ସବୁ କ୍ଷେତ୍ରରେ ରାଜ୍ୟ ଜାତୀୟ ସ୍ତରରେ ପଛୁଆ, ନବୀନ ୧ ନମ୍ୱର ମୁଖ୍ୟମନ୍ତ୍ରୀ ହେଲେ କେମିତି: ନିରଞ୍ଜନ

ଭୁବନେଶ୍ୱର,୧୭/୦୧: ରାଜ୍ୟରେ ଦଣ୍ଡହାର ମାତ୍ର ୪ ପ୍ରତିଶତ ରହିଛି । ସେହିପରି ସୁପରିଚାଳନା ବା ଗୁଡ଼୍ ଗଭର୍ଣ୍ଣାନ୍ସରେ ଓଡ଼ିଶା ତଳ ଆଡ଼ୁ ୪ ନମ୍ୱର । ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ରାଜ୍ୟ ପୁଲିସ୍କୁ ମାତ୍ର ୨୭ ପ୍ରତିଶତ ସଫଳତା ମିଳିଛି। ବେକାରି ବୃଦ୍ଧିରେ ମଧ୍ୟ ଓଡ଼ିଶା ୧ ନମ୍ୱର । ହେଲେ ନବୀନ ପଟ୍ଟନାୟକ କିଭଳି ଦେଶର ୧ନମ୍ୱର ମୁଖ୍ୟମନ୍ତ୍ରୀ ହେଲେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଏକ ପ୍ରେସ୍ ବିଜ୍ଞପ୍ତିରେ ନିରଞ୍ଜନ କହିଛନ୍ତି, ରାଜ୍ୟରେ ଶ୍ରମିକମାନେ ହତାସ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ରାଜନୈତିକ ହିଂସା ବୃଦ୍ଧି ପାଉଛି । ନାରୀ ନିର୍ଯାତନାରେ ରାଜ୍ୟ ଦ୍ୱିତୀୟରେ ଅଛି। ହେଲେ ଜନମତକୁ ଭ୍ରମିତ କରିବା ହେଉ ବା ବିଗୁଡ଼ିଥିବା ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ବହୁଳ ଅର୍ଥ ବ୍ୟୟ କରି ଏଭଳି ଏକ ପୁରସ୍କାର ଯୋଗାଡ଼ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । କେବଳ ପ୍ରତିଶ୍ରୁତି, ପ୍ରତାରଣା ଓ ପ୍ରଚାରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଲିଛି ବୋଲି ସେ କହିଛନ୍ତି ।