ଲୋକଙ୍କ ମୁଣ୍ଡ ବିଗାଡ଼ିଲାଣି ଟ୍ରାଫିକ୍‌ ଜରିମାନା: ଦାନା ବାନ୍ଧୁଛି ଅସନ୍ତୋଷ, ବିରକ୍ତି

କଟକ ୭/୯ : ନୂଆ ମୋଟର ଯାନ ଆଇନ୍‌ ଚଳିତ ମାସ ପହିଲାରୁ ଲାଗୁ ହେଲା ଦିନୁ କଟକ କମିସନରେଟ୍‌ ଇଲାକାରେ ପୁଲିସ୍‌ ବାହିନୀ ଏବେ ତତ୍ପର ହୋଇଉଠୁଛି । ପୁଲିସ୍‌ ଏତେ ତତ୍ପର ହେବା ଆଗରୁ ଏମିତି ସହରରେ କେବେ କେଉଁଠି ସେମିତି ଦେଖିବାକୁ ମିଳିନଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗାଡ଼ି ମୋଟରକୁ ଅଟକାଇ ଯାଞ୍ଚ କରିବା ପାଇଁ ସହରର ଏବେ ସବୁ ଥାନାରେ ଅଭିଯାନ ଜାରି ରହିଛି । ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି ଏସ୍‌ଆଇ, ଏଏସ୍‌ଆଇ, ହାବିଲ୍‌ଦାର, କନ୍‌ଷ୍ଟେବଲ୍‌ ଓ ହୋମଗାର୍ଡ ସମସ୍ତେ ଏବେ ଜରିମାନା ଆଦାୟ କ୍ଷେତ୍ରରେ ବ୍ୟସ୍ତ ରହୁଥିବାର ଦେଖିବାକୁ ମିଳୁଛି । ଥାନା, ଫାଣ୍ଡିରେ କାର୍ଯ୍ୟରତ ପୁଲିସ୍‌ ମଧ୍ୟରୁ ଅଧା ପୁଲିସ୍‌ ଏବେ ରାସ୍ତାରେ ଗାଡ଼ି ମୋଟ୍ଟର ଯାଞ୍ଚ ଓ ଜରିମାନା ଆଦାୟରେ ନିୟୋଜିତ ଥିବାର ଦେଖିବାକୁ ମିଳୁଛି ।

ଏଣେ ରାସ୍ତା ଅବସ୍ଥା ବେହେଲା, ରାସ୍ତା ଉପରେ ଗାଡ଼ି ପାର୍କିଂ, ଜାମ ସମ୍ଭାଳିବା ପାଇଁ ରାସ୍ତାରେ ନାହାନ୍ତି ଆବଶ୍ୟକ ଟ୍ରାଫିକ୍‌ ପୁଲିସ । ଗୋଟେ ପଟେ କଟକଣା ଓ ଅନ୍ୟପଟେ ବେହାଲ ରାସ୍ତା ମଝିରେ ରହି ପେଶି ହେଇଯାଉଛନ୍ତି ସହରବାସୀ । ଉଭୟ ପଟୁ ଟ୍ରାଫିକ୍‌ ଯନ୍ତ୍ରଣାରେ ଲୋକେ କାଉଲିବାଉଳି ହେଇଗଲେ । ଲୋକଙ୍କ ମନରେ ଅସନ୍ତୋଷ, ବିରକ୍ତି ଦାନା ବାନ୍ଧୁଛି । ହୁଏତ ଏହା ବିସ୍ଫୋରକ ରୂପ ବି ନେଇପାରେ ।

ବାଦାମବାଡ଼ି, ଖାନନଗର, ମଧୁପାଟଣା, ପ୍ରେସ ଛକ, ଓଏମ୍‌ପି, ଯୋବ୍ରା ବ୍ୟାରେଜ୍‌ ଛକ, ସତୀଚୌରା, ନରାଜ, ମାତାମଠ, ଆଦି ସହରର ବିଭିନ୍ନ ସ୍ଥାନ ସମେତ ଏନ୍‌ଏଚ୍‌ରେ ଏବେ ଅଧିକାଂଶ ସ୍ଥାନରେ ପୁଳାପୁଳା ହୋଇ ପୁଲିସ୍‌ ଜଗି ରହିଛନ୍ତି । ଚୌଦ୍ୱାର ଥାନାରୁ ଜଗତପୁର, କନ୍ଦରପୁର ଥାନାରୁ ଚାଉଳିଆଗଞ୍ଜ ଥାନା, ମଧୁପାଟଣାରୁ ସିଡିଏ ଫେଜ-୨ ଥାନା । ସହର ମଧ୍ୟସ୍ଥଳରୁ ଉପକଣ୍ଠ ଯାଏ ସବୁଠି ଚାଲିଛି ଗାଡ଼ିମୋଟର ଧରପଗଡ଼ । ସକାଳୁ ରାତି ଯାଏ ଚାଲିଛି । ସିଫ୍ଟ ଅନୁସାରେ ଡ୍ୟୁଟି ବଣ୍ଟା ଯାଇଛି ପୁଲିସ୍‌କୁ । କିଏ କେଉଁ ଜାଗାରେ ଗାଡ଼ିମୋଟର ଯାଞ୍ଚ କରିବ ସେଥିଲାଗି ସପ୍ତାହ ବ୍ୟାପୀ ଡ୍ୟୁଟି ବଣ୍ଟାଯାଇଥିବାର ଜଣାଯାଇଛି । ଗଲା ଦୁଇ ଦିନ ହେଲା କଟକ କମିସନରେଟ୍‌ ଇଲାକାରେ ପୁଲିସ୍‌ ଏବେ ରାସ୍ତାଘାଟରେ ପୂରା କଡ଼ା ଡ୍ୟୁଟି କରୁଛି ଗାଡ଼ିମୋଟର ଯାଞ୍ଚ କରିବା ପାଇଁ ।

ରାସ୍ତାରେ ବାଇକ୍‌, ସ୍କୁଟି ଆଦି ଚଳାଇ ଯାଉଥିବା ଆରୋହୀଙ୍କ ମୁଣ୍ଡରେ ହେଲ୍‌ମେଟ୍‌ ଥାଉ ବା ନଥାଉ ହାବୁଡ଼ରେ ପଡ଼ିବା ମାତ୍ରେ ପୁଲିସ୍‌ ଦୁଇ ଚକିଆ ଯାନକୁ ଅଟକାଇ ଯାଞ୍ଚ କରୁଛି । ଆଖିବୁଜା ଚେକିଂରେ ଏବେ ସହରବାସୀଙ୍କ ସମେତ ବିଭିନ୍ନ ପଥଚାରୀମାନେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ପୁଲିସ୍‌ର ଏପରି କଠୋର ପଦକ୍ଷେପରେ ମୁଣ୍ଡରେ ହେଲ୍‌ମେଟ୍‌ ନପିନ୍ଧି ଖୁଲମ୍‌ଖୁଲା ଗାଡ଼ି ଚଳାଉଥିବା ଆରୋହୀମାନେ ଏବେ ସବୁଠୁ ବେଶି ଅକଳରେ ପଡିଛନ୍ତି । ହେଲ୍‌ମେଟ୍‌ ପିନ୍ଧିନଥିବା କାରଣକୁ ନେଇ ଏକ ହଜାର ଟଙ୍କା ଜରିମାନା ଗଣି ବାଇକ୍‌ ଚାଳକମାନେ ସହରର ରାସ୍ତାଘାଟରେ ବହୁ ହଟହଟା ହେଉଥିବାର ଦେଖିବାକୁ ମିଳୁଛି । ହେଲମେଟ୍‌ ପିନ୍ଧିଥିବା ଚାଳକଙ୍କୁ ମଧ୍ୟ ପୁଲିସ୍‌ ଛାଡୁନାହିଁ ।

ସମ୍ପୃକ୍ତ ଚାଳକଙ୍କୁ ଅଟକାଇ ଡ୍ରାଇଭିଂ ଲାଇସେନ୍ସ ସମେତ, ଗାଡ଼ି ଇନ୍ସୁରାନ୍ସ କାଗଜପତ୍ର ସମେତ ଅନ୍ୟାନ୍ୟ କାଗଜପତ୍ର ଆଦି ଯାଞ୍ଚ କରି ପୁରା ନାକେଦମ୍‌ କରିପକାଉଥିବା କେତେକ ଚାଳକ କହିଛନ୍ତି । ଆଇନଶୃଙ୍ଖଳା, ଟ୍ରାଫିକ ଜାମ୍‌, ଜବରଦଖଲ ଉଚ୍ଛେଦ ଭଳି ମୌଳିକ ସମସ୍ୟାକୁ ପଛରେ ପକାଇ ପୁଲିସ ଜରିମାନା ଆଦାୟରେ ବ୍ୟସ୍ତ ରହିବାକୁ ଅନେକ ନାପସନ୍ଦ କରୁଛନ୍ତି ।

   ସମ୍ବନ୍ଧିତ ଖବର


ଛୁଟିରେ ୩ ଦିନ ଖୋଲା ରହିବ ଆର୍‌ଟିଓ: ଜାଣନ୍ତୁ କେଉଁ କେଉଁ ଦିନ..

ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ : ବାଇକ୍‌ରେ ଆସି ନିଆଁ ଲଗାଇଦେଲେ ୧୦ରୁ ୧୨ ଯୁବକ, ଅଳ୍ପକେ ବର୍ତ୍ତିଲେ ଗାଡ଼ିରେ ଥିବା ୩ ବ୍ୟକ୍ତି

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ