ଭାରତୀୟ ସେନାର ଆକ୍ରମଣ ଭୟ: ପିଓକେରେ ୪ ଲସ୍କର କ୍ୟାମ୍ପ ବନ୍ଦ କଲା ପାକ୍

ନୂଆଦିଲ୍ଲୀ,୨୮ ।୩(ଏଜେନ୍ସି): ବାଲାକୋଟରେ ଭାରତ ଦ୍ୱାରା ବିମାନ ଆକ୍ରମଣ ପରେ ପାକିସ୍ତାନୀ ସେନା ଏବଂ ଆଇଏସଆଇ ପୂରା ଭୟଭୀତ ହୋଇପଡିଛନ୍ତି । ସେମାନେ ଭାରତ ପୁଣି ଥରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପାକିସ୍ତାନୀ ସେନା ପିଓକେରେ ଥିବା ଚାରିଟି ଆତଙ୍କବାଦୀ କ୍ୟାମ୍ପକୁ ବନ୍ଦ କରିଦେଇଛି । ଭାରତୀୟ ସେନା ଏହି କ୍ୟାମ୍ପଗୁଡକି ଉପରେ ଆକ୍ରମଣ କରିପାରେ ବୋଲି ପାକ୍ ସେନା ଆଶଙ୍କା କରୁଛି । ଭାରତୀୟ ଗୁଇନ୍ଦା ସଂସ୍ଥା ଦେଇଥିବା ସୂଚନା ଅନୁସାରେ, ଚଳିତ ମାସ ୧୬ ତାରିଖରେ ପିଓକେର ନିକିଆଲ ନାମକ ସ୍ଥାନରେ ଏକ ଗୁପ୍ତ ବୈଠକ ଆୟୋଜନ କରାଯାଇଥିଲା ।
ଏଥିରେ ପାକ୍ ସେନାର ଦୁଇ ଜଣ, ଆଇଏସଆଇର ଦୁଇ ଜଣ ଅଧିକାରୀ ଏବଂ ଲସ୍କର-ଇ-ତୋଇବାର କମାଣ୍ଡର ଅସଫାକ୍ ବରୱାଲ ଯୋଗ ଦେଇଥିଲେ । ଏହି ବୈଠକରେ ପାକ୍ ସେନା ଲସ୍କରକୁ ତୁରନ୍ତ ଏଲଓସିର ଅତି ନିକଟରେ ଥିବା ଚାରିଟି କ୍ୟାମ୍ପକୁ ବନ୍ଦ କରିଦେବାକୁ କହିଥିଲା । ପିଓକେର ନିକିଆଲ ଏବଂ କୋଟଲିରେ ଏହି ଚାରିଟି କ୍ୟାମ୍ପ ସଂଚାଳନ କରାଯାଉଥିଲା । ଭାରତର ସୁନ୍ଦରବନି ଏବଂ ରାଜୌରି ସେକ୍ଟରର ବପିରୀତ ପାଶ୍ୱର୍ରେ ଏହି କ୍ୟାମ୍ପଗୁଡିକ ଥିଲା । ପାକ୍ ସେନା ଆଶଙ୍କା କରୁଛି କି ସିଏ ଏଲଓସି ନିକଟରେ ଯେପରି ଗୁଳିଗୋଳା ମାଡ଼ କରୁଛି, ତାହାର ଜବାବରେ ଭାରତୀୟ ସେନା ପିଓକେର କିଛି ବଡ଼ ଧରଣର ଆକ୍ରମଣ କରିପାରେ । ସେପରି ହେଲେ ଭାରତୀୟ ସେନା ପ୍ରଥମେ ସେଇ ଚାରିଟି କ୍ୟାମ୍ପକୁ ଟାର୍ଗେଟ କରିପାରେ । ତେଣୁ ସେଗୁଡିକୁ ବନ୍ଦ କରିବାକୁ ସିଏ ନିର୍ଦ୍ଦେଶ ଦେଇଥିଲା ।
ପାକ୍ ସେନା ମଧ୍ୟ ଏଲଓସି ନିକଟରେ ଥିବା ଆଉ କେତେକ ଆତଙ୍କବାଦୀ କ୍ୟାମ୍ପକୁ ନିଜ ଆଡ୍ଡାକୁ ସ୍ଥାନାନ୍ତରିତ କରିଦେଇଛି । ପ।କ୍ ସେନା ମଧ୍ୟ ଆତଙ୍କବାଦୀମାନଙ୍କୁ ପରାମର୍ଶ ଦେଇଛି କି ସେମାନେ କ୍ୟାମ୍ପ ଭିତରୁ ବାହାରିଲା ସବୁବେଳେ ପାକ୍ ସେନାର ୟୁନିଫର୍ମ ପରିଧାନ କରନ୍ତୁ । ଏପରି କଲେ ସେମାନେ ଆତଙ୍କବାଦୀ ବୋଲି ଭାରତ ଜାଣିପାରିବ ନାହିଁ । ସେମାନଙ୍କୁ ପାକ୍ ସୈନିକ ମନେ କରି ଭାରତ ଆଉ ସେମାନଙ୍କ ଉପରେ ଆକ୍ରମଣ କରିବ ନାହିଁ । ଭାରତ ନିଜର ଗୁଇନ୍ଦା ଉପଗ୍ରହ ଜରିଆରେ ପାକ୍ରେ ଥିବା ଆତଙ୍କୀ କ୍ୟାମ୍ପଗୁଡିକ ଉପରେ ଲଗାତର ନଜର ରଖୁଥିବାରୁ ପାକ୍ ସେନା ଏଭଳି ପରାମର୍ଶ ଜାରି କରିଛି ।