ରାହାଣେଙ୍କ ଶତକ ବେକାର: କ୍ୟାପିଟାଲ୍ସକୁ ଶୀର୍ଷକୁ ନେଲେ ପନ୍ତ

ଜୟପୁର, ୨୨ା୪ (ଏଜେନ୍ସି): ମଧ୍ୟଭାଗରେ ଧୂଆଁଧାର ବ୍ୟାଟିଂ କରି ଯୁବ ତାରକା ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସକୁ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚାଇଛନ୍ତି । କ୍ୟାପିଟାଲ୍ସ ସପ୍ତମ ବିଜୟ ସହ ମୋଟ ୧୪ ପଏଣ୍ଟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ଅଜିଙ୍କ୍ୟ ରାହାଣେଙ୍କ ଶତକୀୟ ଇନିଂସ ସହାୟତାରେ ଦଳ ୬/୧୯୧ ରନ୍‌ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯.୨ ଓଭରରେ ୪ ୱିକେଟ୍‌ ହରାଇ ବିଜୟୀ ହୋଇଥିଲା । ପନ୍ତ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ରୟାଲ୍ସ ଓପନର ରାହାଣେ ଓ ସଞ୍ଜୁ ସାମସନ୍‌ ଇନିଂସ୍‌ ଓପନ କରିଥିଲେ । ଦ୍ୱିତୀୟ ଓଭରରେ ସାମସନ୍‌ ଖାତା ଖୋଲିବା ପୂର୍ବରୁ ରନ୍‌ ଆଉଟ୍‌ ହୋଇଥିଲେ । ତାଙ୍କ ସ୍ଥାନରେ ସ୍ମିଥ୍‌ ଆସି ରାହାଣେଙ୍କ ସହ ମିଶି ଇନିଂସ୍‌କୁ ଆଗକୁ ନେଇଥିଲେ । ରାହାଣେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କୁ ନିସ୍ତୁକ ପ୍ରହାର କରିଥିଲେ । ଦ୍ୱିତୀୟ ୱିକେଟ୍‌ରେ ରାହାଣେ ଓ ସ୍ମିଥ୍‌ଙ୍କ ମଧ୍ୟରେ ୧୩୦ ରନ୍‌ର ବୃହତ ଭାଗିଦାରୀ ଗଠନ ହୋଇଥିଲା । ସ୍ମିଥ୍‌ ଅର୍ଦ୍ଧଶତକ ପୂରଣ କରିଥିଲେ । ଦଳୀୟ ସ୍କୋର ୧୩୫ ରନ୍‌ ଥିବାବେଳେ ସେ ବ୍ୟକ୍ତିଗତ ୫୦ (୩୨ ବଲ୍‌, ୮ ଚୌକା) ରନ୍‌ କରି ପାଭିଲିୟନ ଫେରିଥିଲେ ।

ପରେ ରାହାଣେ ଗୋଟିଏ ପଟେ ଆକ୍ରମଣ ଜାରି ରଖିଥିଲେ । ଅନ୍ୟ ପଟରେ ବେନ୍‌ ଷ୍ଟୋକ୍ସ (୮) ସହଳ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ । ରାହାନେ ୫୮ ବଲ୍‌ରୁ ଶତକ ପୂରଣ କରି ନିଜ ଦମ୍‌ ଦେଖାଇ ଥିଲେ । ମଧ୍ୟ ଭାଗରେ ଆଷ୍ଟନ୍‌ ଟର୍ଣ୍ଣର ଖାତା ଖୋଲି ପାରିନଥିବା ବେଳେ ଷ୍ଟୁଆର୍ଟ ବିନି ୧୯ ରନ୍‌ କରି ଆଉଟ୍‌ ହୋଇଥିଲେ । ତେବେ ରାହାଣେଙ୍କ ଅପରାଜିତ ୧୦୫ (୬୩ ବଲ୍‌, ୧୧ ଚୌକା, ୩ ଛକା) ରନ୍‌ ବଳରେ ରାଜସ୍ଥାନ ରୟାଲ୍ସ ୬ ୱିକେଟ୍‌ରେ ୧୯୧ ରନ୍‌ର ବିଶାଳ ସ୍କୋର କରିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କାଗିସୋ ରାବାଡା ସର୍ବାଧିକ ୨ଟି ୱିକେଟ୍‌ ନେଇଥିଲେ ।

୧୯୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଦୁଇ ଓପନର ପୃଥ୍ୱୀ ଶ’ ଓ ଶିଖର ଧାୱନ ଦିଲ୍ଲୀ କ୍ୟାପିଟାଲ୍ସକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍‌ରେ ଉଭୟଙ୍କ ମଧ୍ୟରେ ୭୨ ରନ୍‌ର ଭାଗିଦାରୀ ଗଠନ ହେବା ପରେ ଧାୱନ ଅର୍ଦ୍ଧଶତକ ପୂରଣ କରି ଆଉଟ୍‌ ହୋଇଥିଲେ । ସେ ୨୭ ବଲ୍‌ରୁ ଦ୍ରୁତ ୫୪ (୮ ଚୌକା, ୨ ଛକା) ରନ୍‌ କରିଥିଲେ । ତାଙ୍କ ସ୍ଥାନରେ ଖେଳିବାକୁ ଆସିଥିବା ଅଧିନାୟକ ଶ୍ରେୟାସ ଆୟାର ୪ ରନ୍‌ କରି ପାଭିଲିୟନ ଫେରିଥିଲେ । ଓପନର ପୃଥ୍ୱୀ ଓ ରିଷଭ ପନ୍ତ ଇନିଂସ୍‌କୁ ଆଗକୁ ନେଇଥିଲେ । ପନ୍ତ ପଡ଼ିଆକୁ ଆସିବା ମାତ୍ରେ ରାଜସ୍ଥାନ ରୟାଲ୍ସ ବୋଲରଙ୍କୁ ଧୂଲେଇ କରିଥିଲେ । ପୃଥ୍ୱୀ ଓ ପନ୍ତଙ୍କ ମଧ୍ୟରେ ୮୪ ରନ୍‌ର ଭାଗିଦାରୀ ଗଠନ ହେବା ପରେ ପୃଥ୍ୱୀ ବ୍ୟକ୍ତିଗତ ୪୨ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ । ପରେ ରଦରଫୋର୍ଡ଼ ୫ ବଲ୍‌ରୁ ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ । ପନ୍ତ ଅପରାଜିତ ୭୮ (୩୬ ବଲ୍‌, ୬ ଚୌକା, ୪ ଛକା) ରନ୍‌ କରି ଦିଲ୍ଲୀକୁ ବିଜୟୀ କରାଇଥିଲେ । ରାଜସ୍ଥାନ ରୟାଲ୍ସର ଗୋପାଲ ସର୍ବାଧିକ ୨ଟି ୱିକେଟ୍‌ ନେଇଥିଲେ ।