ପାକିସ୍ତାନର ଭାଷା କହୁଛି ବିରୋଧୀ, ଆତଙ୍କବାଦୀଙ୍କ ଫ୍ର୍ୟାକ୍ଟ୍ରି ଆଉ ଚାଲିବନି: ମୋଦି

ଜୟପୁର,୨୩।୨: ପୁଲଓ୍ବାମା ଆକ୍ରମଣରେ ଶହୀଦଙ୍କ ପରିବାର ଲୋକଙ୍କ ସାହାର୍ଯ୍ୟ ପାଇଁ ପ୍ରତ୍ୟେକ ଭାରତୀୟ ଛିଡା ହୋଇଛନ୍ତି। କିନ୍ତୁ ଅଳ୍ପ କିଛି ଲୋକଙ୍କୁ ନେଇ ଦୁଃଖ ଲାଗେ ଯେଉଁମାନେ ଭାରତରେ ରହି ପାକିସ୍ତାନର ଭାଷା କୁହନ୍ତି।ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ପାକିସ୍ତାନ ଯାଇ କହୁଛନ୍ତି କିଛି ବି କରିନିଅ କିନ୍ତୁ ମୋଦିକୁ ହଟାଅ। ଏମାନେ ହେଉଛନ୍ତି ସେହି ଲୋକ ଯିଏକି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଜବାବ୍ ଦେଇପାରିନାହାଁନ୍ତି। ଏଭଳି ଲୋକ ଦେଶର ଯବାନଙ୍କ ପାଇଁ କିମ୍ବା ଦେଶର କୃଷକଙ୍କ ପାଇଁ ନୁହନ୍ତି। ବିଶ୍ବରେ ଯେ ପର୍ଯ୍ୟନ୍ତ ଶାନ୍ତି ରହିଛି ଆତଙ୍କବାଦୀଙ୍କ ଫ୍ର୍ୟାକ୍ଟ୍ରି ଚାଲିବନି। ଏହା ମୋର ସଂକଳ୍ପ ନୁହେଁ ୧୩୦ କୋଟି ଭାରତୀୟଙ୍କ। ପୁଲଓ୍ବାମା ଷଡଯନ୍ତ୍ରକାରୀଙ୍କ ସମ୍ପୂର୍ଣ୍ଣ ହିସାବ ନିଆଯିବ ବୋଲି ମୋଦି ତାଙ୍କର ଭାଷଣରେ କହିଛନ୍ତି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଓ ରାଜସ୍ଥାନର ଉପମୁଖ୍ୟ ମନ୍ତ୍ରୀ ସଚିନ ପାଇଲଟଙ୍କ ବିଧାନସଭା ଅଞ୍ଚଳରେ ବିଜୟ ସଂକଳ୍ପ ରାଲିରେ କହିଛନ୍ତି। ବିଜେପି ପାଇଁ ରାଜ୍ୟ ଲୋକସଭା ନିର୍ବାଚନର ଶୁଭାରମ୍ଭ କରିବା ସହ ମୋଦି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାଜସ୍ତାନର ଫୌଜି ଭାଇମାନଙ୍କୁ ମନେଥିବ ସେମାନେ କିଭଳି ୪୦ ବର୍ଷ ପର୍ଯ୍ୟନ୍ତ ଓ୍ବାନ୍ ରାଙ୍କ ଓ୍ବାନ୍ ପେନଶନ ନେଇ ମିଛ ପ୍ରତିଶୃତି ଦେଲେ। ଏବେ ସେମାନେ ଶହୀଦ ଯବାନଙ୍କ ପାଇ ଦୁଃଖ ପ୍ରକାଶ କରୁଛନ୍ତି। ଏଭଳି କଥା ତାଙ୍କୁ ଶୋଭା ଦେଉନି। ଆମ ସରକାର ଯବାନଙ୍କ ପ୍ରାୟ ୧୧୦୦୦ କୋଟି ଟଙ୍କାର ଏରିୟର ଦେଇ ସାରିଛି। ଏହି କାମ ଏଥିପାଇଁ ହେଲା କାରଣ ମୋଦି ଅଛନ୍ତି ତ ସବୁ କିଛି ସମ୍ଭବ।
ଆତଙ୍କବାଦ ପ୍ରସଙ୍ଗ ନେଇ ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଘେରିଛନ୍ତି। ସେ କହିଛନ୍ତି ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ହେବା ବେଳେ କହିଥିଲେ ସେ ଯାହା କୁହନ୍ତି, ସତ କୁହନ୍ତି। ଏବେ ଇମ୍ରାନ ଖାନ କେତେ ଦୂର ସତ କୁହନ୍ତି ତାହା ଜଣାପଡୁଛି। କଶ୍ମୀରବାସୀଙ୍କ ଉପରେ ଆକ୍ରମଣ ଘଟଣାରେ ମୋଦି କହିଛନ୍ତି ଏହି ଲଢେଇ କଶ୍ମୀର ପାଇଁ ହେଉଛି କଶ୍ମୀରବାସୀଙ୍କ ବିରୋଧରେ ନୁହେଁ। ଆପଣଙ୍କର ଏକ ପ୍ରଧାନସେବକ ଆତଙ୍କବାଦୀଙ୍କ ଦାନା ପାଣି ବନ୍ଦ କରିବାରେ ଲାଗିଛି। ରାଜନୀତି ଠାରୁ ଉପରେ ହେଉଛି ରାଷ୍ଟ୍ରନୀତି ବୋଲି ମୋଦି ତାଙ୍କ ଭାଷଣରେ କହିଛନ୍ତି।