ଦୁଷ୍କର୍ମ ପିଡୀତାଙ୍କୁ ଗଙ୍ଗାରେ ସ୍ନାନ କରି ଏପରି କାମ କରିବା ପାଇଁ ନିଷ୍ପତ୍ତି ଶୁଣାଇଲା ପଞ୍ଚାୟତ, ଅପମାନରେ ବିଷ ଖାଇଦେଲେ ଯୁବତୀ

ଗଢୱା ୨୪/୧: ପଞ୍ଚାୟତର ନିଷ୍ପତ୍ତି ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ ଦୁଷ୍କର୍ମ ପିଡୀତା । ଝାରଖଣ୍ଡର ଗଢୱା ଜିଲ୍ଲାର ମେରାଲ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ନିନ୍ଦନୀୟ ଘଟଣା । ଯୁବତୀ ଜଣକ ପୋଲିସକୁ ଦେଇଥିବା ବୟାନ ଅନୁସାରେ ଏକ ମାସ ତଳେ ତାଙ୍କ ସହିତ ଦୁଷ୍କର୍ମ ହୋଇଥିଲା । ଦୁଷ୍କର୍ମ କରିଥିବା ଯୁବକ ଜଣକ ତାଙ୍କରି ଗାଁର । ପୋଲିସ ତାକୁ ଗିରଫ କରିବା ପରେ ଜେଲ୍ ପଠାଇଦିଆଯାଇଥିଲା । କିନ୍ତୁ ଯୁବତୀଙ୍କ ଦୁଃଖ କମିନଥିଲା । ଘଟଣାର ପ୍ରାୟ ୧୫ ଦିନ ପରେ ଆସିଲା ପଞ୍ଚାୟତର ନିଷ୍ପତ୍ତି । ପଞ୍ଚାୟତ ନିଷ୍ପତି ଶୁଣାଇଲା ଯେ ଗଙ୍ଗାରେ ସ୍ନାନ କରି ଆସିବା ପରେ ପୂଜା ପାଠ କରି ସାରା ଗାଁକୁ ଭୋଜନ ଦେବା ପାଇଁ । କେବଳ ସେତିକି ନୁହେଁ, ମହିଳାଙ୍କୁ ୫ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ମଧ୍ୟ ଆଦେଶ ଶୁଣାଇଲା ପଞ୍ଚାୟତ । ପଞ୍ଚାୟତର ଏପରି ନିଷ୍ପତ୍ତି ଶୁଣି ଆତ୍ମହତ୍ୟା ଉଦ୍ଦେଶ୍ୟରେ ବିଷ ଖାଇଦେଲେ ଯୁବତୀ । ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଯିବାରୁ ତାଙ୍କ ଜୀବନ ବଞ୍ଚିଗଲା ।

ତେବେ ଅନ୍ୟପଟେ ପଞ୍ଚାୟତ କହିଛି ଯେ ମହିଳାଙ୍କ ପତି ବାହାରେ କାମ କରନ୍ତି । ଗାଁର ଜଣେ ଯବକ ଅଫଜଲ ଅଂସାରୀ ସହିତ ତାଙ୍କର ଅବୈଧ ସମ୍ପର୍କ ଥିଲା । ଗାଁ ଲୋକ ଦିନେ ସେମାନଙ୍କୁ ଏକାଠି ଦେଖିଦେଇଥିଲେ । ଏହାପରେ ମହିଳା ଜଣକ ଅଂସାରୀ ବିରୁଦ୍ଦରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଜେଲ୍ ପଠାଇ ଦେଇଥିଲା । ପଞ୍ଚାୟତ ଗଙ୍ଗା ସ୍ନାନ ଓ ପୂଜା-ପାଠ ଆଦେଶ କଥା ମାନିଛି କିନ୍ତୁ ଜୋରିମାନା କଥାକୁ ଅସ୍ୱୀକାର କରିଛି ।