୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ କଲା କଂଗ୍ରେସ

ଭୁବନେଶ୍ବର ୬/୩: ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଚୁଡାନ୍ତ କଲା କଂଗ୍ରେସ । ରାଜ୍ୟର ୧୪୭ ବିଧାନସଭା ଓ ୨୧ଟି ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି। ପ୍ରଦେଶ କଂଗ୍ରେସ କମିଟିର ଆଜି ଅନୁଷ୍ଠିତ ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇ ସିଇସିକୁ ପଠାଯାଇଛି । କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ରେ ଆଲୋଚନା ହେବା ପରେ ତାଲିକା ରାହୁଲ ଗାନ୍ଧୀଙ୍କ ନିକଟକୁ ଯିବ । ରାହୁଲଙ୍କ ମୋହର ବାଜିବା ପରେ ଟିକେଟ୍ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ଦଳର ଓଡ଼ିଶା ପ୍ରଭାରୀ ଟି.ଏସ୍ ସିଂହଦେଓ ।
ତେବେ ଏହି ପ୍ରାର୍ଥୀ ତାଲିକାରେ କିଛି ନିର୍ବାଚନ ମଣ୍ଡଳୀ ପାଇଁ ଏକାଧିକ ପ୍ରାର୍ଥୀଙ୍କ ନାଁ ସୁପାରିଶ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ସମସ୍ତଙ୍କଠୁ ଆଗରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ପୂର୍ବରୁ ଦଳ ପକ୍ଷରୁ କୁହାଯାଇଥିଲା। ବୈଠକ ପୂର୍ବରୁ କଂଗ୍ରେସର ସ୍କ୍ରିନିଂ କମିଟି ପାଖରେ ୨୧ଟି ଲୋକସଭା ଏବଂ ୧୪୭ ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧ ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀଙ୍କ ଦରଖାସ୍ତ ପହଞ୍ଚିଥିଲା । ସେଥିରେ ୪ଜଣ କିନ୍ନର ପ୍ରାର୍ଥୀ ମଧ୍ଯ ଥିଲେ ।
କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜୋନରେ କର୍ମୀଙ୍କଠୁ ମତାମତ ସଂଗ୍ରହ ସାଙ୍ଗକୁ ଆଶାୟୀ ପ୍ରାର୍ଥୀଙ୍କ ଦାବି ସଂଗ୍ରହ କରାଯାଇଥିଲା। ସେହି ଆଧାରରେ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରାର୍ଥୀ ତାଲିକା ପ୍ରସ୍ତୁତ ବେଳେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାରି କରିଥିବା କିଛି ସର୍ତ୍ତାବଳିକୁ ମଧ୍ୟ ଦୃଷ୍ଟିରେ ରଖାଯାଇଛି। ବାରମ୍ବାର ନିର୍ବାଚନ ହାରୁଥିବା ନେତାଙ୍କୁ ଆଉ ଟିକଟ ନଦେବା ପାଇଁ ରାହୁଲ ଗାନ୍ଧୀ କଟକଣା ଜାରି କରିଛନ୍ତି।
ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମସ୍ତ ପୂର୍ବତନ ପିସିସି ସଭାପତି, ପ୍ରଭାରୀ ଜିତେନ୍ଦ୍ର ସିଂହ, ଟି. ଏସ୍. ସିଂହଦେଓ, ସହପ୍ରଭାରୀ ଆଦିତ୍ୟ ଶର୍ମା, ଅନିଲ୍ ଚୌଧୁରୀ, ରୁଦ୍ର ରାଜୁ, ମସ୍ତାନ ଭାଲି, ସୁଶିଳା ତିରିଆ, ବିଭୂପ୍ରସାଦ ତରାଇ, ତାରା ବାହିନୀପତି, ଭୁଜବଳ ମାଝି, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ଚିରଞ୍ଜୀବ ବିଶ୍ୱାଳ, ସାଂସଦ ରଞ୍ଜୀବ ବିଶ୍ୱାଳ, ସମସ୍ତ ଛାମୁଆ ସଙ୍ଗଠନର ମୁଖ୍ୟଙ୍କ ସମେତ ପିଇସିର ସମସ୍ତ ସଦସ୍ୟ ଯୋଗଦେଇଥିଲେ ।
ଅଧିକ ପଢନ୍ତୁ ପ୍ରଦେଶ କଂଗ୍ରେସର ସମ୍ଭାବ୍ଯ ପ୍ରାର୍ଥୀ ତାଲିକା, ଜାଣନ୍ତୁ କିଏ କେଉଁଠୁ…