ଗାନ୍ଧି ଜୟନ୍ତୀରେ ୨ ଲକ୍ଷ ଘରେ ‘ଗୃହ ପ୍ରବେଶ’: ମିଶନ ମୋଡ୍‌ରେ ହେବ ଗ୍ରାମୀଣ ଗୃହ ନିର୍ମାଣ

ଭୁବନେଶ୍ୱର ୨୭/୮ : ରାଜ୍ୟର ସମସ୍ତ କଚ୍ଚା ଘର ପକ୍କା ଘରକୁ ବଦଳିବ । ନିର୍ବାଚନ ବେଳେ ଶାସକ ଦଳ ଦେଇଥିବା ଏ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଧାର୍ଯ୍ୟ ସମୟରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ କାମ ସାରିବା ସହ ଲକ୍ଷ୍ୟ ହାସଲ କରିବାକୁ ମିଶନ ମୋଡରେ ଏ ଗୃହ ନିର୍ମାଣ କାମକୁ କାର୍ଯ୍ୟକାରୀ କରିବ ପଞ୍ଚାୟତିରାଜ ବିଭାଗ । ଏଥିପାଇଁ ବିଭାଗ ପୂରାକୁ ପୂରା ନୂଆ ଢ଼ାଞ୍ଚାରେ କାମ ଆରମ୍ଭ କରିବାକୁ ପ୍ରସ୍ତୁତ କରିଛି ବ୍ଲୁପ୍ରିଣ୍ଟ ।

ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଥିବା ଚାର୍ଟ ଅନୁସାରେ ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରେ ରାଜ୍ୟରେ ନିର୍ମାଣ ସରିଥିବା ପ୍ରାୟ ୨ ଲକ୍ଷ ଘରେ ‘ଗୃହ ପ୍ରବେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାକୁ ଆଖିରେ ରଖି ସମ୍ପୂର୍ଣ୍ଣ ହେବାକୁ ଥିବା ଘରର ନିର୍ମାଣ କାମ ଶେଷ କରିବାକୁ ଜିଲ୍ଲାପାଳ ଓ ବ୍ଲକ ପ୍ରଶାସନକୁ ବିଭାଗ ନିର୍ଦ୍ଦେଶ ଦେଇଛି । ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ବିଭାଗ ଏହି ଗୃହ ପ୍ରବେଶ କାର୍ଯ୍ୟକ୍ରମ ଜରିଆରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବ । ଏପରିକି ଏଣିକି ପବିତ୍ର ଦିନରେ ଏହି ଗୃହ ପବେଶ କାର୍ଯ୍ୟକ୍ରମ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି । ଆଗକୁ ଦୀପାବଳି ସହ ଅନ୍ୟ ପ୍ରମୁଖ ପର୍ବପର୍ବାଣୀ ଓ ଗୁରୁତ୍ୱପୂର୍ଣ୍ଣ ଦିନରେ ମଧ୍ୟ ଏଭଳି ଗୃହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଜିଲ୍ଲା ପ୍ରଶାସନ ଓ ବ୍ଲକ ଗୁଡ଼ିକ ଟାର୍ଗେଟ ଅନୁସାରେ ଗୃହ ନିର୍ମାଣ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଶିଳାନ୍ୟାସ କରିବାକୁ ପଞ୍ଚାୟତିରାଜ ବିଭାଗ ସ୍ଥିର କରିଛି । ଆସନ୍ତା ସେପଟେମ୍ବର ଦ୍ୱିତୀୟ ସପ୍ତାହରେ ଅଢ଼େଇରୁ ୩ ଲକ୍ଷ ଗ୍ରାମୀଣ ଗୃହ ନିର୍ମାଣ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିବେ । ଏ କାର୍ଯ୍ୟକ୍ରମ ବେଳେ ମନ୍ତ୍ରୀ, ବିଧାୟକ, ସାଂସଦ, ଜିଲ୍ଲାପରିଷଦ ଓ ବ୍ଲକ ଅଧ୍ୟକ୍ଷଙ୍କ ସହ ଅନ୍ୟ ଲୋକ ପ୍ରତିନିଧିମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଉପସ୍ଥିତ ରହିବେ । ଏପରିକି ମୁଖ୍ୟମନ୍ତ୍ରୀ ପୁଣି ସେପଟେମ୍ବର ୪ର୍ଥ ସପ୍ତାହରେ ଅଢ଼େଇରୁ ୩ ଲକ୍ଷ ଗୃହର ଶିଳାନ୍ୟାସ ମଧ୍ୟ କରିବେ । ଏଥିପାଇଁ ବିଭାଗ ପକ୍ଷରୁ ହିତାଧିକାରୀ ଚୟନକୁ ଜୋରଦାର କରାଯାଇଛି ।

ବିଭିନ୍ନ କାରଣରୁ ହିତାଧିକାରୀମାନେ ଗୃହ ନିର୍ମାଣ କାମରେ ବିଳମ୍ବ କରୁଥିବାରୁ ସ୍ୱତନ୍ତ୍ର ଭାବେ ସଚେତନ କରାଇବାକୁ ଆଜିଠାରୁ ହିତାଧିକାରୀ ସମ୍ମିଳନୀ ଆରମ୍ଭ ହୋଇଛି । ଏହା ଆସନ୍ତା ୩୧ ଯାଏ ଚାଲୁ ରହିବ । ଏହି ସମ୍ମିଳନୀରେ ହିତାଧକାରୀ ଧାର୍ଯ୍ୟ ସମୟରେ ନିର୍ମାଣ ସାରିବାକୁ ଶପଥ ପାଠ କରିବେ । ସେମାନଙ୍କୁ ଅଫିସରମାନଙ୍କ ସହ ପରିଚିତ କରାଯାଇ କେଉଁ ସମୟରେ କଣ କରିବେ ସେ ନେଇ ସୂଚନା ଦିଆଯିବ । ସ୍ୱତନ୍ତ୍ର ଭାବେ ‘ଆମ ଘର’ ଆପ୍‌ ହିତାଧିକାରୀଙ୍କ ମୋବାଇଲରେ ଅପଲୋଡ ସହ କିଭଳି ଏହା ମାଧ୍ୟମରେ ଅଭିଯୋଗ କରିବେ ଏବଂ କିସ୍ତି ପାଇପାରିବେ ସେ ନେଇ ସଚେତନ କରାଯିବ ।

କେଉଁ ଡିଜାଇନର ଘର ହିତାଧିକାରୀ ଚାହୁଁଛନ୍ତି ତାହା ବାଛିବାକୁ ମଧ୍ୟ ସେମାନଙ୍କୁ ବିଭାଗ ଦ୍ୱାରା ପ୍ରସ୍ତୁତ ଡିଜାଇନରୁ ସୁଯୋଗ ମିଳିବ । ଏହାଛଡ଼ା ନିର୍ମାଣ କାମକୁ ତ୍ୱରିତ କରିବାକୁ ଆସନ୍ତା ୩୧ରୁ ୭ ସେପଟେମ୍ବର ମଧ୍ୟରେ ସ୍ୱତନ୍ତ୍ର ଭାବେ ‘ଲେ ଆଉଟ୍‌ କ୍ୟାମ୍ପେନ୍‌’ ଚାଲିବ । ଚିହ୍ନଟ ହିତାଧିକାରୀଙ୍କ ପସନ୍ଦର ଡିଜାଇନ ଅନୁସାରେ ଲେ ଆଉଟ୍‌ କରି ତୁରନ୍ତ ନିର୍ମାଣ କାମ ଆରମ୍ଭ କରିବାକୁ ପଞ୍ଚାୟତିରାଜ ବିଭାଗ ନିଷ୍ପତ୍ତି ନେଇଛି ।

ଏତେ ସଂଖ୍ୟାରେ ଘର ପାଇଁ ଆବଶ୍ୟକ ନିର୍ମାଣ ସାମଗ୍ରୀର ଅଭାବକୁ ମଧ୍ୟ ବିଭାଗ ଆଖି ଆଗରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ଏ ନିଷ୍ପତ୍ତି ଆଧାରରେ ପ୍ରତି ବ୍ଳକରେ ବିଡିଓମାନେ ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) କିମ୍ବା ଉଦ୍ୟୋଗୀଙ୍କୁ ଚିହ୍ନଟ କରିବେ । ଏମାନେ ଇଟା ପ୍ରସ୍ତୁତ ୟୁନିଟ୍‌ ବସାଇବେ । ଏହି ଏସଏଚଜି ଓ ଉଦ୍ୟୋଗୀଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇଦେବେ । ଓରମାସ ଏଥିପାଇଁ ସହଯୋଗ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଏସଏଚଜିଗୁଡ଼ିକୁ ସ୍ୱତନ୍ତ୍ର ଭାବେ ଇଟା ନିର୍ମାଣ ତାଲିମ ଦେବାକୁ ପଞ୍ଚାୟତିରାଜ ବିଭାଗ ନିଷ୍ପତ୍ତି ନେଇଛି ।

   ସମ୍ବନ୍ଧିତ ଖବର


ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ

ନକଲି ଜର୍ଦ୍ଦା କାରବାର ଉପରେ ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ମାଡ଼, ଛଡାଇ ନେଲେ ବୁମ୍-କ୍ୟାମେରା…