ମଜୁରି ଲାଗି ବି କଲେଜ ଟପର୍‌ ସୌମ୍ୟରଞ୍ଜନ, +୨ ବିଜ୍ଞାନରେ ରଖିଛନ୍ତି ୭୮%

ଡେରାବିଶ,୧୯।୮: ବାପାଙ୍କ ମୃତ୍ୟୁ ପରେ ପରିବାରର ବୋଝ ନିଜ କାନ୍ଧକୁ ଉଠାଇବାକୁ ପଡ଼ିଥିଲା । ମଜୁରି ଲାଗି ଗୁଜୁରାଣ ମେଣ୍ଟାଇବାକୁ ପଡ଼ିଥିଲା । ତଥାପି ଯାବତୀୟ ଅଭାବ, ଅସୁବିଧା ଭିତରେ ବି ପାଠ ପଢି ନିଜ କଲେଜର ଟପର୍‌ ହୋଇଛନ୍ତି ଡେରାବିଶ ବ୍ଳକ ବେଣୀପୁର ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ସ୍ୱର୍ଗତ ନିର୍ମଳ ଘଡାଇଙ୍କ ପୁଅ ସୌମ୍ୟରଞ୍ଜନ । ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ସେ ୭୮ ପ୍ରତିଶତ ନମ୍ବର ରଖି ନିକିରାଇସ୍ଥିତ ବୀରହନୁମାନଜିଉ କଲେଜର ଟପର୍‌ ହୋଇଛନ୍ତି । ଦିନରେ ମୂଲ ଲାଗିବା ସହିତ ରାତିରେ ସିଲେଇ କରନ୍ତି ସୌମ୍ୟରଂଜନ ।

ଏଥିରୁ ଯାହା ରୋଜଗାର ହୁଏ ପରିବାର ଚଳାଇବା ସହିତ ନିଜର ଓ ଭଉଣୀର ପାଠପଢ଼ାରେ ଖର୍ଚ୍ଚ କରନ୍ତି । ଷଷ୍ଠ ଶ୍ରେଣୀରେ ପଢ଼ନ୍ତି ତାଙ୍କ ଭଉଣୀ ରୁନୁପ୍ରିୟା । ୨୦୧୭ ମସିହାରେ ନିର୍ମଳଙ୍କର ଅଚାନକ ମୃତ୍ୟୁ ପରେ ପତ୍ନୀ ଉର୍ମିଳା ବେସାହାରା ହୋଇଯାଇଥିଲେ । ପରିବାର ଉପରକୁ ଅଭାବ ଅନଟନର ଅନ୍ଧାର ମାଡ଼ି ଆସିଥିଲା । ତଥାପି ଉର୍ମିଳା ସାହସ ଜୁଟାଇଥିଲେ ପିଲାମାନଙ୍କୁ ମଣିଷ କରିବାକୁ । ଆଶାକର୍ମୀ ଭାବେ ଦିନରେ ନିଜ ଦାୟିତ୍ୱ ତୁଲାଇବା ସହ ରାତିର ଅବସର ସମୟରେ ବିଡ଼ି ତିଆରି କରି ଦି’ ପଇସା ରୋଜଗାର କରୁଥିଲେ । ତେବେ ପରିବାର ବୋଝ ସହିତ ପୁଅଝିଅଙ୍କ ପାଠପଢ଼ା ଚିନ୍ତା ତାଙ୍କୁ ରୋଗଗ୍ରସ୍ତ କରିଦେଇଥିଲା । ସୌମ୍ୟରଞ୍ଜନ ମାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍‍ କରିବା ପରେ ନିକିରାଇସ୍ଥିତ ବୀରହନୁମାନଜିଉ କଲେଜରେ + ୨ ବିଜ୍ଞାନରେ ନାମ ଲେଖାଇଲେ । ମଝିରେ ଉକ୍ତ କଲେଜରେ ଫିଜିକ୍ସ ଅଧ୍ୟାପକ କେହି ନଥିଲେ ।

ଏଣୁ ଫିଜିକ୍ସ ପଢ଼ିବା ପାଇଁ କେନ୍ଦ୍ରାପଡ଼ାର ଏକ ମହାବିଦ୍ୟାଳୟରେ ଲୁଚାଛପାରେ କ୍ଲାସ କରୁଥିଲେ । ତେବେ ଧରାପଡ଼ିବା ପରେ ତାଙ୍କୁ କ୍ଲାସରୁ ବିଦା କରି ଦିଆଯାଇଥିଲା । ପରିବାର ବୋଝ ସହିତ ପାଠପଢ଼ା ଖର୍ଚ୍ଚ ଉଠାଇବାକୁ ଦିନରେ ଅନ୍ୟର ମୂଲ ମଜୁରି ଲାଗିବା ସହ, ଏକ ସିଲେଇ ମେସିନ୍‌ କିଣି ଘରେ ରାତିରେ ସିଲେଇ କରନ୍ତି ସେ । ତା ଭିତରେ ଯାହା ସମୟ ବଳେ ସେଥିରେ ପାଠ ପଢ଼ନ୍ତି । ଚଳିତ ବର୍ଷ + ୨ ବିଜ୍ଞାନରେ ସେ ୭୮% ନମ୍ୱର ରଖି କଲେଜରେ ଟପର୍‌ ହୋଇଛନ୍ତି । ଭବିଷ୍ୟତରେ ଜଣେ ଅଧ୍ୟାପକ ହେବେ ବୋଲି ସେ ଲକ୍ଷ୍ୟ ରଖିଛନ୍ତି । ଉଭଣୀ ରୁନୁ ମଧ୍ୟ ଖୁବ୍‍ ଭଲ ପାଠ ପଢ଼ୁଛି । ଉଭୟଙ୍କ ପାଠପଢ଼ା ପାଇଁ ଅର୍ଥର ନିହାତି ଆବଶ୍ୟକତା ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ମେଧାବୀ ଭାଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇବାକୁ ମତ ପ୍ରକାଶ ପାଉଛି ।

   ସମ୍ବନ୍ଧିତ ଖବର


କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ଜିତ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି