ଦାରିଦ୍ର‌୍ୟ ନୁହେଁ ଦରିଦ୍ରଙ୍କୁ ହଟାଉଛି ପାକ୍‌

ଇସ୍‌ଲାମାବାଦ/କରାଚି,୫ା୪(ଏଜେନ୍ସି): ପାକିସ୍ତାନ ଅର୍ଥନୀତି ଏବେ ତଳିତଳାନ୍ତ । ଖାଦ୍ୟ ପଦାର୍ଥ, ଇନ୍ଧନ, ଅତ୍ୟାବଶ୍ୟକ ସାମଗ୍ରୀ ସବୁକିଛି ଏଠି ମହଙ୍ଗା । ଦାରିଦ୍ର ହଟାଇବାର ପ୍ରତିଶ୍ରୁତି ଦେଇଥିବା ଇମ୍ରାନ ଖାନ ସରକାର ଦରିଦ୍ରମାନଙ୍କୁ ହଟାଇ ଦେଉଛନ୍ତି । ଏଠାରେ ଖାଇପିଇ ବଞ୍ଚିବା ଦରିଦ୍ରଙ୍କ ପାଇଁ ଅସମ୍ଭବ ପାଲଟିଲାଣି । ଏଭଳି କ୍ଷେତ୍ରରେ ଇମ୍ରାନ ଖାନ୍‌କୁ ଭୋଟ ଦେଇ ପଶ୍ଚାତାପ କରୁଛନ୍ତି ଦେଶବାସୀ ।

ଦେଶରେ ପେଟ୍ରୋଲ ଦର ଆକାଶ ଛୁଇଁଛି । ଗାଡ଼ିରେ ଇନ୍ଧନ ପକାଇବା ଅଧିକାଂଶଙ୍କ ପାଇଁ ସମ୍ଭବ ହେଉନାହିଁ । ଟ୍ୟାକ୍ସି ଚାଳକମାନଙ୍କ ଆୟ ଅଧା ହୋଇଯାଇଛି । ୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି ମୁଦ୍ରାସ୍ଫୀତି । ଏଭଳି ସ୍ଥିତିରେ ଇମ୍ରାନ୍‌ ଖାନ୍‌ଙ୍କୁ ଭୋଟ ଦେଇ ଜିତାଇଥିବା ଶହ ଶହ ପାକିସ୍ତାନବାସୀ ଏବେ ଆଚମ୍ବିତ । ସରକାରଙ୍କ ଉପରେ ଏମାନଙ୍କ ଆସ୍ଥା ଏକ୍‌ଦମ୍‌ ତୁଟିଯାଇଛି । ସେମାନେ ଜାଣି ସାରିଲେଣି ଅର୍ଥନୀତି ସମୁଦ୍ର ମୁହଁରେ ଛିଡା ହୋଇଛି । କେତେବେଳେ ଜୁଆରରେ ଭାସିଯିବ କହିହେବ ନାହିଁ । ନିର୍ବାଚନୀ ପ୍ରତିଶ୍ରୁତି ଭାବେ ଇମ୍ରାନ ଦାରିଦ୍ର‌୍ୟ ଦୂରୀକରଣ, ନିଯୁକ୍ତି ସୃଷ୍ଟି ଏବଂ ଏକ ଇସ୍‌ଲାମିକ୍‌ କଲ୍ୟାଣ ରାଷ୍ଟ୍ରର ପ୍ରତିଷ୍ଠା ଉପରେ ଜୋର ଦେଇଥିଲେ । କିନ୍ତୁ ତାଙ୍କର ସବୁ ପ୍ରତିଶ୍ରୁତି ଫସର ଫାଟିଛି । ଅର୍ଥନୀତିର ଅବସ୍ଥା ଭୟଙ୍କର ହୋଇଯାଇଛି ।

ପାକିସ୍ତାନର ଏକ ଟାକ୍ସି ଚାଳକ ୟଶିର ସୁଲ୍‌ତାନ କହିଛନ୍ତି ଯେ, ଇମ୍ରାନ୍‌ ଖାନ ଦାରିଦ୍ର ଦୂର କରିବାର ବଡ଼ ପ୍ରତିଶ୍ରୁତି ଦେଇଥିଲେ । ଦାରିଦ୍ର‌୍ୟ ଦୂର କରିବା ବଦଳରେ ସେ ଏବେ ଦରିଦ୍ରମାନଙ୍କୁ ହଟାଉଛନ୍ତି । ସେ ଆହୁରି କହିଛନ୍ତି ଯେ, ବେଳେ ବେଳେ ମନ ହେଉଛି ନିଜ ଟ୍ୟାକ୍ସିକୁ ଜଳାଇ ଦେବା ପାଇଁ । ଦେଶର ଚଳନ୍ତି ଖାତା ନିଅଣ୍ଟ ରେକର୍ଡ ସ୍ତରରେ ପହଞ୍ଚିଯାଇଛି । ଏହା ବର୍ତ୍ତମାନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌)ଠାରୁ ୧୩ ତମ ଆର୍ଥିକ ପ୍ୟାକେଜ୍‌ ଅପେକ୍ଷାରେ ରହିଛି । ବର୍ତ୍ତମାନ ସରକାର କ’ଣ କରିବେ ତାହା ଚିନ୍ତା କରିପାରୁନାହାନ୍ତି । କଡା ନୀତି ନିର୍ଦ୍ଧାରଣ କରି ଅର୍ଥନୀତିକୁ ସମ୍ଭାଳିବେ ନା ବାଲାନ୍ସ ଅଫ୍‌ ପେମେଣ୍ଟ ସଙ୍କଟକୁ ସାମ୍ନା କରିବେ ତାହା ସରକାର ଜାଣିପାରୁ ନାହାନ୍ତି । ବାଲାନ୍ସ ଅଫ୍‌ ପେମେଣ୍ଟ ସଙ୍କଟରେ ଅର୍ଥନୀତି ଏକ୍‌ଦମ୍‌ ବୁଡିଯିବ ।

ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ମାତ୍ର ୮୫୦ କୋଟି ଡଲାର ରହିଛି, ଯାହାକି ମାତ୍ର ୨ ମାସର ଆମଦାନି କରିପାରିବ । ମାର୍ଚ୍ଚରେ ମୁଦ୍ରାସ୍ଫୀତି ୯.୪%କୁ ବୃଦ୍ଧି ପାଇଛି, ଯାହାକି ୨୦୧୩ ନଭେମ୍ବରରୁ ସର୍ବୋଚ୍ଚ । ଜୁନ୍‌ରେ ଶେଷ ହେବାକୁ ଥିବା ୧୨ ମାସରେ ଦେଶର ଅଭିବୃଦ୍ଧି ୩.୫ରୁ ୪% ରହିବ ବୋଲି ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ଆକଳନ କରିଛି । ସାରା ସଲ୍‌ମାନ ନାମରେ ଜଣେ ମହିଳା କହିଛନ୍ତି ଯେ, ଇମ୍ରାନଙ୍କ ଉପରେ ଭରସା କରି ମୁଁ ପାକିସ୍ତାନ ତେହେରିକ୍‌-ଏ-ଇନ୍‌ସାଫ୍‌(ପିଟିଆଇ)କୁ ଭୋଟ୍‌ ଦେଇଥିଲି । ବର୍ତ୍ତମାନ କିନ୍ତୁ ପଶ୍ଚାତାପ କରୁଛି । ପାକିସ୍ତାନର ମୁଦ୍ରା ମଧ୍ୟ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସୋମବାର ଏଠାରେ ଲିଟର ପିଛା ପେଟ୍ରୋଲ ମୂଲ୍ୟରେ ୬ ଟଙ୍କା ବୃଦ୍ଧି ଘଟି ୯୮.୮୮ ଟଙ୍କା ହୋଇଛି । ଦିନକୁ ୧୦୦୦ରୁ ୧୩୦୦ ଟଙ୍କା ରୋଜଗାର କରୁଥିବା କୁଶଳୀ କର୍ମବଳ ଏବଂ ୬୦୦ରୁ ୮୦୦ ଟଙ୍କା ରୋଜଗାର କରୁଥିବା ଶ୍ରମିକ ଯନ୍ତ୍ରଣା ପାଉଛନ୍ତି । ଇନ୍ଧନ ଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢୁ଼ଛି । ଅଧିକାଂଶ ଲୋକ ଏ ସବୁ କିଣିବା ପାଇଁ ସମର୍ଥ ହେଉନାହାନ୍ତି ।

   ସମ୍ବନ୍ଧିତ ଖବର


ଓ୍ବାଜିଦଙ୍କ ପରଲୋକ ପରେ ପରିବାର ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ପତ୍ନୀ, କହିଲେ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି …

ନାଗାଲାଣ୍ଡର ଏହି ଗାଁରେ ହୀରା ମିଳିବା ଖବର ପରେ ପାହାଡ ଖୋଳିଦେଲେ ଗ୍ରାମବାସୀ

‘ନିବାର’ ବାତ୍ୟା ଯୋଗୁ ବେଳାଭୂମିରେ ଜମା ହେଲା ସୁନା, କଥା ପ୍ରଚାର ହେବା ପରେ ସୁନାର ସନ୍ଧାନ ପାଇଁ ଲାଗିଲା ପ୍ରବଳ ଭିଡ଼

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ

ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର