ଭାରତର ଚାପ: ମୁଣ୍ଡ ନୁଆଁଇଲା ପାକିସ୍ତାନ

ନୂଆଦିଲ୍ଲୀ,୧୧ ।୫(ଏଜେନ୍ସି): ଭାରତର କୂଟନୈତିକ, ଆର୍ଥିକ ଓ ସାମରିକ ଚାପକୁ ଆଉ ପାକିସ୍ତାନ ସମ୍ଭାଳିପାରୁନାହିଁ । ପୁଲୱାମା ବିସ୍ଫୋରଣ ପର ଠାରୁ ମୋଦି ସରକାର ପାକିସ୍ତାନ ବିରୋଧରେ ଯେପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ତାହାଯୋଗୁ ତା’ର ଅବସ୍ଥା ଅସମ୍ଭାଳ ହେଲାଣି । ଉପରେ ଉପରେ ମୁହଁ ଫୁଟାଣି ମାରୁଥିଲେ ହେଁ ଭିତରେ ଭିତରେ ପାକିସ୍ତାନ ଭୟଭୀତ ହୋଇପଡିଲାଣି । ତେଣୁ ଭାରତ ସହିତ ସୀମାରେ ଉତ୍ତେଜନା ହ୍ରାସ କରିବାକୁ ପାକିସ୍ତାନ ଏବେ ତା’ ନିଜ ଆଡୁ କିଛି ପ୍ରସ୍ତାବ ଦେଇଛି । ପାକିସ୍ତାନ କହିଛି କି ଭାରତର ଚିନ୍ତା ଦୂର କରିବାକୁ ସିଏ ସୀମାରୁ ତା’ର କମାଣ୍ଡୋ ୟୁନିଟକୁ ହଟାଇବାକୁ ରାଜି ଅଛି । ସେହିପରି ଉଭୟ ଦେଶ ସୀମାରେ ତୋପ ବ୍ୟବହାର ନକରିବାକୁ ବୁଝାମଣା କରିବା ପାଇଁ ସିଏ ମତ ଦେଇଛି । ବିଧିବଦ୍ଧ ଭାବେ ପାକ୍‌ ସେନା ତରଫରୁ ଭାରତୀୟ ସେନାକୁ ଏଭଳି ପ୍ରସ୍ତାବ ଦିଆଯାଇଛି ।

ଭାରତୀୟ ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦେଶର ସେନାବାହିନୀର ସାମରିକ କାର୍ଯ୍ୟାନୁଷ୍ଠାନ ବିଭାଗର ମହାନିର୍ଦ୍ଦେଶକ(ଡିଜିଏମଓ)ମାନେ ନିୟମିତ ଭାବେ ପରସ୍ପର ସହିତ କଥା ହୋଇଥାନ୍ତି । ଏ ପ୍ରକାର କଥାବାର୍ତ୍ତା ବେଳେ ପାକିସ୍ତାନ ଏଭଳି ପ୍ରସ୍ତାବ ଦେଇଛି । ପାକିସ୍ତାନର ପ୍ରସ୍ତାବ ଅନୁସାରେ, ସିଏ ତା’ର ସ୍ପେଶାଲ ସର୍ଭିସ ଗ୍ରୁପ୍‌ (କମାଣ୍ଡୋ ୟୁନିଟ)କୁ ଏଲଓସିରୁ ଅନ୍ୟତ୍ର ହଟାଇନେବ । ଏହି କମାଣ୍ଡୋ ୟୁନିଟର ସଦସ୍ୟମାନେ ଭାରତୀୟ ସୀମା ଭିତରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ସେହିପରି ପାକିସ୍ତାନୀ ସେନା ଦ୍ୱାରା ଗଠିତ ବର୍ଡର ଆକ୍ସନ ଟିମରେ ବି ଏମାନେ ସାମିଲ ଥାଆନ୍ତି । ଏହି ଟିମ୍‌ ଭାରତୀୟ ସେନାର ଛାମୁଆ ପୋଷ୍ଟଗୁଡିକ ଉପରେ ଲୁଚିଛପି ଆକ୍ରମଣ କରିଥାଏ । ଏହି ଟିମର ଆକ୍ରମଣରେ ଭାରତର ଅନେକ ଅଧିକାରୀ ଓ ଯବାନ ସହିଦ ହୋଇଛନ୍ତି । ତେଣୁ ଭାରତର ଚିନ୍ତାକୁ ଦୂର କରିବା ଲକ୍ଷ୍ୟରେ ପାକ୍‌ ସେନା ଏହି ୟୁନିଟକୁ ଏବେ ଏଲଓସିରୁ ହଟାଇନେବ । ସେହିପରି ଏଲଓସିରେ ଉଭୟ ଦେଶ ଆଉ କେବେ ତୋପ ବ୍ୟବହାର ନକରିବାକୁ ବି ସିଏ ନିଜ ଆଡୁ ପ୍ରସ୍ତାବ ଦେଇଛି ।

ଭାରତୀୟ ସେନା ଆହୁରି ମଧ୍ୟ କହିଛି କି ବାଲାକୋଟରେ ଭାରତ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ଓ ତା’ ପରେ ଭାରତୀୟ ସେନାର ଆକ୍ରମଣାତ୍ମକ ଆଭିମୁଖ୍ୟର ଭଲ ଅସର ଦେଖିବାକୁ ମିଳୁଛି । ବାଲାକୋଟରେ ଭାରତର ବିମାନ ଆକ୍ରମଣ ପରେ ପାକିସ୍ତାନୀ ସେନା ଏତେମାତ୍ରାରେ ଡରିଯାଇଛି ଯେ ସିଏ ସେବେଠାରୁ ଭାରତ ଭିତରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ବନ୍ଦ କରିଦେଇଛି । ଏମିତିକି ପାକ୍‌ ସେନା ବାଟ୍‌ ଟିମ୍‌ ବ୍ୟବହାର କରି ଆଉ ସୀମାରେ ଛୋଟମୋଟ ଟାକ୍‌ଟିକାଲ ଅପରେସନ ବି କରିନାହିଁ । ଏସବୁରୁ ପାକ୍‌ ସେନା ଭାରତକୁ କେତେ ଭୟ କରୁଛି, ତାହା ସ୍ପଷ୍ଟ ହୋଇଛି । ପାକିସ୍ତାନୀ ସେନାର ଏଭଳି ପ୍ରସ୍ତାବ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ପଠାଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନିରବତା ଅବଲମ୍ବନ କରୁଛି ।

ଉଲ୍ଲେଖଯୋଗ୍ୟ ଯେ, ପୁଲୱାମା ବିସ୍ଫୋରଣ ପରେ ଭାରତ ଦ୍ୱାରା ପାକିସ୍ତାନର ବାଲାକୋଟରେ ବିମାନ ଆକ୍ରମଣ କରାଯାଇଥିଲା । ଏହାପରେ ବି ଭାରତୀୟ ସେନାର ତିନି ବାହିନୀଙ୍କୁ ଯେକୌଣସି ମୁହୂର୍ତ୍ତରେ ପାକିସ୍ତାନ ସହିତ ଯୁଦ୍ଧ ପାଇଁ ତୟାର ରଖାଯାଇଛି । ଭାରତୀୟ ବାୟୁସେନାର ଯୁଦ୍ଧବିମାନଗୁଡିକ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ଅଛନ୍ତି । ସ୍ଥଳସେନା ସୀମାରେ ନିଜର ଷ୍ଟ୍ରାଇକ୍‌ କର୍ପସ ଓ ଅନ୍ୟାନ୍ୟ ୟୁନିଟଗୁଡିକୁ ମୁତୟନ କରିଛି । ନୌସେନା ମଧ୍ୟ ଆରବ ସାଗରରେ ନିଜର ଅଧିକାଂଶ ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜକୁ ମୁତୟନ କରିଛି । ବର୍ତ୍ତମାନ ଭାରତରେ ସାଧାରଣ ନିର୍ବାଚନ ଚାଲିଥିବା ସତ୍ତେ୍ୱ ଭାରତ ସୀମାରୁ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ହଟାଇବାକୁ ପାକିସ୍ତାନ ଦ୍ୱାରା ପୂର୍ବରୁ ଦିଆଯାଇଥିବା ପ୍ରସ୍ତାବକୁ ଅସ୍ୱୀକାର କରିଦେଇଛି । ଭାରତ ସ୍ପଷ୍ଟ ଭାବେ କହିଛି ଯେ ଯଦି ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡିକ ଉପରେ ଲଗାମ ନଲଗାଏ, ତାହାହେଲେ ତା’ର ଗମ୍ଭୀର ପରିଣାମ ଭୋଗ କରିବାକୁ ସିଏ ପ୍ରସ୍ତୁତ ରହୁ । ଏମିତିକି ଆମେରିକାର ଟ୍ରମ୍ପ ପ୍ରଶାସନ ବି ପାକିସ୍ତାନକୁ କହିଦେଇଛି ଯଦି ଭାରତ ଉପରେ ଆଉ ଗୋଟିଏ ବି ଆତଙ୍କବାଦୀ ଆକ୍ରମଣ ହୁଏ, ତାହାହେଲେ ପାକିସ୍ତାନ କଠିନ ପରିସ୍ଥିତିର ସାମ୍ନା କରିବ । ଭାରତ ମଧ୍ୟ କୂଟନୈତିକ ସ୍ତରରେ ଚାପ ପକାଇ ପାକିସ୍ତାନକୁ ନାକେଦମ କରିସାରିଲାଣି । ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିଲାବେଳେ ଭାରତର ଚାପ ତା’ ପାଇଁ ଅସହ୍ୟ ହେଲାଣି । ତେଣୁ ସିଏ ଏଥିରୁ ମୁକ୍ତି ପାଇବାକୁ ଏବେ ଉପରୋକ୍ତ ପ୍ରସ୍ତାବ ଦେଇଛି ।

   ସମ୍ବନ୍ଧିତ ଖବର


ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ