ପରିସ୍ଥିତି ଗମ୍ଭୀର – ସ୍ଥିତି ଉଦ୍‌ବେଗଜନକ

ନୂଆଦିଲ୍ଲୀ : ଅର୍ଥନୀତିର ଅବସ୍ଥା ଏବେ ଗମ୍ଭୀର । ସ୍ଥିତି ଉଦ୍‌ବେଗଜନକ । ୧୯୯୧ରୁ ସବୁଠାରୁ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରୁଛି ଦେଶ । ସ୍ୱାଧୀନତା ପରେ ଏହା ହେଉଛି ଚତୁର୍ଥ ଏଭଳି ମାନ୍ଦାବସ୍ଥା । ଅର୍ଥନୀତିକୁ ସଜାଡିବା ପାଇଁ ସରକାରୀ ବ୍ୟୟ ବୃଦ୍ଧି ବର୍ତ୍ତମାନର ଆବଶ୍ୟକତା । ଏହାସହିତ ବହୁମୁଖୀ କାର୍ଯ୍ୟକ୍ରମ ଦ୍ୱାରା ନିଯୁକ୍ତି ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେବା ଦରକାର ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ୬୮ ଦିନ ଧରି ଅର୍ଥନୀତିରେ ତାଲା ପକାଇଲେ ସରକାର । ଏହା ପ୍ରଭାବରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୨୩.୯% ସଙ୍କୁଚିତ ହୋଇଛି । ଏହାର ଅର୍ଥ ହେଉଛି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଆର୍ଥିକ ଏବଂ ମୌଦ୍ରିକ ସହାୟତା ଠିକ୍‌ ଭାବେ କାର୍ଯ୍ୟ କରିନାହିଁ । କନ୍‌ଷ୍ଟାଣ୍ଟ ଟର୍ମରେ ଜିଡିପି ୨୬.୯ ଲକ୍ଷ କୋଟି ଏବଂ ନୋମିନାଲ ଟର୍ମରେ ଏହା ୩୮.୦୮ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ ପ୍ରୋଣବ ସେନ୍‌ଙ୍କ ମତରେ, ଅର୍ଥନୀତିରେ ବାସ୍ତବରେ ୩୫% ହ୍ରାସ ଘଟିଛି ।

୪୦ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ଅର୍ଥବ୍ୟବସ୍ଥାରେ ହ୍ରାସ ଘଟିଛି । ଜି-୨୦ ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତର ଜିଡିପି ସବୁଠାରୁ ଅଧିକ କ୍ଷୟ ହୋଇଛି । ପ୍ରାୟ ସମେସ୍ତ ଅନୁମାନ କରୁଥିଲେ ଜିଡିପି ୫ରୁ ୧୦% ସଙ୍କୁଚିତ ହେବ । ଅନ୍ୟପକ୍ଷରେ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଅନୁମାନ କରିଥିଲା ଯେ, ଏହା ୧୬.୫%  ହ୍ରାସ ଘଟିବ । କିନ୍ତୁ ବାସ୍ତବ ହ୍ରାସ ଆଶା ବାହାରେ ରହିଲା । ଅର୍ଥନୀତି ୨୩.୯% ଖସିଗଲା । ସମ୍ପ୍ରତି ଯେଉଁ ମାତ୍ରାରେ ସଂକ୍ରମଣ ବଢ଼ିଚାଲିଛି ସମ୍ପୂର୍ଣ୍ଣ ଆର୍ଥିକବର୍ଷରେ ଅର୍ଥନୀତିର ପ୍ରଦର୍ଶନ ଅତ୍ୟନ୍ତ ନିକୃଷ୍ଟ ରହିବ ବୋଲି ଆଶଙ୍କା କରାଯାଉଛି । ଚଳିତ ଆର୍ଥିକବର୍ଷ ଭାରତୀୟ ଅର୍ଥନୀତି ୭% କ୍ଷୟ ହେବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରୁଛନ୍ତି । ଜିଡିପି ଆକଳନକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏବେ ନୀରବ । ପଞ୍ଚଦଶ ଅର୍ଥ କମିସନ ଆକଳନ କରିଛନ୍ତି ଯେ, ଏ ବର୍ଷ ଜିଡିପି ୬% ସଙ୍କୁଚିତ ହେବ । ଗୋଲ୍‌ଡମ୍ୟାନ୍‌ ସାଚ୍‌ସ ଅନୁମାନ କରିଛି ଯେ, ଚଳିତ ଆର୍ଥିକ ବର୍ଷ ଭାରତୀୟ ଅର୍ଥନୀତି ୫% ଖସିବ । କ୍ରିସିଲ ଅନୁମାନ କରିଛି ଯେ, ଏହା ୯% ସଙ୍କୁଚିତ ହେବ । ଫିଚ୍‌ ଆକଳନ ଅନୁସାରେ ଏ ବର୍ଷ ଭାରତୀୟ ଅର୍ଥନୀତି ୧୦.୫% ଖସିବ । ମୁଡିସ୍‌ ଅନୁମାନ କରିଛି ଯେ, ଏହା ୧୧.୫% ହ୍ରାସ ଘଟିବ । ସମସ୍ତଙ୍କ ଆକଳନ ୧୯୫୦ ମସିହାରୁ ନିକୃଷ୍ଟ ।

କୋଭିଡ୍‌-୧୯ ଯୋଗୁ ବିଶ୍ୱ ଅର୍ଥନୀତି ବି ପ୍ରଭାବିତ ହୋଇଛି । ବିଶ୍ୱ ବାଣିଜ୍ୟ ସଂଘ(ଡବ୍ଲ୍ୟୁଟିଓ) ଆକଳନ କରିଛି ଯେ, ୨୦୨୦ରେ ବିଶ୍ୱ ବାଣିଜ୍ୟ ୧୩ରୁ ୩୨% କମିଯିବ ।  ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଅନୁମାନ କରିଛି ଯେ, ଏ ବର୍ଷ ବିଶ୍ୱ ଅର୍ଥନୀତି ୪.୨% ହ୍ରାସ ଘଟିବ । ବିଶ୍ୱ ବ୍ୟାଙ୍କ ଏବଂ ଓଇସିଡି ଆକଳନ କରିଛନ୍ତି ଯେ, ଏ ବର୍ଷ ବିଶ୍ୱ ଅର୍ଥନୀତି ଯଥାକ୍ରମେ ୫.୨% ଏବଂ ୬% ହ୍ରାସ ଘଟିବ ।

କ’ଣ କରିବାକୁ ହେବ

ତଥ୍ୟ ଅନୁସାରେ, ଭାରତୀୟ ନିର୍ମାଣ କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହା ୫୦.୩% ଖସିଛି । ଏହା ପଛକୁ ରହିଛି ବାଣିଜ୍ୟ, ହୋଟେଲ ଏବଂ ପରିବହନ । ଏହି ୩ଟି ଶିଳ୍ପରେ ୪୭% ପତନ ଘଟିଛି । ବିନିର୍ମାଣ କ୍ଷେତ୍ର ୩୯.୩% ଏବଂ ଖଣିଜ ଶିଳ୍ପ ୨୩.୮% ସଙ୍କୁଚିତ ହୋଇଛି । ଏସବୁ ଶିଳ୍ପ ଦେଶରେ ବୃହତ୍‌ ପରିମାଣରେ ନିଯୁକ୍ତି ସୃଷ୍ଟି କରିଥାନ୍ତି । ଏହି କ୍ଷେତ୍ରଗୁଡିକ ପତନମୁହାଁ ହେବା ଅର୍ଥ ବେକାରି ହାର ବୃଦ୍ଧି ପାଇବା ଥୟ । ମୋଟ ମୂଲ୍ୟଯୁକ୍ତ(ଜିଭିଏ) ଆଧାରରେ କୃଷି କ୍ଷେତ୍ରରେ ୩.୪% ଅଭିବୃଦ୍ଧି ଦେଖାଦେଇଛି । ଏଥିରେ ବି ଏକ ଚିନ୍ତା ରହିଛି । ଏସ୍‌ବିଆଇ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁସାରେ, ଦେଶର ୮ଟି ରାଜ୍ୟରେ ହାରାହାରି ଜିଡିପି ହ୍ରାସରେ ଗ୍ରାମୀଣ ଅର୍ଥନୀତିର ସର୍ବାଧିକ ଭାଗ ରହିଛି । ଏହି ରାଜ୍ୟଗୁଡିକ ମଧ୍ୟରୁ ଅଧିକାଂଶ ରାଜ୍ୟ ଧାନ ଆଦି ଶସ୍ୟ, ଡାଲି ଏବଂ ଖାଇବା ତେଲ ଉତ୍ପାଦନ କରିଥାନ୍ତି ।

ଏଭଳି କ୍ଷେତ୍ରରେ ସୁଚିନ୍ତିତ ରାଜ୍ୟନୈତିକ ଏବଂ ଆର୍ଥିକ ପଦକ୍ଷେପ ଲୋଡ଼ା । ଅର୍ଥନୀତିର ମୂଳଦୁଆ ଖରାପ ହୋଇଚାଲିଛି । ଶିଳ୍ପ ଉତ୍ପାଦନ ଜୁଲାଇରେ ୧୦.୪% ହ୍ରାସ ଘଟିଛି । ଇତିମଧ୍ୟରେ ଆର୍‌ବିଆଇ ଏହାର ୫୬ ଦିନିଆ ରେପୋ ଅକ୍ସନ ପାଇଁ ମାତ୍ର ୧୦୦୦ କୋଟି ଟଙ୍କାର ବିଡ୍‌ ସଂଗ୍ରହ କରିଛି । ସର୍ବୋଚ୍ଚ ବ୍ୟାଙ୍କ ପକ୍ଷରୁ ୫୦,୦୦୦ କୋଟି ଟଙ୍କାର ବିଡ୍‌ ଆହ୍ୱାନ କରାଯାଇଥିଲା । କିନ୍ତୁ ଏଥିରୁ ମାତ୍ର ୧୦୦୦ କୋଟି ଟଙ୍କାର ବିଡ୍‌ ସଂଗ୍ରହ କରାଯିବା ଚିନ୍ତାଜନକ । ଏପ୍ରିଲ-ଜୁନ୍‌ରେ ଦେଶର ବିତ୍ତୀୟ ନିଅଣ୍ଟ ୮୩.୨% ଛୁଇଁଛି ।

ରାଜସ୍ୱ ମଧ୍ୟ ହ୍ରାସ ପାଉଛି । ମୋଟ ନେଟ୍‌ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୬.୩% ହ୍ରାସ ଘଟିଛି । ଜିଏସ୍‌ଟି ରାଜସ୍ୱ ସଂଗ୍ରହ ବହୁ ମାତ୍ରାରେ ହ୍ରାସ ପାଇଛି । ବଜେଟ୍‌ରେ ରଖାଯାଇଥିବା ୨.୧୦ ଲକ୍ଷ କୋଟିର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଏବଂ ୬.୯୦ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ହାସଲ ଅସମ୍ଭବ ଜଣାପଡୁଛି । ଚଳିତ ଆର୍ଥିକବର୍ଷର ପ୍ରଥମ ୪ ମାସରେ ହାରାହାରି ଜିଏସ୍‌ଟି ସଂଗ୍ରହ ମାତ୍ର ୬୮,୧୬୫ କୋଟି ଟଙ୍କା ରହିଛି । ମାସିକ ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ୧ ଲକ୍ଷ କୋଟି ଧାର୍ଯ୍ୟ କରାଯାଇଥିଲା । ୨୦୨୦ ମେ’ ସୁଦ୍ଧା ମାତ୍ର ୧୬,୬୮୭ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ହୋଇଛି । ଏହା ଆର୍ଥିକବର୍ଷ ପାଇଁ ରଖାଯାଇଥିବା ମୋଟ ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟର ମାତ୍ର ୭.୯୫% ।

୧୯୯୧ରୁ ଭାରତ ସବୁଠାରୁ ନିକୃଷ୍ଟ ଆର୍ଥିକ ସଙ୍କଟର  ସାମ୍ନା କରୁଛି । ଅଗଷ୍ଟରେ ବେକାରି ହାର ୮.୩% ରହିଛି । ସହରାଞ୍ଚଳରେ ଏହା ୮.୩% ଏବଂ ଗ୍ରାମାଞ୍ଚଳରେ ୭.୬% ରହିଛି । ଆସନ୍ତା ୧୦ ବର୍ଷ ମଧ୍ୟରେ ୯ କୋଟି ଅଣ-କୃଷି ନିଯୁକ୍ତି ସୃଷ୍ଟି କରିବା ପାଇଁ ୮% ଜିଡିପି ଅଭିବୃଦ୍ଧି ନିହାତି ଆବଶ୍ୟକ ବୋଲି ମାକ୍‌କିନ୍‌ସେ ଏହାର ରିପୋର୍ଟରେ ଉଲ୍ଲେଖ କରିଛି ।  ଖାଦ୍ୟପଦାର୍ଥ ଦରବୃଦ୍ଧି ଯୋଗୁ ଜୁଲାଇରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୯୩% ଛୁଇଁଛି । ଲକ୍‌ଡାଉନ୍‌ ଯୋଗୁ ଆର୍ଥିକ ଗତିବିଧି ବ୍ୟାହତ ହେବା କାରଣରୁ ଅନେକ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ବ୍ୟୟ ବୃଦ୍ଧି ଛଡ଼ା ବାଟ ନାହିଁ

ବର୍ତ୍ତମାନ ଅର୍ଥନୀତିରେ ଦେଖାଦେଇଥିବା ହ୍ରାସ ଆଶା କରାଯାଉଥିଲା । କିନ୍ତୁ ଅର୍ଥନୀତିରେ ଏହି ହ୍ରାସ କୋଭିଡ୍‌-୧୯ ପୂର୍ବରୁ ବି ହେଉଥିଲା । ୨୦୧୯-୨୦ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ ଦେଶର ବିକାଶ ହାର ମାତ୍ର ୩.୧% ଥିଲା । ସମ୍ପୂର୍ଣ୍ଣ ଆର୍ଥିକବର୍ଷ ପାଇଁ ଏହା ୪.୨% ଥିଲା । ଦଶନ୍ଧିର ଏହା ସର୍ବନିମ୍ନ ବିକାଶ ହାର ରହିଥିଲା । ଅର୍ଥନୀତିକୁ ପ୍ରାକ୍‌-କୋଭିଡ୍‌ ସ୍ତରକୁ ଆଣିବାକୁ ହେଲେ ସରକାରଙ୍କୁ ବ୍ୟୟ ବଢ଼ାଇବାକୁ ପଡ଼ିବ । ଏହା ଛଡ଼ା ଆଉ କୌଣସି ଉପାୟ ନାହିଁ ।

ସରକାରଙ୍କୁ ସଂଶୋଧିତ ପଦକ୍ଷେପ ନେବାକୁ ପଡ଼ିବ । ବ୍ୟାଙ୍କ, ବ୍ୟବସାୟ ଏବଂ ଅନ୍ତର୍ଜାତୀୟ ସଂସ୍ଥାଗୁଡିକର ଆସ୍ଥା ଫେରାଇ ଆଣିବାରେ ଏହା କାର୍ଯ୍ୟ କରିବ । ଅର୍ଥନୀତିକୁ ସଜାଡିବା ପାଇଁ ଏକ ସୁଚିନ୍ତିତ ଆର୍ଥିକ ଯୋଜନା  ନିତାନ୍ତ ଜରୁରୀ । ଅର୍ଥନୀତିକୁ ସଜାଡିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅନେକ ଉପାୟ ଦେଇଛନ୍ତି । ଖର୍ଚ୍ଚ ବଢ଼ାଇବା ପାଇଁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଲୋକଙ୍କ ହାତକୁ ଟଙ୍କା ଆସିବା ଦରକାର । ଫଳରେ ସେମାନେ ଖର୍ଚ୍ଚ କରିବେ ଏବଂ ଘରୋଇ ଚାହିଦା ଫେରିବ । ଆର୍ଥିକ ସୁଧାର ପାଇଁ ଉଭୟ ବିତ୍ତୀୟ ଏବଂ ମୌଦ୍ରିକ ସହାୟତା ଲୋଡ଼ା । ବଜାରରେ ଚାହିଦା ଫେରାଇବା ପାଇଁ ସଂଶୋଧିତ ନୀତି ଅଣାଯିବା ଦରକାର ବୋଲି ଅର୍ଥନୀତିଜ୍ଞମାନେ ପରାମର୍ଶ ଦେଇଛନ୍ତି । ପ୍ରତ୍ୟକ୍ଷ ଆର୍ଥିକ ସହାୟତା ନିତାନ୍ତ ଦରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ଲକ୍ଷ କୋଟି ଟଙ୍କାର ଏକ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଥିଲେ । କିନ୍ତୁ ନୂତନ ବ୍ୟୟ ଜିଡିପିର ୨%ରୁ ଅଧିକ ନାହିଁ । ସରକାରଙ୍କୁ ଏହା ଉପରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

   ସମ୍ବନ୍ଧିତ ଖବର


ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

ଦେଖନ୍ତୁ-ଭିଡିଓ ତିଆରି କରିବା ପାଇଁ ଏକ କୋଟି ଟଙ୍କାର ଲକ୍ସରି କାର୍‌ ଜାଳିଦେଲେ ୟୁଟ୍ୟୁବର

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

ସ୍କନ୍ଦ ପୁରାଣ କୁହେ କାର୍ତ୍ତିକ ହେଉଛି ପୂଣ୍ୟ ମାସ-ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ଶ୍ରୀବିଗ୍ରହଙ୍କ ରାଧା ଦାମୋଦର ବେଶ ବାଳଭୋଗ ଅର୍ପଣ

ପରିବାର ଲୋକଙ୍କୁ ଭେଟିବା ପାଇଁ ୨୬ ଦିନରେ ୬୦ କିଲୋମିଟର ଦୌଡିଲା ପୋଷା କୁକୁର- ପଢନ୍ତୁ ସଂଘର୍ଷର କାହାଣୀ