ପୁଣିଥରେ ଭାରତୀୟ ସୀମାକୁ ପ୍ରବେଶ କଲା ପାକିସ୍ତାନୀ ୟୁଏଭି

ଜୟପୁର,୯।୩: ପାକିସ୍ତାନ ପୁଣିଥିରେ ଭାରତୀୟ ସୀମାକୁ ୟୁଏଭି ପଠାଇ ନିଜର ଅସଲ ମୁଖା ଖୋଲିଦେଇଛି। ଗତ ରାତିରେ ରାଜସ୍ତାନର ଶ୍ରୀ ଗଙ୍ଗାନଗର ପାଖ ହିନ୍ଦୁମଲକୋଟ ସୀମା ନିକଟରେ ପାକିସ୍ତାନ ଦୁଇଥର ୟୁଏଭି ପଠାଇଥିଲା। ଭାରତ-ପାକିସ୍ତାନ ସୀମା ନିକଟରେ ଏବେ ସ୍ଥିତି ଖୁବ୍ ଉତ୍ତେଜନାପୂର୍ଣ୍ଣ ରହିଛି। ଗତ କାଲି ପାକିସ୍ତାନ ପକ୍ଷରୁ ଭାରତର କିଛି ମତ୍ସ୍ୟଜୀବିଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଯାହାପରେ ଭାରତୀୟ ନେଭି ଓ ବିଏସ୍ଏଫ୍ ସମ୍ପୂର୍ଣ୍ଣ ଭାବରେ ସତର୍କ ହୋଇଯାଇଥିଲା।
ଉଲ୍ଳେଖନୀୟ ଯେ ସୀମା ସୁରକ୍ଷାବଳ ଶୁକ୍ରବାର-ଶନିବାର ରାତି ୨ଟା ବେଳେ ଭାରତୀୟ ସୀମାରେ ପାକିସ୍ତାନର ୟୁଏଭି ଦେଖିବାକୁ ପାଇଥିଲା। ଏହାପରେ ତାକୁ ଧ୍ବଂସ କରିବା ପାଇଁ ଫାୟାରିଂ କରିବା ଆରମ୍ଭ କରିଥିଳା। କିନ୍ତୁ ଫାୟାରିଂ କାରଣରୁ ୟୁଏଭି ଫେରିଯାଇଥିଲା। ତେବେ ଆଜି ସକାଳ ୫ଟା ୩୦ ମିନିଟ ସମୟରେ ପୁଣିଥରେ ସୀମା ଭିତରକୁ ପଶି ଆସିଥିଲା। ଦୁଇ ବିଏସ୍ଏଫ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏହି ମାମଲା ପରେ ଏବେ ବିଏସଏଫ୍ ପକ୍ଷରୁ ପାକିସ୍ତାନୀ ରେଞ୍ଜରଙ୍କୁ ପ୍ରୋଟେଷ୍ଟ ନୋଟ୍ ଦିଆଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ୧୯୭୧ ପରେ ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ଗୁଳିକାଣ୍ଡ ଶୁଣିବାକୁ ମିଳିଥିଲା। ରାତି ଓ ସକାଳେ ଲଗାତାର ଗୁଳିକାଣ୍ଡ ହେବା ଯୋଗୁଁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଥିଲେ।