
ଭୁବନେଶ୍ୱର,୨୩/୧୧: ରାଜଧାନୀରେ ଆତଙ୍କ ଚଳାଇଛନ୍ତି କିନ୍ନର। ଦିନ ଦ୍ୱିପ୍ରହରରେ ୪ରୁ ଅଧିକ କିନ୍ନର ଏଜି ଛକରେ ଆତଙ୍କ ଖେଳାଇଛନ୍ତି । ଏକ ଫୁଲ ଦୋକାନରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଦୋକାନୀଙ୍କୁ ନିସ୍ତୁକ ପିଟିଛନ୍ତି । ଏପରିକି ତାଙ୍କୁ ଟେକି ବାଡ଼ ଭିତରକୁ ଟେକି କଚି ଦେଇଛନ୍ତି । ଖବରପାଇ ୪ କିନ୍ନରଙ୍କୁ କ୍ୟାପିଟାଲ ଥାନା ପୁଲିସ ଗୋଡ଼ାଇ ଗୋଡ଼ାଇ ଧରିଛି । ସେମାନେ ହେଲେ ୟୁନିଟ୍-୬ କାଳୀମନ୍ଦିର ବସ୍ତିର ପାପାଲି ଓରଫ ଶଙ୍କର କାଣ୍ଡି, ଲିସା ଓରଫ ପ୍ରସାଦ ସାହୁ, ମିକିନା ଓରଫ ଚିଣ୍ଟୁ ମହାଗୌଡ଼ ଓ ମାନସୀ ଓରଫ ମାନସ ପଟ୍ଟନାୟକ । ୪ ଜଣଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ପୁଲିସ ସୂଚନା ଅନୁଯାୟୀ, ଏଜି ଛକରେ ଅଭିମନ୍ୟୁ ସ୍ୱାଇଁ ଏକ ଫୁଲ ଦୋକାନ କରିଛନ୍ତି। ଆକ୍ରମଣକାରୀ କିନ୍ନରମାନେ ସବୁବେଳେ ତାଙ୍କ ଠାରୁ ଜୋର୍ ଜବରଦସ୍ତ ଫୁଲ ନିଅନ୍ତି। ଟଙ୍କା ଦିଅନ୍ତିନାହିଁ । ରବିବାର ମଧ୍ୟ ଆସି ତାଙ୍କ ଠାରୁ ଫୁଲ ମାଗି ନେଇଥିଲେ । ତେବେ ଏକ ୨ ହଜାର ଟଙ୍କା ମୂଲ୍ୟର ଫୁଲମାଳକୁ ସେମାନେ ନେବା ପାଇଁ କହିଥିଲେ । ଦୋକାନୀ ଅଭିମନ୍ୟୁ ଉକ୍ତ ମାଳଟି ଅର୍ଡର ଅଛି ତେଣୁ ଦେଇ ହେବନାହିଁ ବୋଲି କହିଥିଲେ । ଏତିକିରେ କିନ୍ନରମାନଙ୍କ ପିତ୍ତ ମୁଣ୍ଡକୁ ଚଢ଼ି ଯାଇଥିଲା । ଉକ୍ତ ଫୁଲମାଳକୁ ଛଡ଼ାଇ ଆଣି ଟିକ୍ଟିକ୍ କରି ଛିଣ୍ଡାଇ ଦେବା ସହ ତାଙ୍କ ଦୋକାନରେ ଫିଙ୍ଗା ଫୋପଡ଼ା କରିଥିଲେ। ଅଭିମନ୍ୟୁ ପ୍ରତିବାଦ କରିବାରୁ ତାଙ୍କୁ ତଳେ ପକାଇ ନିସ୍ତୁକ ପିଟିଥିଲେ। ସେମାନେ ଏଭଳି ଆତଙ୍କ ଖେଳାଇଥିଲେ ଯେ ଆଖପାଖ ଦୋକାନୀ ଓ ସେଠାରେ ବସ୍ ଓ ଅଟୋକୁ ଅପେକ୍ଷା କରିଥିବା ଯାତ୍ରୀମାନେ ଯିଏ ଜୁଆଡ଼େ ପାରିଲେ ଦୌଡ଼ିଥିଲେ। ସେମାନେ ଅଭିମନ୍ୟୁଙ୍କୁ ନିସ୍ତୁକ ପିଟିବା ପରେ ନିକଟରେ ଥିବା ବାଡ଼ ଭିତରକୁ ଟେକି କଚି ଦେଇଥିଲେ।
ଖବରପାଇ ପୁଲିସ ପହଞ୍ଚିଯିବାରୁ ଆକ୍ରମଣକାରୀ କିନ୍ନରମାନେ ସେଠାରୁ ଖସି ପଳାଇବା ପାଇଁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ପୁଲିସ ଅଭିମନ୍ୟୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲ । ତାଙ୍କ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରି ୪ କିନ୍ନରଙ୍କୁ ବାନ୍ଧି ଜେଲ୍ ପଠାଇଥିଲା ।
ସୂଚନା ଥାଉକି, ଗତ କିଛିମାସ ତଳେ ଖଣ୍ଡଗିରି ତପୋବନରେ ଥିବା ଏକ ମଠରେ କିନ୍ନରମାନେ ପଶି ଲଙ୍କାକାଣ୍ଡ ଭିଆଇଥିଲେ । ବାବାଙ୍କୁ ଉଲଗ୍ନ କରି ନିସ୍ତୁକ ପିଟିଥିଲେ। ସେହିପରି କିନ୍ନରମାନେ ରାଜଧାନୀର ବିଭିନ୍ନ ଟ୍ରାଫିକ୍ ଛକରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି। ନ ଦେଲେ ସେମାନଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି।