ପାକିସ୍ତାନୀ ସାଂସଦଙ୍କ କଳାକାରନାମା, ୬୨ ବର୍ଷ ବୟସରେ କରୁଥିଲେ ୧୪ ବର୍ଷିୟା ନାବାଳିକାଙ୍କ ସହ ବିବାହ

amarujala
ନୂଆଦିଲ୍ଲୀ, ୨୩/୨ : ବାଲ୍ୟ ବିବାହକୁ ନେଇ ସାରା ଦୁନିଆରେ ସ୍ଵର ଉତ୍ତୋଳନ କରାଯାଉଥିବା ବେଳେ ପାକିସ୍ତାନର ବେଲୁଚିସ୍ତାନର ଜଣେ ସାଂସଦ ଏକ ନିନ୍ଦନୀୟ କାମ କରିଛନ୍ତି। ବେଲୁଚିସ୍ତାନର ଜଣେ ୬୨ ବର୍ଷୀୟ ସାଂସଦ ମୌଲାନା ସକାହଉଦ୍ଦୀନ ଅୟୁବୀ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ବିବାହ କରିଛନ୍ତି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସେଠାକାର ସରକାର ଯାଞ୍ଚ୍ ନିର୍ଦ୍ଦେଶ ଦେଇଛନ୍ତି। ଏକ ଏନଜିଓ ଠାରୁ ପୋଲିସ ଏହି ବିବାହ ବିଷୟରେ ସୂଚନା ପଇବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସଲାହଉଦ୍ଦୀନ ବେଲୁଚିସ୍ତାନର ଚିତ୍ରାଲର ସାଂସଦ। ସେ ବିବାହ କରିଥିବା ନାବାଳିକାଙ୍କୁ ମାତ୍ର ୧୪ ବର୍ଷ। ଉକ୍ତ ନାବାଳିକାଙ୍କ ସ୍କୁଲରୁ ମିଳିଥିବା ପ୍ରମାଣପତ୍ର ଅନୁଯାୟୀ, ୨୦୦୬ ଅକ୍ଟୋବର ୨୮ ହେଉଛି ତାଙ୍କ ଜନ୍ମ ତାରିଖ। ତେବେ ଏନେଇ ଅଭିଯୋଗ ହେବାପରେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ନାବାଳିକା ଘରେ ପଚରାଉଚୁରା କରିଥିଲା। ଏନେଇ ନାବାଳିକାଙ୍କ ପିତା କହିଛନ୍ତି ଯେ, ତାଙ୍କ ଝିଅର ବିବାହ ହୋଇନାହିଁ। ସେ ସଲାହଉଦ୍ଦୀନ ପାଖକୁ ତାଙ୍କ ଝିଅକୁ ପଠାଇବେ ନାହିଁ। ତେବେ ସ୍ଥାନୀୟ ପୋଲିସ ଏହି ଘଟଣା ଉପରେ ନଜର ରଖିଛି।
ପାକିସ୍ତାନର ନିକାହ ଆଇନ ଅନୁଯାୟୀ, ଏଠାକାର ଝିଅମାନଙ୍କର ବିବାହ ବୟସ ହେଉଛି ୧୬ ବର୍ଷ। ଯଦି ୧୬ ବର୍ଷରୁ କମ୍ ବୟସରେ ନାବାଳିକାଙ୍କ ପରିବାର ଲୋକେ ବିବାହ କରାଇବେ ତେବେ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି।