ଏସସିବି ନ୍ଯୁରୋ ସର୍ଜରୀ ବିଭାଗ: ଚଟାଣରେ ଗଡୁଛନ୍ତି ରୋଗୀ

କଟକ,୨୬ା୪(ବ୍ୟୁରୋ): ଏସ୍‌ସିବି ମେଡିକାଲ କଲେଜ୍‌ ଏବଂ ହସ୍ପିଟାଲର ନ୍ୟୁରୋ ସର୍ଜରୀ ବିଭାଗ ୱାର୍ଡ ସମ୍ପ୍ରସାରଣ ଲାଗି ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । ଅପରେସନ୍‌ ଥିଏଟର୍‌ ସମେତ ଆଇସିୟୁ, ଜେନେରାଲ୍‌ ବେଡ୍‌, ଗ୍ୟାସ୍‌ ପାଇପ୍‌ ଲାଇନ୍‌, ଚିକିତ୍ସା ସରଞ୍ଜାମ ଏବଂ ଯନ୍ତ୍ରପାତି ଆଦି ସମସ୍ତ ସୁବିଧା ଉପଲବ୍‌ଧ ରହିଛି । ମସ୍ତିଷ୍କ ଆଘାତ, ଦୁର୍ଘଟଣାଗ୍ରସ୍ତ ଏବଂ ବ୍ରେନ୍‌ ଟ୍ୟୁମର୍‌ ପୀଡ଼ିତ ରୋଗୀଙ୍କ ଚିକିତ୍ସା ପାଇଁ ନ୍ୟୁରୋ ସର୍ଜରୀ ଉପର ମହଲାରେ ଦୀର୍ଘ ଦିନ ହେଲା ପ୍ରସ୍ତୁତ ହୋଇଥିବା ନୂତନ ୱାର୍ଡରେ ସବୁ ସୁବିଧା ଥାଇ ମଧ୍ୟ ଏହା କାମରେ ଆସୁନାହିଁ । ୱାର୍ଡ ସମ୍ପ୍ରସାରଣରେ ସରକାରୀ ତହବିଲ୍‌ରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତାହା ରୋଗୀ ସେବାରେ ବ୍ୟବହାର ହୋଇନପାରି ବରବାଦ ହେଉଛି ।

ହୃଦବକ୍ଷଶଲ୍ୟ (କାର୍ଡିଓଥୋରାସିସ୍‌) ବିଭାଗ କାର୍ଡିଓଲୋଜି ବିଭାଗ ପରିସରକୁ ସ୍ଥାନାନ୍ତର ହେଇଯିବା ପରେ ନ୍ୟୁରୋ ସର୍ଜରୀ ବିଭାଗ ବିଲ୍‌ଡିଂ ଉପର ମହଲାରେ ଖାଲିଥିବା ଉକ୍ତ ୱାର୍ଡର ପୁନରୁଦ୍ଧାର କରାଯାଇଥିଲା । ନ୍ୟୁରୋ ସର୍ଜରୀ ବିଭାଗର ସମ୍ପ୍ରସାରଣ ଲାଗି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ପୁନରୁଦ୍ଧାର ହୋଇଥିବା ଏହି ନୂତନ ୱାର୍ଡରେ ପ୍ରାୟ ୩୦ଟି ବେଡ୍‌ରୁ ଆରମ୍ଭ କରି ଆଇସିୟୁ, ଅପରେସନ୍‌ ଥିଏଟର ଆଦି ସମସ୍ତ ସୁବିଧା ରହିଛି । ସବୁ ସୁବିଧା ଥାଇ ମଧ୍ୟ ନ୍ୟୁରୋସର୍ଜରୀ ବିଭାଗରେ ଗୁରୁତର ସ୍ନାୟୁ ସମସ୍ୟା ଜନିତ ରୋଗୀ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛି । ନ୍ୟୁରୋ ସର୍ଜରୀ ବିଭାଗର ଟ୍ରମା ୱାର୍ଡରେ ଏବେ ପ୍ରାୟ ୨୪ଟି ବେଡ୍‌ ଏବଂ ସ୍ନାୟୁ ଶଲ୍ୟ ଜନିତ ରୋଗୀଙ୍କ ପାଇଁ ଥିବା ୱାର୍ଡରେ ପ୍ରାୟ ୩୦ଟି ବେଡ୍‌ ରହିଛି । ଏହା ବାଦ୍‌ ଅତି ଗୁରୁତର ରୋଗୀଙ୍କ ପାଇଁ ଥିବା ଆଇସିୟୁରେ ମାତ୍ର ୪ଟି ବେଡ୍‌ ରହିଛି । ରୋଗୀ ସଂଖ୍ୟାଠାରୁ ବେଡ୍‌ ସଂଖ୍ୟା ଯଥେଷ୍ଟ ଅଭାବ ରହିଛି । ଏପରିସ୍ଥଳେ ବ୍ରେନ୍‌ ଟ୍ୟୁମର ଓ ଗୁରୁତର ଦୁର୍ଘଟଣାଗ୍ରସ୍ତ ଏବଂ ଅନ୍ୟାନ୍ୟ ସ୍ନାୟୁଶଲ୍ୟ ଜନିତ ଅନେକ ରୋଗୀଙ୍କ ମଧ୍ୟରୁ କିଏ ଚଟାଣରେ ପଡି ଚିକିତ୍ସିତ ହେଉଛନ୍ତି ତ’ ଆଉ କିଏ ବାରଣ୍ଡାରେ ପଡିଥିବା ଦେଖିବାକୁ ମିଳୁଛି । ଓଟି ଟେବୁଲ୍‌ ଅଭାବରୁ ରୋଗୀଙ୍କୁ ଅପରେସନ୍‌ ପାଇଁ ୨/୩ ମାସ କାଳ ଅପେକ୍ଷା କରି ରହିବାକୁ ପଡୁଛି । ଏପରି ସ୍ଥିତିରେ ଅନେକ ରୋଗୀ ଅପରେସନ୍‌ ଏବଂ ଅନ୍ୟାନ୍ୟ ଚିକିତ୍ସା ସୁବିଧା ନପାଇ ଅକାଳରେ ଆଖି ବୁଜୁଛନ୍ତି ।

ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଡାକ୍ତରଖାନା କର୍ତ୍ତୃପକ୍ଷ ନ୍ୟୁରୋ ସର୍ଜରୀ ବିଭାଗକୁ ସମ୍ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ୱାର୍ଡ ପୁନରୁଦ୍ଧାରଠାରୁ ଆରମ୍ଭ କରି ଆଇସିୟୁ ଏବଂ ଅପରେସନ୍‌ ଥିଏଟର ଆଦି ସମସ୍ତ ବନ୍ଦୋବସ୍ତ କରାଇଛନ୍ତି । ସବୁ ସୁବିଧା ଥାଇ ମଧ୍ୟ କେଉଁ କାରଣରୁ ନୂତନ ୱାର୍ଡ ସମ୍ପ୍ରସାରଣ ହୋଇପାରୁନାହିଁ ତାହା ଏବେ ରହସ୍ୟମୟ ହୋଇ ରହିଛି । ଅନ୍ୟପକ୍ଷରେ ନ୍ୟୁରୋ ସର୍ଜରୀ ବିଭାଗରେ ରୋଗୀ ଯେଉଁ ହାରରେ ବୃଦ୍ଧି ପାଉଛି, ଏଠାରେ ଆଉ ଏକ ୟୁନିଟ୍‌ର ମଧ୍ୟ ଆବଶ୍ୟକ ରହିଛି । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ରହିଛି । ୨ ଜଣ ପ୍ରଫେସର, ୨ ଜଣ ଆସିଷ୍ଟାଣ୍ଡ୍‌ ପ୍ରଫେସର, ଜଣେ ସିନିୟର୍‌ ରେସିଣ୍ଡେଣ୍ଟ୍‌ ଡାକ୍ତର ଓ ୩ ଜଣ ଆସିଷ୍ଟାଣ୍ଡ୍‌ ସର୍ଜନ୍‌ ନିୟୋଜିତ ଅଛନ୍ତି । ଦ୍ୱିତୀୟ ୟୁନିଟ୍‌ ସ୍ଥାପନ ହେଲେ ଏମ୍‌ସିଏଚ୍‌ ପାଠ୍ୟକ୍ରମ ଲାଗି ଆଉ ଅଧିକ ସିଟ୍‌ ବୃଦ୍ଧି ପାଇବା ସହ ରୋଗୀମାନେ ମଧ୍ୟ ଚିକିତ୍ସାରେ ସୁବିଧା ପାଇପାରିବେ ବୋଲି ଜଣେ ବରିଷ୍ଠ ବିଶେଷଜ୍ଞ କହିଛନ୍ତି । ମାତ୍ର କେଉଁ ଅଜଣା କାରଣ ପାଇଁ ନ୍ୟୁରୋସର୍ଜରୀ ବିଭାଗ ଦ୍ୱିତୀୟ ୟୁନିଟ୍‌ ପାଇଁ ଉଦ୍ୟମ କରାଯାଉନଥିବା ଅଭିଯୋଗ ହେଉଛି । ଏହା ପଛରେ କିଛି ଚକ୍ରାନ୍ତ ଥିବା ବି କୁହାଯାଉଛି ।

   ସମ୍ବନ୍ଧିତ ଖବର


କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ଫେସ୍‌ବୁକ୍‌ରେ ଅଶ୍ଲୀଳ ଭିଡିଓ ଭାଇରାଲ ! ଥାନାରେ ଅଭିଯୋଗ କଲେ ଓଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀଙ୍କ ଭଉଣୀ

କୋଣାର୍କ ମହୋତ୍ସବ ବନ୍ଦ ଲାଗି ହାଇକୋର୍ଟରେ ମାମଲା ରୁଜୁ

ବରିଷ୍ଠ ଅଭିନେତା ଜିମୂତ ପଟ୍ଟନାୟକଙ୍କ ପରଲୋକ

କଟକରେ ଖୁବ୍‌ଶୀଘ୍ର ପାଇପ୍‌ରେ ମିଳିବ ରନ୍ଧନ ଗ୍ୟାସ