କାମ ଦେଲାନି ତୁର୍କୀ ଓ ମାଲେସିଆର ସମର୍ଥନ, ଏଫ୍‌ଏଟିଏଫ୍‌ ଗ୍ରେ-ଲିଷ୍ଟରେ ରହିବ ପାକିସ୍ତାନ

ପ୍ୟାରିସ୍‌ ୧୯/୨: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଓ ମନି ଲଣ୍ଡରିଂ ମାମଲାରେ ପାକିସ୍ତାନକୁ ଅନ୍ତର୍ଜାତୀୟ ସଂସ୍ଥା ଏଫଏଟିଏଫ୍‌ (ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ)ରୁ ଜୋର୍‌ଦାର ଝଟ୍‌କା ଲାଗିଛି । ପାକିସ୍ତାନ ବର୍ତ୍ତମାନ ଏଫ୍‌ଏଟିଏଫ୍‌ର ଗ୍ରେ-ଲିଷ୍ଟରେ ରହିବ । ମଙ୍ଗଳବାର ପ୍ୟାରିସରେ ଅନୁଷ୍ଠିତ ଏଫଏଟିଏଫ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଫଳ ହୋଇଥିବାରୁ ପାକିସ୍ତାନକୁ ଏଫଏଟିଏଫ ପୂର୍ବରୁ ଗ୍ରେ-ଲିଷ୍ଟରେ ରଖିଛି । ତେଣୁ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ଏହାକୁ ଗ୍ରେ-ଲିଷ୍ଟରେ ରଖାଯିବ ନା ବାଦ୍‌ ଦିଆଯିବ କିମ୍ବା ଏହାକୁ କଳା ତାଲିକାଭୁକ୍ତ କରାଯିବ ସେହି ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା । ଗ୍ରେ-ଲିଷ୍ଟରୁ ହଟିବା ଲାଗି ପାକିସ୍ତାନ ସବୁ ପ୍ରକାର ପ୍ରୟାସ କରିଥିଲା । ସେଥିପାଇଁ ଏଫ୍‌ଏଟିଏଫ୍‌ ଧାର୍ଯ୍ୟ କରିଥିବା ୨୭ଟି ସର୍ତ୍ତରୁ ପାକିସ୍ତାନ ୧୪ଟି ପୂରଣ କରିଥିବା ନେଇ ସେଠାକାର ଅର୍ଥମନ୍ତ୍ରୀ ହମାଦ ଆଝାର ଦସ୍ତାବିଜ ଦାଖଲ କରିଥିଲେ । ଏପରିକି ତୁର୍କୀ ଓ ମାଲେସିଆ ମଧ୍ୟ ଏହି ପ୍ରସଙ୍ଗରେ ପାକିସ୍ତାନକୁ ଦୃଢ଼ ସମର୍ଥନ କରିଥିଲେ । କିନ୍ତୁ ସେମାନଙ୍କ ସମର୍ଥନ କିଛି କାମ ଦେଲାନାହିଁ । ଗତ ସୋମବାର ଏଫଏଟିଏଫ୍‌ ସିଧାସଳଖ ପାକିସ୍ତାନର ନାମ ନ ନେଇ କହିଥିଲା କି କେତେକ ଆତଙ୍କବାଦୀ ଗୋଷ୍ଠୀ ବିଭିନ୍ନ ଦେଶରୁ ବେଆଇନ ପାଣ୍ଠି ସଂଗ୍ରହ କରୁଛନ୍ତି ଓ ତାକୁ ହିଂସାକାଣ୍ଡରେ ବ୍ୟବହାର କରୁଛନ୍ତି ।

ଏପରିକି ଆତଙ୍କୀ ସଙ୍ଗଠନଗୁଡିକ ଏବେ ସୋସିଆଲ ମିଡିଆର ସହାୟତା ନେଉଛନ୍ତି । ତାରି ମାଧ୍ୟମରେ ପାଣ୍ଠି ସଂଗ୍ରହ କରିବା ସହ ସମର୍ଥନ ଓ ଅନ୍ୟାନ୍ୟ ସୁବିଧା ହାସଲ କରୁଛନ୍ତି । ଆଇଏସ୍‌ (ଇସଲାମିକ ଷ୍ଟେଟ) ଓ ଅଲ୍‌କାଏଦା ଭଳି ଆତଙ୍କବାଦୀ ସଙ୍ଗଠନର ପାଣ୍ଠି ସଂଗ୍ରହ ଉପରେ ଏଫଏଟିଏଫ ରୋକ୍‌ ଲଗାଇଥିଲେ ମଧ୍ୟ ଆହୁରି ଅନେକ ସଙ୍ଗଠନ ରହିଛନ୍ତି ଯେଉଁମାନେ ବିଶ୍ୱର ବିଭିନ୍ନ ଦେଶରୁ ଆର୍ଥିକ ସହାୟତା ପାଉଛନ୍ତି ।

ଭାରତ ଦର୍ଶାଇଥିଲା ଯେ ଲସ୍କର-ଇ-ତୋଇବା, ଜୈସ୍‌-ଇ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ସଙ୍ଗଠନଗୁଡିକ ପାକିସ୍ତାନରେ ସକ୍ରିୟ ଅଛନ୍ତି । ସେଠାରୁ ସେମାନେ ଆର୍ଥିକ ଓ ଅନ୍ୟାନ୍ୟ ସହଯୋଗ ପାଉଛନ୍ତି । ଏପରିକି ପାକିସ୍ତାନ ସେନା ସେମାନଙ୍କୁ ସମର୍ଥନ କରୁଛି । ସେମାନେ ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛନ୍ତି । ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ କିଛି ବି କରୁନାହିଁ । ତେଣୁ ତା ବିରୋଧରେ ଏଫଏଟିଏଫ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ସୂଚନାଯୋଗ୍ୟ ଯେ ୨୦୧୮ ଜୁନ୍‌ରେ ଏଫଏଟିଏଫ ପାକିସ୍ତାନକୁ ଗ୍ରେ-ଲିଷ୍ଟରେ ସାମିଲ କରିଥିଲା ।

ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସେମାନଙ୍କ ପାଣ୍ଠି ଯୋଗାଣକୁ ରୋକିବା ଆଦି ୨୭ଟି ସର୍ତ୍ତ ପୂରଣ ଲାଗି ପାକିସ୍ତାନକୁ ୨୦୧୯ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଇଥିଲା । କିନ୍ତୁ ପାକିସ୍ତାନ ଧାର୍ଯ୍ୟ ସମୟ ଭିତରେ ମାତ୍ର ୪ଟି ସର୍ତ୍ତ ପୂରଣ କରିଥିବାରୁ ଏଫଏଟିଏଫ ପୂର୍ବଭଳି ତାକୁ ଗ୍ରେ-ଲିଷ୍ଟରେ ରଖିଥିଲା । ଫଳରେ ପାକିସ୍ତାନ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା କିମ୍ବା ଅନ୍ୟ ରାଷ୍ଟ୍ରରୁ ଆର୍ଥିକ ସହାୟତା ପାଇବାରେ କଟକଣା ଲଗାଯାଇଛି । ଏବେ ପାକିସ୍ତାନ ପୁଣିଥରେ ସେହି ଗ୍ରେ-ଲିଷ୍ଟରେ ରହିଛି । ଏହାକୁ କଳାତାଲିକାଭୁକ୍ତ କରାଯାଇଥିଲେ ଇରାନ ଓ ଉତ୍ତର କୋରିଆ ଭଳି ଏହା ଉପରେ କଠୋର କଟକଣା ଲାଗିଥାନ୍ତା । ଫଳରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନର ପରିସ୍ଥିତି ଆହୁରି ଜଟିଳ ହୋଇପଡିଥାନ୍ତା । ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏଫଏଟିଏଫର ବୈଠକ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

   ସମ୍ବନ୍ଧିତ ଖବର


ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଗୋଟିଏ ଥର ବ୍ଲଡ ଟେଷ୍ଟରୁ ଚିହ୍ନଟ ହୋଇପାରିବ ୫୦ ପ୍ରକାର କ୍ୟାନ୍ସର, ଇଂଲଣ୍ଡ ବୈଜ୍ଞାନିକଙ୍କ ଦାବି

ଅର୍ଣ୍ଣବଙ୍କ ଜାମିନ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ

ଚର୍ଚ୍ଚରେ ରହିଛି ୪୫୦ ବର୍ଷ ପୂର୍ବର ମୃତଦେହ; ପାଦରେ ଛୁଞ୍ଚି ମାରିଲେ ବାହାରୁଚି ରକ୍ତ, ଅନେକ ଦିବ୍ୟଶକ୍ତି ରହିଥିବା ବିଶ୍ବାସ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର