ଟ୍ୟାଙ୍କରରୁ ଗାଏବ ହେଉଛି ତେଲ, ପେଣ୍ଠସ୍ଥଳୀ ପାଲଟିଛି ଢ଼ାବା: ଓଡ଼ିଶାରୁ ଲୁଟ୍‌ ହୋଇଛି କୋଟି କୋଟି ଟଙ୍କାର ଡିଜେଲ

ରାଉରକେଲା,୨୨ା୪(ବ୍ୟୁରୋ): ପାରଦୀପ ତୈଳ ଢ଼ିପୋରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଟ୍ୟାଙ୍କର ଯୋଗେ ଡିଜେଲ ଏବଂ ପେଟ୍ରୋଲ ପରିବହନ କରାଯାଉଛି । ତେବେ ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଟ୍ୟାଙ୍କରରୁ ଡିଜେଲ ଚୋରି ହୋଇ ଆସୁଛି । ରାସ୍ତାକଡ଼ର କେତେକ ନିର୍ଦ୍ଦିଷ୍ଟ ଢ଼ାବା ଏହି ଚୋରି ର‌୍ୟାକେଟ୍‌ର ଫେଣ୍ଠସ୍ଥଳୀ ପାଲଟିଥିବା ବେଳେ ଓଡ଼ିଶାରୁ ବର୍ଷକୁ କୋଟି କୋଟି ଟଙ୍କାର ଡିଜେଲ ଗାଏବ ହେଉଥିବା ବେଶ ଆଲୋଚନାର ବିଷୟ ହୋଇଛି । ଯାହାର ନଗ୍ନ ନମୁନା ହେଲା ପାରଦୀପରୁ ସୁନ୍ଦରଗଡ଼ ଆସୁଥିବା ଟ୍ୟାଙ୍କରଗୁଡ଼ିକରୁ ୧୦୦ ଲିଟର ଡିଜେଲ ଚୋରି ହେଉଥିବା ନେଇ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ହେମଗିର ଥାନାର ବଲିଙ୍ଗା ଫାଣ୍ଡିରେ ଜଣେ ପେଟ୍ରୋଲ ପମ୍ପ ମାଲିକ ଲିଖିତ ଅଭିଯୋଗ କରିବା ପରେ ଉକ୍ତ ଘଟଣାର ପର୍ଦ୍ଦାଫାସ ହୋଇଛି । ଏ ସଂକ୍ରାନ୍ତରେ ପୁଲିସ୍‌ ତିନି ଜଣ ଟ୍ୟାଙ୍କର ଚାଳକଙ୍କୁ ଗିରଫ କରି ପଚରାଉଚରା ଚଳାଇଛି ।

ସୁନ୍ଦରଗଡ଼ ମିଶନ ରୋଡ଼ ନିବାସୀ ସଞ୍ଜୟ କୁମାର ନନ୍ଦ ବଲିଙ୍ଗା ଫାଣ୍ଡିରେ ଦେଇଥିବା ଅଭିଯୋଗ ଅନୁସାରେ ତାଙ୍କର ଡୁଡୁକାରେ ମାତାରାଣୀ ଫୁଏଲ ନାମରେ ଏକ ପେଟ୍ରୋଲ ପମ୍ପ ରହିଛି । ଏପରିକି ତାଙ୍କର ୩ଟି ଡିଜେଲ ଟ୍ୟାଙ୍କର (ଓଡ଼ି୧୬ ୬୬୧୬/ଓଡ଼ି୧୬ ୬୭୧୬/ଓଡ଼ି୨ଏବି ୨୨୧୬) ମଧ୍ୟ ଅଛି । ପାରାଦୀପରୁ ଏହି ଟ୍ୟାଙ୍କର ଯୋଗେ ଡିଜେଲ ସମ୍ବଲପୁର ହୋଇ ସୁନ୍ଦରଗଡ଼ ଆସିଥାଏ । ତେବେ ତୈଳ ଢ଼ିପୋରୁ ଡିଜେଲ ଆସୁଥିବା ବେଳେ ଟାଙ୍କିରେ ଅନ୍‌ଲୋଡ଼ କରିବା ସମୟରେ ଡିଜେଲର ପରିମାଣ କମ୍‌ ରହୁଥିଲା । ଏଥିରେ ସନ୍ଦେହ ହେବାରୁ ଶ୍ରୀ ନନ୍ଦ ପାରାଦୀପ ଏଚ୍‌ପିସିଏଲ୍‌ ଢ଼ିପୋ ସହ ଯୋଗାଯୋଗ କରିଥିଲେ । ସେଠାରୁ ଠିକ ପରିମାଣର ତେଲ ଆସୁଥିବା ସେ ଜାଣିବାକୁ ପାଇଥିଲେ । ଟ୍ୟାଙ୍କରରେ ଡିଜେଲ ନେଇ ଆସୁଥିବା ଚାଳକଙ୍କ ଉପରେ ତାଙ୍କର ସନ୍ଦେହ ହେବାରୁ ସେମାନଙ୍କୁ ପଚରାଉଚରା କରିବା ପରେ ଚାଳକମାନେ ଡିଜେଲ ଚୋରି ହେଉଥିବା ସ୍ୱୀକାର କରିଥିଲେ ।

ସମ୍ବଲପୁରର ଚାରମାଲ ଠାରେ ଏକ ଢ଼ାବା ମାଲିକ ପ୍ରତ୍ୟେକ ଟ୍ୟାଙ୍କରରୁ ୧୦୦ ଲିଟର ଡିଜେଲ ବାହାର କରି ନିଅନ୍ତି ବୋଲି ଚାଳକମାନେ କହିଥିଲେ । ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ୍‌ ଟ୍ୟାଙ୍କର ଚାଳକ ସଦ୍ଧାମ ହୁସେନ, ଏମ୍‌ଡି ମୋଇନ ଆଲାମ ଓ ଏମ୍‌ଡି ରିଆଜୁଲଙ୍କୁ ଧରିଥିଲା । ସେମାନଙ୍କୁ ପଚରାଉଚରା କରିବା ପରେ ତାଙ୍କ ବୟାନକୁ ଆଧାର କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା । ପୁଲିସ୍‌ ଦଫା ୩୭୯/୪୦୮/୩୪ ବଳରେ ଏକ ମାମଲା (କେସ୍‌ ନଂ.୪୯/୧୯) ରୁଜୁ କରି ଚାରମାଲ ସ୍ଥିତ ଉକ୍ତ ଢ଼ାବାରେ ଚଢ଼ାଉ କରିଥିଲା । ହେଲେ ସେଠାରୁ କିଛି ପ୍ରମାଣ ପାଇଲା ନାହିଁ ବୋଲି ଫାଣ୍ଡି ଅଧିକାରୀ ସୁମନ୍ତ ନାଏକ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ତିନି ଚାଳକଙ୍କୁ ପୁଲିସ୍‌ ଗିରଫ କରିଛି ଓ ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରିବ । ନିୟମାନୁସାରେ ଡ଼ିପୋରୁ ତେଲ ପରିବହନ କରୁଥିବା ଟ୍ୟାଙ୍କରଗୁଡ଼ିକର ଗୋଟିଏ ଚାବି ଡ଼ିପୋରେ ରହୁଥିବା ବେଳେ ଅନ୍ୟ ଏକ ଚାବି ପମ୍ପ ମାଲିକଙ୍କ ପାଖରେ ରହିଥାଏ । ତୃତୀୟ ଚାବି ଢ଼ାବା ମାଲିକଙ୍କ ପାଖରେ କିପରି ରହିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାରାଦୀପରୁ ସମ୍ବଲପୁର ଦେଇ ସୁନ୍ଦରଗଡ଼କୁ ପ୍ରାୟ ୫୦ଟି ଟ୍ୟାଙ୍କର ଯୋଗେ ତେଲ ପରିବହନ କରାଯାଉଛି । ଯଦି ପ୍ରତ୍ୟେକ ଟ୍ୟାଙ୍କରରୁ ୧୦୦ ଲିଟର ଡିଜେଲ ଚୋରି ହେଉଛି ତାହା ହେଲେ ରାଜ୍ୟର ଅନ୍ୟ ସ୍ଥାନକୁ ଯାଉଥିବା ଶହ ଶହ ଟ୍ୟାଙ୍କରରୁ କେତେ ତେଲ ଚୋରି ହେଉଥିବ ତାହା ସହଜେ ଅନୁମେୟ ।