‘ପ୍ରମେୟ’ ଅଫିସ୍ରେ ପିଆଇବି ଡିଜି, ‘ଖବରକାଗଜ ସ୍ଥାନ କେହି ନେଇପାରିବେନି’

ଭୁବନେଶ୍ୱର,୨ା୩(ବ୍ୟୁରୋ): ଆଜିର ସମୟରେ ଲୋକେ ବିଭିନ୍ନ ମାଧ୍ୟମରୁ ଖବର ପାଉଛନ୍ତି । ଏହି ଖବର ଦୌଡ଼ରେ ଆଜି ନ୍ୟୁଜ୍ ଚ୍ୟାନେଲ୍, ୱେବସାଇଟ୍ ବହୁଳ ମାତ୍ରାରେ ସାମିଲ ହୋଇଛନ୍ତି । ଏହା ଲୋକଙ୍କୁ ତ୍ୱରିତ୍ ଖବର ଦେଇପାରେ, ହେଲେ ଖବରକାଗଜର ସ୍ଥାନ କେହି ନେଇପାରିବେନି । ଏକଥା କହିଛନ୍ତି ପ୍ରେସ୍ ଇନ୍ଫରମେସନ୍ ବ୍ୟୁରୋ(ପିଆଇବି) ମହାନିର୍ଦ୍ଦେଶକ ସୀତାଂଶୁ ରଞ୍ଜନ କର ।
“ପ୍ରମେୟ’ ମୁଖ୍ୟ କାର୍ଯ୍ୟାଳୟକୁ ଆଜି ପୂର୍ବାହ୍ନରେ ପରିଦର୍ଶନରେ ଆସି ପହଞ୍ଚିଥିଲେ ଶ୍ରୀ କର । ପ୍ରମେୟ ପରିବାର ସହ ଆଲୋଚନାବେଳେ ସେ କହିଥିଲେ, ଗୋଟିଏ ଖବରର ବିଭିନ୍ନ ଦିଗ, ବିସ୍ତୃତ ବିବରଣୀ, ସମୀକ୍ଷା ଓ ତଥ୍ୟ କେବଳ ଖବରକାଗଜରୁ ହିଁ ପାଠକ ପାଇଥାଏ । ଖବରର ଗଭୀର ସ୍ତରକୁ ଯିବାକୁ ହେଲେ ଖବରକାଗଜ ହିଁ ସବୁଠୁ ବଡ଼ ମାଧ୍ୟମ । ଖବରକାଗଜ ଚିରନ୍ତନ ଖବର ପ୍ରକାଶ କରେ । ତେଣୁ ଖବରକାଗଜ କାଲି ଥିଲା, ଆଜି ଅଛି ଓ ଆଗକୁ ବି ରହିବ ।

ସୋଆ ପ୍ରତିଷ୍ଠାତା ପ୍ରଫେସର ମନୋଜ ରଂଜନ ନାୟକ
ଶ୍ରୀ କର ଆଜି ପୂର୍ବାହ୍ନରେ ପ୍ରଥମେ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସୋଆ ତଥା “ପ୍ରମେୟ’ର ପ୍ରତିଷ୍ଠାତା ପ୍ରଫେସର ମନୋଜରଞ୍ଜନ ନାୟକ ତାଙ୍କୁ ସ୍ୱାଗତ କରିଥିଲେ । ବିଶ୍ୱବିଦ୍ୟାଳୟର ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ପରେ ଡିଜି ଶ୍ରୀ କର “ପ୍ରମେୟ’ କାର୍ଯ୍ୟାଳୟକୁ ଆସିଥିଲେ । ‘ପ୍ରମେୟ’ର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ଯାଜପୁର ମାଟିର ପୁଅ ତଥା ଓଡ଼ିଶାର ଗର୍ବ ଶ୍ରୀ କରଙ୍କ ସମ୍ପର୍କରେ ସମ୍ପାଦକ ଶ୍ରୀ ମହାପାତ୍ର ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହା ପରେ ଶ୍ରୀ କର ସାମ୍ବାଦିକତା ଓ ପିଆଇବିରେ ନିଜ କାର୍ଯ୍ୟକାଳର ଅନୁଭୂତି ବଖାଣିଥିଲେ । ଯୁବ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇ ସେ କହିଲେ, ଆଗରୁ ଖବରକାଗଜରେ ହିଁ ପ୍ରଥମେ ସବୁ ଖବର ପ୍ରକାଶ ପାଉଥିଲା । ତା’ ପରେ ରେଡିଓ ଓ ଟିଭି ଆସିଲା । ହେଲେ ଏବେ ସବୁ ଖବର ପ୍ରଥମେ ସୋସିଆଲ୍ ମିଡିଆରେ ଆସିଯାଉଛି । କିନ୍ତୁ ଏଥିରେ ପ୍ରକାଶିତ ଖବର ଅନେକ ସମୟରେ ସମ୍ପୂର୍ଣ୍ଣ ଗୁଜବ ଓ ମିଥ୍ୟା ତଥ୍ୟ ଉପରେ ଆଧାରିତ ହୋଇଥାଏ । ଯାହାକି ବିପଦ ସୃଷ୍ଟି କରେ । ଏହାର ସତ୍ୟତା ପରଖିବା ଦରକାର । ଏ ଦିଗରେ ସାମ୍ବାଦିକମାନଙ୍କର ଗୁରୁ ଦାୟିତ୍ୱ ରହିଛି ।
“ପ୍ରମେୟ’ର ସମସ୍ତ ସାମ୍ବାଦିକ ଓ କର୍ମଚାରୀଙ୍କ ସହ ଆଲୋଚନାବେଳେ ସେ କହିଲେ, ସାମ୍ବାଦିକ ହେବା ଏକ ମହତ୍ କାର୍ଯ୍ୟ । ପୃଥିବୀର କୋଣ ଅନୁକୋଣରେ କ’ଣ ଘଟୁଛି, ତାହା କେବଳ ଜଣେ ସାମ୍ବାଦିକ ହିଁ ଜାଣିଥାଏ । ଜଣେ ସାମ୍ବାଦିକଙ୍କୁ ଏଥିପାଇଁ ବହୁତ ସାଧାନ, ପରିଶ୍ରମ ଓ ଅଧ୍ୟୟନ କରିବାକୁ ପଡ଼େ । ଆଗାମୀ ଦିନରେ ଏ କ୍ଷେତ୍ରରେ ଆହୁରି ଭଲ କାର୍ଯ୍ୟ କରିବା ଉଚିତ୍ । ସାମ୍ବାଦିକତାରେ ଏକାଗ୍ରତା, ସମର୍ପଣ ମନୋଭାବ ରଖି କର୍ତ୍ତବ୍ୟ ପାଳନ କର ।
“ପ୍ରମେୟ ‘ ସମ୍ବନ୍ଧରେ ଶ୍ରୀ କର କହିଲେ, ଖୁବ କମ୍ ସମୟ ଭିତରେ “ପ୍ରମେୟ’ ସାରା ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛି । ମାତ୍ର ୭ ବର୍ଷରେ ନିଜର ପାଠକଙ୍କୁ ମଧ୍ୟ ଖୋଜିପାରିଛି । ଏହା କଠିନ ପରିଶ୍ରମ, ସୁଜନଶୀଳତା ଓ ଟିମ୍ ୱାର୍କର ଦ୍ୱାରା ସମ୍ଭବ ହୋଇପାରିଛି ।
ଏହି ଅବସରରେ “ପ୍ରମେୟ’ର ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ଭାଇସ୍ ପ୍ରେସିଣ୍ଡେଣ୍ଟ୍(ମାର୍କେଟିଂ) ଲିଙ୍ଗରାଜ ଲେଙ୍କା, ପ୍ରସାରଣ ବିଭାଗ ଡିଜିଏମ୍ ଗଜେନ୍ଦ୍ର ଦାସ, ଏଜିଏମ୍ ରମାକାନ୍ତ ମଲ୍ଲିକ ଓ ମୁଖ୍ୟ ମାନବ ସମ୍ବଳ ଅଧିକାରୀ ମଧୁସ୍ମିତା ଦାସଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।