ସାମ୍ବାଦିକଙ୍କୁ ବାଲାକୋଟକୁ ନେଲା ପାକିସ୍ତାନ; ଜଗି ରହିଛନ୍ତି ୧୦୦ରୁ ଅଧିକ ପାକିସ୍ତାନୀ ସୈନ୍ୟ

ନୂଆଦିଲ୍ଲୀ,୨୯ା୩(ଏଜେନ୍ସି): ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶ ଅନ୍ତର୍ଗତ ବାଲାକୋଟରେ ଥିବା ଜୈସ୍-ଇ-ମହମ୍ମଦ ଆତଙ୍କବାଦୀର ତାଲିକ ମୁଖ୍ୟାଳୟ ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିବାକୁ ୩୨ ଦିନ ବିତିଗଲାଣି । ଏହାକୁ ସମ୍ପୂର୍ଣ୍ଣ ରୂପେ ସ୍ୱୀକାର କରି ନଥିବା ପାକିସ୍ତାନ ଦୀର୍ଘଦିନ ପରେ ଏହି ସ୍ଥାନକୁ ସାମ୍ବାଦିକଙ୍କ ପ୍ରବେଶକୁ ଅନୁମତି ଦେଇଛି । ପାକିସ୍ତାନୀ ସେନାର ମିଡିଆ ସଂସ୍ଥା ଆଇଏସ୍ପିଆର୍ ନିଜ ଦେଶର ୮ ଜଣ ସାମ୍ବାଦିକଙ୍କୁ ନେଇ ସେହି ଅଞ୍ଚଳର କିଛି ଅଂଶ ଦେଖାଇଛି । ଭାରତର ବିମାନ ଆକ୍ରମଣରେ କିଛି ହୋଇନାହିଁ ବୋଲି ଦର୍ଶାଇବାକୁ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି ।
ସୂଚନା ଅନୁସାରେ ପାକିସ୍ତାନୀ ସେନାର ଏକ ଏମ୍-୧୭ ହେଲିକପ୍ଟର ଯୋଗେ ୮ ଜଣ ସାମ୍ବାଦିକଙ୍କୁ ଘଟଣାସ୍ଥଳ ବୁଲାଇବାକୁ ନିଆଯାଇଥିଲା । ସକାଳ ୧୦ଟାରେ ସେମାନେ ସେଠାରେ ପହଞ୍ଚିଥିଲେ । ସେମାନଙ୍କ ସହିତ ଜଣେ ସେନା ଅଧିକାରୀ ଯାଇଥିଲେ । ପ୍ରାୟ ୬ ଏକର ପରିବ୍ୟାପ୍ତ ଏହି ଆତଙ୍କୀ ଶିବିରରେ ୩୫୦ରୁ ଅଧିକ ସଦସ୍ୟ ରହିବାର ବ୍ୟବସ୍ଥା ଅଛି । ଯଦିଓ ସାମ୍ବାଦିକମାନଙ୍କୁ ଘଟଣାସ୍ଥଳ ନିକଟକୁ ନିଆଯାଇଥିଲା । କିନ୍ତୁ ସେଠାର ଅଧିକାଂଶ ସ୍ଥାନକୁ ପ୍ରବେଶ ନିମନ୍ତ ଅନୁମତି ମିଳି ନଥିଲା । ସେମାନଙ୍କୁ ମାତ୍ର ୨ ଏକର ଅଞ୍ଚଳ ବୁଲାଇ ଫେରାଇ ଅଣାଯାଇଥିଲା । ଅବଶିଷ୍ଟ ୪ ଏକରରେ ରହିଥିବା ଘର ଓ ଶିବିରକୁ ପ୍ଲାଷ୍ଟିକ ସିଟ୍ ଓ ଜରିରେ ଘୋଡାଯାଇଥିଲା । ସେହି ଅଞ୍ଚଳ ସବୁକୁ ପାକିସ୍ତାନ ସେନାର ୨୧୬ ପଦାତିକ ବାହିନୀ ପ୍ରାୟ ୧୦୦ରୁ ଅଧିକ କମାଣ୍ଡୋ ଘେରି ରହିଛନ୍ତି । ସେଠାରେ ଥିବା ଏକ ମଦ୍ରାସାରେ ବର୍ତ୍ତମାନ ସୁଦ୍ଧା ୩୭୫ ଶିଶୁ ରହିଛନ୍ତି । ଏହି ଶିଶୁମାନଙ୍କ ସହ କଥା ହେବାପାଇଁ ସାମ୍ବାଦିକମାନଙ୍କୁ ଅନୁମତି ମିଳିଥିଲା । ଘଟଣାସ୍ଥଳର ଫଟୋ ତଥା ଭିଡିଓ ଉତ୍ତଳନ ପାଇଁ ମଧ୍ୟ ସେମାନଙ୍କୁ ଅନୁମତି ଦିଆଯାଇଥିଲା ।
ସାମ୍ବାଦିକମାନେ ସେଠାରେ ଦୀର୍ଘ ୫ ଘଣ୍ଟା ୩୦ ମିନିଟ୍ ସମୟ ବିତାଇଥିଲେ । କିନ୍ତୁ ଏହି ଶିଶୁମାନେ କେବେ ଓ କେଉଁଠାରୁ ଆସିଲେ ସେକଥା ଜଣାପଡିନାହିଁ । ସେମାନଙ୍କୁ ପାକିସ୍ତାନ ଅନ୍ୟ ଆଡୁ ଆଣି ରଖିବା ପରେ ସାମ୍ବାଦିକଙ୍କୁ ନେଇ ଦେଖାଇବାକୁ ପ୍ରୟାସ କରିଛି । ଭାରତର ବିମାନ ଆକ୍ରମଣରେ କିଛି କ୍ଷତି ହୋଇନାହିଁ ବୋଲି ପାକିସ୍ତାନ ସାମ୍ବାଦିକଙ୍କୁ ଜଣାଇବାକୁ ଚାହୁଁଥିଲା । ମାତ୍ର ବହୁ ଅଞ୍ଚଳକୁ ପ୍ଲାଷ୍ଟିକ ସିଟ୍ ଓ ଜରିରେ ଘୋଡାଇ ରଖିବା ଘଟଣା ଭିନ୍ନ କଥା କହୁଥିଲା । ଫେବ୍ରୁଆରୀ ୧୪ ତାରିଖରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫର ଏକ ଗାଡି ଉପରେ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ସେହିମାସ ୨୬ ତାରିଖରେ ଭାରତୀୟ ବାୟୁସେନା ବାଲାକୋଟରେ ବିମାନ ଆକ୍ରମଣ କରିଥିଲା । ଏଥିରେ ଜୈସ୍ର ତାଲିମ ମୁଖ୍ୟାଳୟ ଧ୍ୱଂସ ପାଇବା ସହିତ ବହୁ ଆତଙ୍କୀ, ସେମାନଙ୍କ କମାଣ୍ଡର ଓ ଜିହାଦି ପ୍ରାଣ ହରାଇଥିବା ଭାରତ ଦାବି କରିଥିଲା ।