାତନା ଅଭିଯୋଗ

କରାଚୀ,୩୦/୧୧: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଅଡ଼ୁଆରେ ପଡ଼ିଛନ୍ତି । ତାଙ୍କ ନାମରେ ପ୍ରତାରଣା, ଶୋଷଣ, ନିର୍ଯ୍ୟାତନା ଏବଂ ମାରପିଟ୍‌ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ପୀଡ଼ିତା ମହିଳା ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଉପରେ ଅନେକ ଆରୋପ ଲଗାଇଛନ୍ତି । ବାବର ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ଠକି ଦେଇଥିବା କଥା ପ୍ରକାଶ କରିଛନ୍ତି । କିନ୍ତୁ ବାବରଙ୍କଠୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ପାକିସ୍ତାନର ସାଜ ସାଦିକ ନାମକ ଜଣେ ସାମ୍ବାଦିକ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ପୀଡ଼ିତା ମହିଳା ଜଣକ କହିଛନ୍ତି, ମୁଁ ବାବରଙ୍କୁ ଆର୍ଥିକ ସହାୟତା କରିଥିଲି। ଦୀର୍ଘ ୧୦ ବର୍ଷ ଧରି ସେ ମୋର ଶୋଷଣ କରିଥିଲେ। ୨୦୧୦ରେ ସେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବଡ଼ କ୍ରିକେଟର ହୋଇଯିବା ପରେ ଠକି ଦେଇଥିଲେ। ସମ୍ପର୍କ ଥିବାବେଳେ ମୁଁ ଅନ୍ତଃସ୍ୱତ୍ତ୍ୱା ହୋଇଥିଲି। ସେତେବେଳେ ସେ ମୋତେ ମାରପିଟ୍‌ କରିଥିଲେ। ପୁଲିସ୍‌ ପାଖକୁ ଗଲେ ମାରିଦେବେ ବୋଲି ଧମକ ଦେଇଥିବା ବିଷୟ ଉକ୍ତ ମହିଳା ଜଣଙ୍କ କହିଛନ୍ତି ।’

ସୂଚନାଯୋଗ୍ୟ, ବାବର ଏବେ ସମସ୍ତ ଫର୍ମାଟରେ ପାକିସ୍ତାନ ଦଳ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ସେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି ।