ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଯୁବକଙ୍କ ସ୍ବପ୍ନକୁ ଧୂଳିସାତ୍‌ କରୁଛି ପେପର୍‌ ଲିକ୍‌ ମାମଲା; ୨ କୋଟି ଶିକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ...

ନୂଆଦିଲ୍ଲୀ,୩୦/୦୪: 'ମୁଁ ଆଉ ବଞ୍ଚିବାକୁ ଚାହେଁ ନାହିଁ, ମୋ ମନ ଭରିଗଲେ… ମୋର ମୃତ୍ୟୁ ପରେ କାହାରିକୁ ଅସୁବିଧାରେ ପକାଯିବା ଉଚିତ୍ ନୁହେଁ… ମୁଁ ମୋର ସମସ୍ତ ବି.ଏସ୍‌ସି ଡିଗ୍ରୀ ପୋଡ଼ି ଦେଇଛି, ଏପରି ପାଠପଢ଼ି କ'ଣ ଲାଭ...ଯାହା ଗୋଟିଏ ଚାକିରି ଦେଇପାରିଲା ନାହିଁ...'

ଜୀବନରୁ ନିରାଶ ହେବା ପରେ ଆତ୍ମହତ୍ୟାକୁ ବାଟ ଭାବେ ବାଛି ତା' ପୂର୍ବରୁ ଏମିତି କିଛି ଲେଖିଯାଇଛନ୍ତି ବ୍ରିଜେସ୍‌ ପାଲ୍‌ ନାମକ ଜଣେ ଛାତ୍ର। ବହୁ ବର୍ଷର କଠିନ ପରିଶ୍ରମ ଏବଂ କିଛି ଲୋକଙ୍କ ଲୋଭ ହେତୁ ଗୋଟିଏ ପଟେ କାଗଜ ଲିକ୍ ହେଲା, ତା’ପରେ ପରୀକ୍ଷା ବାତିଲ ହେଲା ଏବଂ ପରେ ପୁଣି ଆଉ ଏକ ପରୀକ୍ଷା ପାଇଁ ଦୀର୍ଘ ସମୟର ଅପେକ୍ଷା... ଏହା କେବଳ କନ୍ନୌଜର ବ୍ରିଜେଶ ପାଲଙ୍କ କାହାଣୀ ନୁହେଁ ବରଂ ଆମ ଦେଶର ଅନେକ ଅସହାୟ ବେକାର ଯୁବକଙ୍କର କାହାଣୀ। ଏହି ଛାତ୍ରମାନେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ସ୍ୱପ୍ନ ଦେଖୁଥିଲେ ଏବଂ ଦିନରାତି ପରିଶ୍ରମ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ବ୍ରିଜେଶଙ୍କ ପରିବାର ସଦସ୍ୟ ଆଶା କରୁଥିଲେ ଯେ ତାଙ୍କ ପୁଅ ସରକାରୀ ଚାକିରି କରିବ ଏବଂ ସେମାନଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। କିନ୍ତୁ ଚାକିରି ବଦଳରେ ପୁଅ ଦେଇଛି ସୁଇସାଇଡ୍‌ ନୋଟ୍‌.....

ଦେଶସାରା ବ୍ୟାପିଛି ପେପର୍‌ ଲିକ୍‌ ଜାଲ:

ପେପର ଲିକ୍ ଭାରତ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଏହି କାରଣରୁ ଛାତ୍ରମାନଙ୍କର ଭବିଷ୍ୟତ ବିପଦରେ ଅଛି। କେବଳ ଗତ ୭ ବର୍ଷ ମଧ୍ୟରେ ସମଗ୍ର ଦେଶରେ ଶହ ଶହ ପେପର  ଲିକ୍ ମାମଲା ସାମ୍ନାକୁ ଆସିଛି ଯାହା ପ୍ରାୟ ଦୁଇ କୋଟି ଛାତ୍ରଙ୍କୁ ପ୍ରଭାବିତ କରିଛି। ଅଧିକାଂଶ ପେପର୍ ଲିକ୍ ମାମଲା ରାଜସ୍ଥାନରୁ ଆସୁଛି। ୟୁପି ମଧ୍ୟ ପଛରେ ନାହିଁ, ଫେବୃଆରୀରେ ଏଠାରେ ପେପର୍ ଲିକ୍ ହେବାର ଏକ ବଡ଼ ମାମଲା ସାମ୍ନାକୁ ଆସିଥିଲା ଯାହା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ୧୭-୧୮ ଫେବୃଆରୀରେ ଉତ୍ତରପ୍ରଦେଶର ୭୫ ଟି ଜିଲ୍ଲାରେ ପୋଲିସ୍ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ୟୁପି ପୋଲିସର ୬୦ ହଜାର ୨୪୪ ପଦବୀ ପାଇଁ ୪୮ ଲକ୍ଷରୁ ଅଧିକ ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରେ ୧୬ ଲକ୍ଷରୁ ଅଧିକ ବାଳିକା ଥିଲେ। ଫେବୃଆରୀ ୧୭, ପରୀକ୍ଷା ଦିନ ସୋସିଆଲ ମିଡିଆରେ ଏକ ପେପର କପି ଭାଇରାଲ ହେବା ଆରମ୍ଭ କଲା। ପରିସ୍ଥିତି ଏପରି ଥିଲା ଯେ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଟେଲିଗ୍ରାମରେ ପ୍ରତ୍ୟେକଙ୍କୁ ୫୦ ଟଙ୍କାରେ ପେପର ପଠାଇ ଦିଆଯାଇଥିଲା, ଯାହାର ଉତ୍ତର ମଧ୍ୟ ସମ୍ପୂର୍ଣ୍ଣ ସଠିକ୍ ଭାବରେ ଲେଖାଯାଇଥିଲା। ବିରାଟ ଉତ୍ତେଜନା ଓ ପ୍ରତିବାଦ ପରେ ସରକାର ୨୬ ଫେବୃଆରୀରେ ଏହି ପରୀକ୍ଷାକୁ ବାତିଲ କରିଥିଲେ ନିକଟରେ ନୋଏଡା ଏସଟିଏଫ ୟୁପି ପୋଲିସ ନିଯୁକ୍ତି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ରାଜୀବ ନାମକ ଏହି ବ୍ୟକ୍ତି ଏକ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ କାଗଜ ବାଣ୍ଟିଥିଲା।

ରାଜସ୍ଥାନରେ ୪ ବର୍ଷରେ ୧୨ଥର ପେପର ଲିକ୍‌:

ରାଜସ୍ଥାନରୁ ଗୋଟିଏ ପରେ ଗୋଟିଏ ପେପର୍‌ ଲିକ୍ ଘଟଣା ସାମ୍ନାକୁ ଆସୁଛି। ରାଜ୍ୟରେ ୨୦୧୯ ଠାରୁ ପ୍ରତିବର୍ଷ ହାରାହାରି ତିନିଥର ପେପର ଲିକ୍‌ ହୋଇଛି। ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଅନୁସନ୍ଧାନ ବେଳେ ପୋଲିସ ଅଧିକାରୀମାନେ ପ୍ରମାଣ ପାଇଥିଲେ ଯେ ଅଭିଯୁକ୍ତମାନେ ପ୍ରତ୍ୟେକ କାଗଜ ଲିକ୍ ବଦଳରେ ୫ ରୁ ୧୫ ଲକ୍ଷ ଟଙ୍କା ପାଇଛନ୍ତି।

ଅଭିଯୋଗ ହୋଇଛି ଯେ ରାଜସ୍ଥାନର ପେପର ଲିକ୍‌ର ମାଷ୍ଟରମାଇଣ୍ଡ ଭୁପେନ୍ଦ୍ର ସାରନ ପେପର କିଣିବା ପାଇଁ ଜଣେ ଶିକ୍ଷକଙ୍କୁ ୪୦ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଜଣକ ପ୍ରତ୍ୟେକଟି ପେପରର ନକଲକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲା। ୨୦୧୧ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପ୍ରାୟ ୨୬ ଥର ପେପର ଲିକ୍‌ ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ ୧୪ ଟି କେବଳ ଗତ ଚାରି ବର୍ଷରେ ପଞ୍ଜିକୃତ ହୋଇଛି। ପେପର୍ ଲିକ୍ ମାମଲାରେ ରାଜସ୍ଥାନ ଭାରତର ହଟ୍‌ସ୍ପଟ୍‌ ପାଲଟିଛି। 

ମଧ୍ୟପ୍ରଦେଶ:

ମଧ୍ୟପ୍ରଦେଶ ବୋର୍ଡ ପରୀକ୍ଷା ୨୦୨୩ ରେ ସ୍କୁଲ ଶିକ୍ଷା ବିଭାଗ ମଧ୍ୟ ପେପର ଲିକ୍‌ ହୋଇଥିବା ସ୍ବୀକାର କରିଥିଲା। ରାଜ୍ୟର ଭିଣ୍ଡ ଏବଂ ଭୋପାଳରେ ପେପର୍ ଲିକ୍ ସମ୍ପର୍କରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ପରୀକ୍ଷା ପେପର ଲିକ୍‌ରେ ଗୁଜୁରାଟରୁ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହା ବ୍ୟତୀତ ଯେଉଁ ପରୀକ୍ଷା କେନ୍ଦ୍ରରୁ ପେପର ଲିକ୍‌ ହେବାର ସୂଚନା ମିଳିଥିଲା, ସେଠାକାର ଅଧ୍ୟକ୍ଷ ତଥା ପ୍ରତିନିଧୀଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଏହା ବ୍ୟତୀତ ପଶ୍ଚିମବଙ୍ଗ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର ଏବଂ ହରିୟାଣାରେ ମଧ୍ୟ ପେପର୍ ଲିକ୍ ମାମଲା ସାମ୍ନାକୁ ଆସିଥିଲା। ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ ବିଷୟରେ ଆଲୋଚନା କଲେ କର୍ଣ୍ଣାଟକର ପିଏସ୍‌ସି, କର୍ଣ୍ଣାଟକ ଇଞ୍ଜିନିୟରିଂ ପରୀକ୍ଷା, ତାମିଲନାଡୁର ଟିଏନ୍‌ପିଏସ୍‌ସି, ମହାରାଷ୍ଟ୍ରର ଏଚ୍‌ଏସ୍‌ସି, କେରଳର ଏସ୍‌ଏସ୍‌ଏଲ୍‌ସିର ପଦାର୍ଥ ବିଜ୍ଞାନ ପେପର ଲିକ୍ ପ୍ରସଙ୍ଗ ହେଡଲାଇନ୍‌କୁ ଆସିଥିଲା। ଅନ୍ୟପକ୍ଷରେ ହରିୟାଣାର ଏଚ୍‌ଏଚ୍ଏସ୍‌ସି ଏବଂ କାଶ୍ମୀରର ଜୁନିଅର ଇଞ୍ଜିନିୟର ନିଯୁକ୍ତି ପରୀକ୍ଷାର ଫଳାଫଳ ସାର୍ବଜନିନ କ୍ଷେତ୍ରରେ ଏକ ବଡ଼ ପ୍ରଶ୍ନ ଠିଆ କରାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.