ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

ନୂଆଦିଲ୍ଲୀ, ୨୩/ ୧୦: ପାକିସ୍ତାନକୁ ଆଉ ଏକ ଝଟକା। ପୁଣିଥରେ ନିରାଶ ହେଲା ପାକିସ୍ତାନ। ଗ୍ରେ ଲିଷ୍ଟରୁ ବାଦ ପଡ଼ିବା ପାଇଁ ପାକିସ୍ତାନ ଲୋକ ଦେଖାଣିଆ କାର୍ଯ୍ୟ କରିଥିଲା। ତା ସତ୍ତ୍ବେ ପାକିସ୍ତାନକୁ ନିରାଶ ହେବାକୁ ପଡ଼ିଛି। ଶୁକ୍ରବାର ଦିନ ଆତଙ୍କବାଦୀ ଫଣ୍ଡିଙ୍ଗ୍‌ ଓ ମନି ଲାଣ୍ଡ୍ରିରି ଉପରେ ନଜର ରଖୁଥିବା ଦୁନିଆର ସବୁଠୁ ବଡ଼ ସଂସ୍ଥା ଫାଇନାସନାଲ ଆକ୍ସାନ୍‌ ଟାସ୍କ ଫୋର୍ସ(FATF) ପାକିସ୍ତାନକୁ ଗ୍ରେ ଲିଷ୍ଟ ବା ସନ୍ଦେହ ଲିଷ୍ଟରେ ହିଁ ରଖିଛି। ଆସନ୍ତା ବର୍ଷ ଫେବୃଆରୀ ମାସ ଯାଏ ଏହି ତାଲିକାରେ ରହିବ ପାକିସ୍ତାନ।

FATF ପକ୍ଷରୁ କୁହାଯାଇଛି ଯେ, ଗ୍ରେ ଲିଷ୍ଟରୁ ବାଦ ପଡ଼ିବା ପାଇଁ ପାକିସ୍ତାନକୁ ୨୭ ପଏଣ୍ଟ ସମ୍ବଳିତ କାର୍ଯ୍ୟ କରିବାକୁ କୁହାଯାଇଥିଲା। ହେଲେ ପାକିସ୍ତାନ ସେହି କାର୍ଯ୍ୟକୁ ପୂରଣ କରି ପାରି ନାହିଁ। ପାକିସ୍ତାନ ମୋଟ ୨୧ଟି ପଏଣ୍ଟ ଉପରେ କାର୍ଯ୍ୟ କରିଛି। ଯଦି ଆଗକୁ ପାକିସ୍ତାନ ଆଗକୁ ୨୭ ପଏଣ୍ଟ ସମ୍ବଳିତ କାର୍ଯ୍ୟକୁ ପୂରଣ ନ କରେ ତେବେ ପାକିସ୍ତାନକୁ କଳା ତାଲିକାଭୂକ୍ତ କରାଯିବ ବୋଲି FATF ଚେତାବନୀ ଦେଇଛି। ସୂଚନାଥାଉକି, ଜୁନ୍‌ ୨୦୧୮ ମସିହାରୁ ଗ୍ରେ ଲିଷ୍ଟରେ ସାମିଲ ହୋଇଛି ପାକିସ୍ତାନ୍।

ପାକିସ୍ତାନ ପୁଣିଥରେ ଗ୍ରେ ଲିଷ୍ଟ ରହିଥିବାରୁ ଇମ୍ରାନ୍‌ ଖାନ ସରକାରଙ୍କ ଅଡ଼ୁଆ ବଢ଼ିଛି। କାରଣ ଆଇଏମ୍‌ଏଫ୍‌ ଓ ବିଶ୍ବ ବ୍ୟାଙ୍କ ପାକିସ୍ତାନକୁ ଆର୍ଥିକ ସହାୟତା ଦେବା ପୂର୍ବୁ ଅନେକ ଦିଗ ପ୍ରତି ବିଚାର ବିମର୍ଶ କରିବେ। ଯଦି ଏହି ୨ ସଂସ୍ଥାକୁ ଆଶ୍ବସ୍ତିଜନକ ରିପୋର୍ଟ ମିଳେ ତେବେ ଯାଇ ପାକିସ୍ତାନକୁ ସହାୟତା ମିଳିପାରିବ।