ଏକକ ଚିତ୍ରକଳା ପ୍ରଦର୍ଶନୀ ସ୍ମିତା ଏକ୍ସପ୍ରେସନ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ଏକକ ଚିତ୍ରକଳା ପ୍ରଦର୍ଶନୀ ‘ସ୍ମିତା ଏକ୍ସପ୍ରେସନ୍’ । ସ୍ମିତା ଦାସଙ୍କ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହି ଅବସରରେ ସେ କହିଲେ, ଚିତ୍ର ହେଉଛି ମନର ଭାବନା । ଯେତେବେଳେ କୌଣସି ଚିତ୍ର କଳା ଧ୍ୟାନରେ ରଖି ପ୍ରସ୍ତୁତ କରାଯାଏ ସେତେବେଳେ ତାହା କେବଳ ଏକ ଚିତ୍ର ହୋଇ ରହିନଥାଏ ବରଂ ଏହି ଚିତ୍ର କଥା କହେ । ସ୍ମିତାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରତିଟି ଚିତ୍ରରେ ଏଭଳି ଭାବାବେଗ ଦେଖିବାକୁ ମିଳେ । ଅନ୍ୟତମ ଅତିଥି ଭାବେ ସାଂସଦ ତଥାଗତ ଶତପଥୀ ଯୋଗଦେଇ କହିଲେ, ସ୍ମିତାଙ୍କ ଚିତ୍ରରେ ସୃଜନଶୀଳତାର ସ୍ୱପ୍ନିଳ ପରିଦର୍ଶନ ଦେଖିବାକୁ ମିଳେ । ପ୍ରଦର୍ଶନୀରେ ସ୍ଥାନ ପାଇଥିବା ୨୪ଟି ଚିତ୍ରରେ ଲୋକଙ୍କ ଚିନ୍ତାଧାରା, ସେମାନଙ୍କ ଭାବପ୍ରବଣତା, ପ୍ରକୃତି ଓ ମଣିଷର କାହାଣୀ ପ୍ରତିଫଳିତ ହୋଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସହଦେବ ସାହୁ, କଣ୍ଠଶିଳ୍ପୀ ସୁବାଷ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।