PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

କର୍ପୋରେଟ୍‌କୁ ଘାରିଲା ‘ପେଗାସସ୍’ ଭୟ, ନିଆଯାଉଛି ସାଇବର ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଇୱେରକୁ ନେଇ ଏବେ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଭାରତର ବଡ଼ ବଡ଼ କର୍ପୋରେଟ୍‌ ସଂସ୍ଥାଙ୍କୁ ଏ ନେଇ ଭୟ ଘାରିଛି । ସମ୍ଭାବ୍ୟ ସ୍ପାଇୱେର ଆକ୍ରମଣରୁ ବର୍ତ୍ତିବା ପାଇଁ ସେମାନେ ସାଇବର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ଲାଗି ପଦକ୍ଷେପ ନେଉଛନ୍ତି । ସ୍ନୁପିଙ୍ଗ୍‌ ଟାର୍ଗେଟ୍‌କୁ କିଭଳି ନିଷ୍କ୍ରିୟ କରାଯାଇ ପାରିବ, ସେଥିପାଇଁ ବିଭିନ୍ନ ପେସାଦାରଙ୍କ ପରାମର୍ଶ ନେଉଛନ୍ତି ।

ଖବର ମୁତାବକ ଭାରତର ଏକ ବଡ଼ କର୍ପୋରେଟ୍‌ ସଂସ୍ଥା ଅତିକମ୍‌ରେ ୧୫୦ ସ୍ବତନ୍ତ୍ର ମୋବାଇଲ ଫୋନ୍‌ ହାସଲ ପାଇଁ ଏକ ସାଇବର ସିକ୍ୟୁରିଟି କମ୍ପାନି ସହ ଯୋଗାଯୋଗରେ ରହିଛି । କମ୍ପାନି ଏହାର କାର୍ଯ୍ୟନିର୍ବାହୀ ସ୍ତରର ସମସ୍ତ ଅଧିକାରୀଙ୍କୁ ଏହି ସ୍ୱତନ୍ତ୍ର ଫୋନ୍‌ ଦେବ, ଯାହାକୁ କୌଣସି ସ୍ପାଇୱେର ଦ୍ୱାରା ଟାର୍ଗେଟ୍‌ କରାଯାଇ ପାରିବ ନାହିଁ । ଏହି ଫୋନ୍‌ ଜରିଆରେ କୌଣସି ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ କରାଯାଇ ପାରିବ ନାହିଁ। ଇଣ୍ଟରନେଟ୍‌ ସର୍ଫିଙ୍ଗ୍‌ ବି ହୋଇପାରିବ ନାହିଁ। ଆହୁରି ମଧ୍ୟ ଏକ ସୁରକ୍ଷିତ ସର୍ଭର ଜରିଆରେ ପ୍ରତ୍ୟେକ ମେସେଜ୍‌ ଓ ଫୋନ୍‌ କଲ୍‌ ଗ୍ରହଣ କିମ୍ବା ପ୍ରେରଣ କରାଯିବ।

କମ୍ପାନିଗୁଡ଼ିକର ଏଭଳି ପଦକ୍ଷେପକୁ ପେଗାସସ୍‌ ଇଫେକ୍ଟ କୁହାଯାଇ ପାରିବ । ଚଳିତମାସ ୧୯ ତାରିଖରେ ପେଗାସସ୍‌ ସ୍ପାଇୱେର ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ସ୍ପାଇୱେର ଦ୍ୱାରା ବିଶ୍ୱର ୫୦,୦୦୦ ଫୋନ୍‌କୁ ହ୍ୟାକ୍‌ କରାଯାଇଥିବା ଏଥିରେ ଦର୍ଶାଯାଇଥିଲା । କେହି କେହି ଏଥିପାଇଁ ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଥିଲେ । ଏହି ଘଟଣା ପରେ ବିଭିନ୍ନ କ୍ଷେତ୍ରରେ କମ୍ପନ ସୃଷ୍ଟି ହୋଇଛି ।

ପେସାଦାର ସେବା କମ୍ପାନି ମଜାର୍ସ ଇଣ୍ଡିଆର ମ୍ୟାନେଜିଙ୍ଗ୍‌ ପାର୍ଟନର କାର୍ତ୍ତିକ ରାଡିଆ କହିଛନ୍ତି, ପେଗାସସ୍‌ ଭଳି ସ୍ପାଇୱେର ଆକ୍ରମଣକୁ ନେଇ ଭାରତର ଅଧିକାଂଶ ବ୍ୟବସାୟିକ ସଂଗଠନ ଆତଙ୍କିତ ହୋଇପଡ଼ିଛନ୍ତି । ସମ୍ଭାବ୍ୟ ସ୍ପାଇୱେର ଆକ୍ରମଣ ଦ୍ୱାରା ବ୍ୟବସାୟିକ କ୍ଷତି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ଅନ୍ତତଃ ମ୍ୟାନେଜମେଣ୍ଟ ଓ କାର୍ଯ୍ୟନିର୍ବାହୀ ସ୍ତରର ଅଧିକାରୀଙ୍କ ଫୋନ୍‌କୁ ସୁରକ୍ଷିତ ରଖିବା ଉପରେ ସେମାନେ ଜୋର ଦେଉଛନ୍ତି ।ଭାରତର ଆଉ ଏକ ବଡ଼ ସଂସ୍ଥା ସ୍ପାଇୱେରରୁ ବର୍ତ୍ତିବା ପାଇଁ କେବଳ ଫୋରେନ୍‌ସିକ୍‌ ଓ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ନେଉନାହିଁ । ବରଂ ଏହା କିଛି ଷ୍ଟାର୍ଟଅପ୍‌ ସହ ଆଲୋଚନା ଆରମ୍ଭ କରିଦେଇଛି । ବିଭିନ୍ନ ସାଇବର ଟେକ୍ନୋଲୋଜି ଷ୍ଟାର୍ଟଅପ୍‌କୁ ଦାୟିତ୍ୱ ଦେଇ ନିଜର ବ୍ୟବସ୍ଥାରେ ଥିବା ସମ୍ଭାବ୍ୟ ଅଭାବବୋଧ ଖୋଜି ତାହାକୁ ସଜାଡ଼ିବା ପାଇଁ ଏହା କହିଛି । ବ୍ୟାଙ୍କିଙ୍ଗ୍‌ ଆପ୍ଲିକେସନ୍‌ ପ୍ରତି ଅଧିକ ବିପଦ ରହିଥିବାରୁ ଏଥିପାଇଁ କମ୍ପାନିମାନେ ବେଶ୍‌ ସଜାଗ ହୋଇଯାଇଛନ୍ତି । କିଛି ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ପାଇଁ ସାଇବର ନିରାପତ୍ତା କର୍ମଶାଳା ମଧ୍ୟ ଆୟୋଜନ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ଇସ୍ରାଏଲ୍‌ର ସଫ୍ଟୱେର କମ୍ପାନି ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଇୱେର ଦ୍ୱାରା ବିଶ୍ୱରେ ୫୦,୦୦୦ ଫୋନ୍‌କୁ ହ୍ୟାକ୍‌ କରାଯାଇଥିବା ନିକଟରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି । ଏଥିରେ ଭାରତର ପ୍ରାୟ ୩୦୦ ଫୋନ୍‌ ନମ୍ବର ସାମିଲ । କେନ୍ଦ୍ରମନ୍ତ୍ରୀ, ରାଜନେତା, ବିଚାରପତି, ଓକିଲ, ୪୦ ସାମ୍ବାଦିକ, ସାମାଜିକ କର୍ମୀ ଏବଂ ବ୍ୟବସାୟୀ ତଥା ଶିଳ୍ପପତିଙ୍କ ଫୋନ୍‌ ନମ୍ବର ଏଥିରେ ସାମିଲ ରହିଛି । ୧୭ଟି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଏହି ରିପୋର୍ଟ ପ୍ରକାଶ ପାଇଥିଲା ।