ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ଆସିକା,୩୦/୧୦: ଚଳିତ ମାସ ୭ ତାରିଖରେ ଭୁବନେଶ୍ୱରରେ ପେଟ୍ରାଲ୍‌ ପମ୍ପ ବିସ୍ଫୋରଣରେ ନିଖୋଜ ଥିବା ସୀମାଞ୍ଚଳ ପରିଡାଙ୍କ ମୃତ୍ୟୁ ଘଟିଥିବା ଏକରକମ ସ୍ପଷ୍ଟ ହୋଇଛି । ତାଙ୍କ ଡିଏନ୍‌ଏ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଗୁରୁବାର ଏହା ଜଣାପଡିବା ପରେ ଘରେ ପୁଣି କାନ୍ଦବୋବାଳି ପଡିଯାଇଛି । ବୃଦ୍ଧା ବାପା ମାଆ ନିଜ କୋହକୁ ଚପାଇ ରଖି ନପାରି ଲୁହ ଗଡାଈ ବାହୁନି ବାହୁନି କାନ୍ଦୁଛନ୍ତି । ମଲା କାଳକୁ ତାଙ୍କ ଶବକୁ କିଏ କାନ୍ଧ ଦେବ ବୋଲି ଅଥୟ ଅଧିର ହୋଇ ପଡୁଛନ୍ତି । ପୁଅ ଥାଆନ୍ତା ତେବେ ବୁଢା ବୁଢୀଙ୍କ ଆତ୍ମାର ସଦ୍‌ଗତି ପାଇଁ ଗଙ୍ଗାରେ ଅସ୍ଥି ବିସର୍ଜନ କରିଥାନ୍ତା, ପିଣ୍ଡ ଦେଇଥାନ୍ତା । ହେଲେ ସବୁକଥା ଓଲଟ ପାଲଟ ହୋଇଗଲା । ଏବେ ଅନ୍ତତଃ ପୁଅର ଅସ୍ଥି ଟିକକ ଆମକୁ ମିଳୁ । ଆମେ ତାହାକୁ ଗଙ୍ଗାରେ ବିସର୍ଜନ କଲେ ପୁଅର ଆତ୍ମା ସଦ୍‌ଗତି ପ୍ରାପ୍ତ ହୁଅନ୍ତା ବୋଲି କହିଛନ୍ତି ସୀମାଞ୍ଚଳଙ୍କ ବାପା ତ୍ରିନାଥ ପରିଡା ।

ମୃତ ସୀମାଞ୍ଚଳଙ୍କ ବାପା ତ୍ରିନାଥ ଏବେ ସରକାରଙ୍କୁ ପୁଅର ଅସ୍ଥି ଟିକକ ମାଗୁଛନ୍ତି । ଗଙ୍ଗାରେ ଅସ୍ଥି ବିସର୍ଜନ କରିବାକୁ ତାଙ୍କ ଶେଷ ଇଚ୍ଛା । ସେପଟେ ମାଆ ମାଲ ପରିଡା ପୁଅ ମୁତ୍ୟୁ ପରେ ଘର ଚଳିବ କେମିତି, ବୋହୂ- ନାତିନାତୁଣୀଙ୍କ କଥା କିଏ ବୁଝିବ ସେହି ଚିନ୍ତାରେ ଏବେ ମ୍ରିୟମାଣ ହୋଇପଡିଛନ୍ତି । ପ୍ରକାଶ ଥାଉକି ଦଶ ଦିନ ତଳେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ଗହଙ୍ଗୁ ଗ୍ରାମର ନିଖୋଜ ସୀମାଞ୍ଚଳ ପରିଡାଙ୍କ ବାପା, ମାଆ ଭୁବନେଶ୍ୱର ଯାଇ ଡିଏନ୍‌ଏ ପରୀକ୍ଷା ସକାଶେ ରକ୍ତ ଦେଇ ଆସିଥିଲେ । ପେଟ୍ରୋଲ୍‌ ପମ୍ପ୍‌ ଦୁର୍ଘଟଣା ଦିନ ହିଁ ସୀମାଞ୍ଚଳ କୁଆଡେ ପ୍ରାଣ ହରାଇଥିଲେ । ବେଶ୍‌ କିଛି ଦିନ ଖୋଜାଖୋଜି କରିବା ସତ୍ତେ୍ୱ ନିଖୋଜ ପୁଅର କୌଣସି ଖୋଜଖବର ନମିଳିବାରୁ ଶେଷକୁ ପ୍ରତୀକ ଶବଦାହ (ପାଳ ଶବ କରି ଶ୍ମଶାନରେ ଅନ୍ତିମ ସଂସ୍କାର) କରିଥିଲେ । ଯେହେତୁ ଘଟଣାସ୍ଥଳରେ ସୀମାଞ୍ଚଳଙ୍କ ଏଟିଏମ୍‌ କାର୍ଡ, ଜୋତା, ଫଟୋ ଆଦି ମିଳିଥିଲା ତାହାକୁ ପ୍ରମାଣ ଭାବେ ଗ୍ରହଣ କରି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିଲା । ହେଲେ ସରକାର ପକ୍ଷରୁ ବିସ୍ଫୋରଣ ପର ଠାରୁ ସୀମାଞ୍ଚଳଙ୍କ ମୃତ୍ୟୁ ନେଇ କୌଣସି ତଥ୍ୟ ସ୍ୱଷ୍ଟ କରାଯାଇ ନଥିଲା ।

ଦୁର୍ଘଟଣାର ଏତେ ଦିନ ପରେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଓ ହାଡ଼ ସାଙ୍ଗକୁ ପରିବାର ଲୋକଙ୍କ ଡିଏନ୍‌ଏକୁ ନେଇ ଯାଞ୍ଚ ପରେ ରିପୋର୍ଟ ଆସିଛି ଓ ଗୁରୁବାର ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ଏହି ଖବର ଘର ଲୋକଙ୍କ ନିକଟରେ ପହଞ୍ଚିବା ପରେ ପୁଣି ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଭୁବନେଶ୍ୱର ପେଟ୍ରୋଲ୍‌ ପମ୍ପ୍‌ରେ ବିସ୍ଫୋରଣ ପରେ ସେଠାରେ କାର୍ଯ୍ୟରତ ସୀମାଞ୍ଚଳ ପରିଡାଙ୍କ କୌଣସି ଖୋଜଖବର ମିଳି ନଥିଲା । ତ୍ରିନାଥଙ୍କ ଏକମାତ୍ର ରୋଜଗାରିଆ ପୁଅ ସୀମାଞ୍ଚଳଙ୍କ ସ୍ତ୍ରୀ ସମେତ ପୁଅ, ଝିଅ ଏବଂ ବୃଦ୍ଧା ମାଆଙ୍କୁ ମିଶାଇ ପାଞ୍ଚ ପ୍ରାଣୀ କୁଟୁମ୍ବ ଏବେ ଅନାଥ। ପରିବାରର ଥଇଥାନ ସମେତ ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

   ସମ୍ବନ୍ଧିତ ଖବର


୨୦ ବର୍ଷିୟା ଯୁବତୀ ନାଭିରୁ ଅସ୍ୱାଭାବିକ ଭାବେ ଝରୁଛି ପରିସ୍ରା – ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ- ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…