ପିପିଲି ଥାନାରେ ଥାର୍ଡ ଡିଗ୍ରୀ: ତଦନ୍ତ ଲାଗି ଡିଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ, ଏସ୍‌ସିବିରେ ସୁରକ୍ଷା ବଳୟରେ ୫ ଜଣଙ୍କ ଚାଲିଛି ଚିକିତ୍ସା

କଟକ,୨୨/୧୧: ଅଭିଯୁକ୍ତମାନଙ୍କୁ ଧରି ନେଇ ହାଜତରେ ରଖି ନିର୍ମମ ଭାବେ ପିଟିବା ଘଟଣାକୁ କେନ୍ଦ୍ର କରି ପୁରୀ ପୁଲିସ୍‌ ଏବେ ବିବାଦରେ ଛନ୍ଦି ହୋଇଯାଇଛି । ବାସେଳିସାହି ଥାନା ହାଜତ ମୃତ୍ୟୁ ମାମଲା ପରେ ପିିପିଲି ଥାନାରେ ଅଭିଯୁକ୍ତମାନଙ୍କୁ ଥାର୍ଡ ଡିଗ୍ରୀ ନିର୍ଯାତନା ଦିଆଯାଇ ଦରମରା କରାଯିବା ଘଟଣାକୁ ନେଇ ପୁଲିସ୍‌ ବିବାଦ ଘେରକୁ ଆସିଛି । ଉକ୍ତ ଘଟଣାକୁ ନେଇ ବିରୋଧୀମାନେ ହଙ୍ଗାମା ଚଳାଇଥିବାରୁ ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ଲାଗି ଡିଜିପି ଅଭୟ ସେଣ୍ଟ୍ରାଲ୍‌ ରେଞ୍ଜ୍‌ ଡିଆଇଜି ଆଶିଷ ସିଂଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ।

ପିପିଲି ଥାନାର ଏକ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଲିସ୍‌ ହାଜତରେ ନିର୍ଧୁମ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ପୁଲିସ୍‌ ମାଡ଼ରେ ଅନେକଙ୍କ ଶରୀରରେ କ୍ଷତ ଚିହ୍ନ ହେବା ସହ ଦେହରେ ନୋଳା ଫାଟିଯାଇଥିଲା । ଅଭିଯୁକ୍ତମାନେ ନିମାପଡ଼ା ଜେଲ୍‌ରେ ଭର୍ତ୍ତି ହେବା ପରେ ସେମାନଙ୍କ ଅବସ୍ଥାକୁ ଦେଖି ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲେ । ପୁଲିସର ଥାର୍ଡ ଡିଗ୍ରୀ ଅତ୍ୟାଚାରର ଶିକାର ହୋଇଥିବା ୫ ଜଣଙ୍କ ଅବସ୍ଥା ଭଲ ନଥିବାରୁ ଅଧିକ ଚିକିତ୍ସା ପାଇଁ ଏସ୍‌ସିବି ଡାକ୍ତରଖାନା ଯିବା ପାଇଁ ଡାକ୍ତର ପରାମର୍ଶ ଦେବା ପରେ ପୁଲିସ୍‌ର ଚିନ୍ତା ବଢ଼ିଥିଲା ।

ନିମାପଡ଼ା ଜେଲ୍‌ କର୍ମଚାରୀଙ୍କ ସହ ମିଶି ପିପିଲି ଥାନା ପୁଲିସ୍‌ ୫ଜଣଙ୍କୁ ସୁରକ୍ଷାବଳୟରେ ଆଣି ଏସ୍‌ସିବିରେ ଭର୍ତ୍ତି କରିଛି । ସେମାନଙ୍କର ଆଜି ଏସ୍‌ସିବିରେ ଏକ୍ସରେ, ଅଲଟ୍ରାସାଉଣ୍ଡ୍‌ ସମେତ ବିଭିନ୍ନ ପରୀକ୍ଷା ନିରୀକ୍ଷା ଚାଲିଛି । ପିପିଲି ଥାନା ପୁଲିସ୍‌ ଏବେ ଚିକିତ୍ସାଧୀନ ଅଭିଯୁକ୍ତମାନଙ୍କୁ ଜଗିଥିବା ବେଳେ ସେମାନଙ୍କ ପାଖକୁ କୌଣସି ସମ୍ପର୍କୀୟ କିମ୍ବା ଅନ୍ୟ କାହାକୁ ଛଡ଼ା ଯାଉନାହିଁ ।