ଆଇଏମ୍ଏଫ୍କୁ ଭାରତର ସତର୍କବାଣୀ: ପାକିସ୍ତାନକୁ ପାଣ୍ଠି ଦେଲେ ବୁଡ଼ିବ

ନୂଆଦିଲ୍ଲୀ,୨୦ା୪(ଏଜେନ୍ସି):ଭୟଙ୍କର ଆର୍ଥିକ ସଙ୍କଟରେ ଛନ୍ଦି ହୋଇଥିବା ପାକିସ୍ତାନ ଏବେ ପାଣ୍ଠି ଯୋଗାଡରେ ବ୍ୟସ୍ତ । ବନ୍ଧୁ ରାଷ୍ଟ୍ର ଏବଂ ଅନ୍ୟାନ୍ୟ ମୁସ୍ଲିମ୍ ରାଷ୍ଟ୍ରଗୁଡିକ ନିକଟରେ ହାତ ପତେଇ କିଛି ଅର୍ଥ ଯୋଗାଡ କରିଛି ପାକ୍ । ତଥାପି ଅର୍ଥନୀତିକୁ ଚଳାଇବା ପାଇଁ ଏହା ଯଥେଷ୍ଟ ନୁହେଁ । ସେଥିପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ଦ୍ୱାରସ୍ଥ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପୂର୍ବରୁ ଆଇଏମ୍ଏଫ୍ରୁ ପାକିସ୍ତାନ ଅନେକ ଥର ସାହାଯ୍ୟ ଆଣିଥିବାବେଳେ ପୁଣି ଆଉ ଏକ ପ୍ୟାକେଜ୍ ଲାଗି ଜୋରସୋର ଉଦ୍ୟମ ଚଳାଇଛନ୍ତି ଇମ୍ରାନ । ଅପରପକ୍ଷରେ, ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ରଗୁଡିକ ଆଇଏମ୍ଏଫ୍କୁ ଏ ନେଇ ସତର୍କ କରିଛନ୍ତି । ପାକିସ୍ତାନକୁ ସାହାଯ୍ୟ କଲେ ପାଣ୍ଠି ବୁଡିବ ବୋଲି ଏମାନେ ଆଇଏମ୍ଏଫ୍କୁ ଆଗୁଆ ସାବଧାନ କରିଛନ୍ତି ।
ସୂଚନାଯୋଗ୍ୟ, ଆତଙ୍କବାଦ କାର୍ଯ୍ୟକଳାପ ଯୋଗୁ ପାକିସ୍ତାନକୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫ୍ଏଟିଏଫ୍) ପକ୍ଷରୁ କଳା ତାଲିକାଭୁକ୍ତ ମଧ୍ୟ କରାଯାଇପାରେ । ଏପଟେ ଅର୍ଥନୀତି ଟ୍ରାକ୍ରୁ ବାହାରିଯାଇଛି, ଅନ୍ୟପଟେ ଏଫ୍ଏଟିଏଫ୍ ଡ଼ର । ଏଭଳି ଚ୍ୟାଲେଞ୍ଜଜନକ ପରିସ୍ଥିତି ମଧ୍ୟରେ ପାଣ୍ଠି ଯୋଗାଣ ନେଇ ଆଇଏମ୍ଏଫ୍କୁ ଅନ୍ୟ ରାଷ୍ଟ୍ରଗୁଡିକର ସତର୍କବାଣୀ ନିଶ୍ଚିତ ଭାବେ ଇ୍ରମାନ ଖାନ୍ଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇପାରେ ।
ଇତିମଧ୍ୟରେ ୱାଶିଂଟନରେ ହୋଇଥିବା ବୈଠକରେ ଭାରତୀୟ ଅଧିକାରୀମାନେ ଆଇଏମ୍ଏଫ୍କୁ ସତର୍କ କରିଥିଲେ ଯେ, ପାକିସ୍ତାନକୁ ପାଣ୍ଠି ଯୋଗାଇବା ଅର୍ଥ ଟଙ୍କାକୁ ସମୁଦ୍ରରେ ଫୋପାଡିଦେବା । ଏଫ୍ଏଟିଏଫ୍ ପକ୍ଷରୁ ପାକିସ୍ତାନକୁ ଗ୍ରେ ଲିଷ୍ଟ୍ରେ ରଖାଯାଇଥିବାରୁ ଏହାର ବିଦେଶୀ ପାଣ୍ଠି ଓ ନିବେଶ ଉପରେ ବି ରୋକ୍ ଲାଗିଛି । ପୁଣି ଏହା ଏଫ୍ଏଟିଏଫ୍ର କଳା ତାଲିକାଭୁକ୍ତ ହେବାର ଆଶଙ୍କା ମଧ୍ୟ ରହିଛି । କଳା ତାଲିକାଭୁକ୍ତ ହୋଇଗଲେ ଅନ୍ୟ କୌଣସି ରାଷ୍ଟ୍ର ଏହା ସହ ଆର୍ଥିକ କାରବାର କରିବେ ନାହିଁ । ତେଣୁ ଆର୍ଥିକ ପ୍ୟାକେଜ୍ ଦେଇ ଆଇଏମ୍ଏଫ୍ ଏହାର ପାଣ୍ଠିକୁ ରିସ୍କକୁ ନ ଆଣୁ ବୋଲି ଭାରତୀୟ ଅଧିକାରୀମାନେ ବୈଠକରେ କହିଥିଲେ । ସୂଚନାଯୋଗ୍ୟ, ଆସନ୍ତା ମାସ ଏଫ୍ଏଟିଏଫ୍ରେ ପାକିସ୍ତାନକୁ ନେଇ ସମୀକ୍ଷା କରାଯିବ । ବେଆଇନ ଅର୍ଥ କାରବାର ଏବଂ ଆତଙ୍କବାଦ କାର୍ଯ୍ୟକଳାପରେ ପାଣ୍ଠି ଯୋଗାଣକୁ ନିୟନ୍ତ୍ରଣ କରିଥାଏ ଏଫ୍ଏଟିଏଫ୍ । ପାକିସ୍ତାନ ଏଭଳି କାର୍ଯ୍ୟରେ ନିୟୋଜିତ ହୋଇଥିବା ଅନେକ ଅଭିଯୋଗ ରହିଛି । ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇ ଆସିଥିବା ପାକିସ୍ତାନ ଏଥିରେ ଅନେକ ପାଣ୍ଠି ବିନିଯୋଗ କରୁଛି, ଯେଉଁଥିପାଇଁ ଅନେକ ଜୀବନହାନି ଏବଂ ସାଧାରଣ ସମ୍ପତ୍ତି ନଷ୍ଟ ହେଉଥିବା ଅଭିଯୋଗ ଅଛି । ଏହା ଉପରେ ସମୀକ୍ଷା କରାଯାଇ ଏଫ୍ଏଟିଏଫ୍ରେ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ କରାଯିବ ।
ଭୟଙ୍କର ଆତଙ୍କବାଦୀ ତଥା ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାରକୁ ଶରଣ ଦେଇଥିବା ପାକିସ୍ତାନ ଏହାର ଅର୍ଥନୀତିକୁ ଟ୍ରାକ୍କୁ ଆଣିବା ପାଇଁ ଆଇଏମ୍ଏଫ୍ଠାରୁ ୮୦୦ରୁ ୧୨୦୦ କୋଟି ଡଲାରର ଆର୍ଥିକ ସାହାଯ୍ୟ ଲୋଡୁଛି । ଗତ ୩ ବର୍ଷ ମଧ୍ୟରେ ଦେଶର ବିତ୍ତୀୟ ନିଅଣ୍ଟ ୬ ଗୁଣ ବୃଦ୍ଧି ପାଇ ୧୮୦୦ କୋଟି ଡଲାର ଟପିଯାଇଛି । ଯଦି ଏଥର ଆଇଏମ୍ଏଫ୍ ଏହାକୁ ଋଣ ଦିଏ ତା’ହେଲେ ଏହା ହେବ ପାକିସ୍ତାନକୁ ଆଇଏମ୍ଏଫ୍ର ୨୨ ତମ ଆର୍ଥିକ ସହାୟତା ।
ଗୁରୁବାର ପାକିସ୍ତାନ ଅର୍ଥମନ୍ତ୍ରୀ ଆସଦ ଉମର ପଦରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ସେ କହିଥିଲେ ଯେ, ଆଇଏମ୍ଏଫ୍ ସହ ଆର୍ଥିକ ପ୍ୟାକେଜ୍ ନେଇ କଥାବାର୍ତ୍ତା ଅନ୍ତିମ ସୋପାନରେ ଅଛି । କିନ୍ତୁ ଏହା ପରେ ଖବର ଆସିଥିଲା ଯେ, ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରକୁ ନେଇ ଆଇଏମ୍ଏଫ୍ ଚିନ୍ତା ମଧ୍ୟରେ ଅଛି । ଆଇଏମ୍ଏଫ୍ କାର୍ଯ୍ୟକ୍ରମ ଉପରେ ଏହି ଅର୍ଥନୈତିକ କରିଡରର ପ୍ରଭାବକୁ ନେଇ ଆଇଏମଏଫ୍ ଚିନ୍ତିତ ଥିବା ଏକ ରିପୋର୍ଟରୁ ଜଣାଯାଇଛି ।
ଗତ ସୋମବାର ଆସଦ ଉମର ସୂଚନା ଦେଇଥିଲେ ଯେ, ଏଫ୍ଏଟିଏଫ୍କୁ ପାକିସ୍ତାନ ଅନୁପାଳନ ରିପୋର୍ଟ ଦେଇସାରିଛି ଏବଂ ଚଳିତ ମାସ ଶେଷ ସୁଦ୍ଧା ଆଇଏମ୍ଏଫ୍ର ପ୍ରତିନିଧି ଦଳ ପାକିସ୍ତାନ ଗସ୍ତରେ ଆସିବେ ।