ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ନୂଆଦିଲ୍ଲୀ, ୩୦/ ୧୦: ପାକିସ୍ତାନର ଇମ୍ରାନ୍‌ ସରକାର ପ୍ରାୟତଃ ଏଭଳି କାର୍ଯ୍ୟ କରିଥାଏ ଯାହାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଥାଏ। ପାକିସ୍ତାନ ଏବେ ପୁଣିଥରେ ଏଭଳି କିଛି କରିଛି ଯାହାଫଳରେ ଅନ୍ୟଦେଶ ସମେତ ନିଜ ଦେଶର ଲୋକମାନେ ସରକାରର ମଜାକ ଉଡ଼ାଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଇସଲାମ ଉପରେ ଦେଇଥିବା ବୟାନକୁ ବିରୋଧ କରି ପାକିସ୍ତାନ ସଂସଦରେ ଏକ ବିଲ୍‌ ପାରିତ କରିଛି। ଏଥିସହିତ ସଂସଦରେ ଫ୍ରାନ୍ସରୁ ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଏକ ବିଲ୍‌ ମଧ୍ୟ ପାରିତ କରିଛି ଇମ୍ରାନ୍‌ ସରକାର। ହେଲେ ସବୁଠାରୁ ମଜା କଥା ହେଲା ବିଗତ ୩ ମାସ ହେବ ଫ୍ରାନ୍ସରେ ପାକିସ୍ତାନର କେହି ବି ରାଷ୍ଟ୍ରଦୂତ ପଦବୀରେ ନାହାନ୍ତିି। ସୂଚନାଥାଉକି, ତିନି ମାସ ପୂର୍ବରୁ ପ୍ୟାରସିରେ ପାକିସ୍ତାନର ରାଜଦୂତ ମୋଇନ୍‌ ଉଲ୍‌ ହକଙ୍କୁ ବଦଳି କରାଯାଇ ଚୀନର ରାଷ୍ଟ୍ରଦୂତ ପଦ ଦିଆଯାଇଥିଲା। ତାଙ୍କ ବଦଳରେ କାହାକୁ ସେହି ପଦ ଦିଆଯାଇନଥିଲା।

ପାକିସ୍ତାନ ସଂସଦରେ ଏହି ବିଲ୍‌ ପାରିତ ହେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସୋଶିଆଲ ମିଡିୟା ୟୁଜର୍ସ ମାନେ ଇମ୍ରାନ ସରକାର ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ପାକ୍‌ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶି ଫ୍ରାନ୍ସରୁ ପାକିସ୍ତାନ ରାଷ୍ଟ‌୍ରଦୂତଙ୍କୁ ଫେରାଇ ଆଣିବା ପାଇଁ ଆଗତ ହୋଇଥିବା ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ। ଯାହାକୁ ନେଇ ଟ୍ରୋଲ ହୋଇଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ। ୟୁଜର୍ସ ମାନେ କହିଛନ୍ତି ଯେ, କ’ଣ ବୈଦେଶିକ ମନ୍ତ୍ରୀଙ୍କୁ ଏକଥା ବି ଜଣା ନାହିଁ ଯେ ଫ୍ରାନ୍ସରେ କେହି ପାକିସ୍ତାନର ରାଷ୍ଟ୍ରଦୂତ ଅଛନ୍ତି ନା ନାଇଁ। ତାହାଲେ ସେ କି ମନ୍ତ୍ରୀ ବୋଲି ୟୁଜର୍ସ ମାନେ କହିଛନ୍ତି।

ସୂଚନାଥାଉକି, ବିଶ୍ବର ମୁସଲିମ୍‌ ରାଷ୍ଟ‌୍ରଗୁଡ଼ିକ ଫ୍ରାନ୍ସ ରାଷ୍ଟପତି ଇମାନ୍ୟୁଏଲ ମାର୍କନଙ୍କ ଇସଲାମ ବିରୋଧୀ ମନ୍ତବ୍ୟକୁ ବିରୋଧ କରୁଛନ୍ତି। ଯାହାଫଳରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବୁଧବାର ଦିନ ମୁସଲିମ୍‌ ଦେଶର ନେତାମାନଙ୍କୁ ଚିଠି ଲେଖି ଇସଲାମଫୋବିୟା ଉପରେ ସମସ୍ତଙ୍କ ପ୍ରତିକ୍ରିୟା ମାଗିଛନ୍ତି। ଏଥସହିତ ସେ ଆହୁରି କହିଛନ୍ତି ଯେ, ଫ୍ରାନ୍ସରେ ମୁସଲମାନ୍‌ଙ୍କ ଜବୀନ କଷ୍ଟସାଧ୍ୟ ହେଉଛି।