ସକାଳେ ପାକ୍ ଜେଟ୍ ଭାରତୀୟ ସୀମାକୁ ପଶିଆସିଥିଲା, ଏବେ କହୁଛି ଆମେ ଯୁଦ୍ଧ ଚାହୁଁନୁ

ନୁଆଦିଲ୍ଲୀ ୨୭/୨: ଆଜି(ବୁଧବାର) ସକାଳେ ପାକିସ୍ତାନୀ ଜେଟ୍ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିଥିଲା । ପାକ୍ ବିମାନ ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ନୌଶେରା ସେକ୍ଟରର ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିଥିଲା । ଭୀମବର ଓ ଲାମରେ ୩ଟି ପାକ୍ ଜେଟ୍ ସୀମା କ୍ଷେତ୍ର ଉଲ୍ଲଙ୍ଘନ କରିଥିଲେ କିନ୍ତୁ ଭାରତର କଡା ଜବାବରେ ଫେରିଯାଇଥିଲେ ।
ଠିକ୍ ଏହା ପରେ ପାକ୍ ସେନା ଏକ ପ୍ରେସ୍ କନଫରେନ୍ସ ଡକାଇଥିଲା । ଏଥିରେ ପାକ୍ ସେନା ପ୍ରବକ୍ତା ଆସିଫ୍ ଗଫୁର କହିଥିଲେ ଯେ ଆମେ ଯୁଦ୍ଧ ଚାହୁଁନୁ । ଆମେ ଶାନ୍ତିର ପକ୍ଷଧର । ଏବେ ପାକିସ୍ତାନ ଭାରତ ସହିତ ଶାନ୍ତିର ସହିତ ଆଲୋଚନା କରିବାକୁ ଚାହୁଁଛି । ଏହା ସହିତ ଭାରତ, ପାକିସ୍ତାନର ଏକ ଏଫ୍-୧୬ ଖସାଇବା ସମ୍ପର୍କରେ ମଧ୍ଯ ମତ ରଖିଛନ୍ତି । ସେ କହିଛନ୍ତି ଯେ ଏସମସ୍ତ ଅପରେସନରେ ପାକିସ୍ତାନ ଏପର୍ଯ୍ଯନ୍ତ ଏଫ୍-୧୬ ବ୍ଯବହାର କରିନି । ସେ ଏହାମଧ୍ଯ କହିଛନ୍ତି ଯେ ଏପରି କିଛି ଖବର ମିଳିନି ଯେ ପାକିସ୍ତାନର କୌଣସି ଜାହାଜ ଖସିଛି ।