ପ୍ରମୁଖ ଖବର
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଚମକିଲେ ଚାଷୀ ଘରର ଝିଅ ମୈତ୍ରୀ: ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟ ଟପର୍‌

କେନ୍ଦ୍ରାପଡ଼ା ୦୬/୦୯: ଅଭାବ ଅନଟନ ଘେରରେ ଥିବା ଚାଷୀବନ୍ଦୀ ଘରର ପିଲା ବି ସଫଳତାର ଶିଖରରେ ପହଞ୍ଚି ପାରନ୍ତି । ଏହାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ବ୍ଲକ ନିକିରାଇ ମଠସାହି ଗ୍ରାମର ଛାତ୍ରୀ ମୈତ୍ରୀ ରାଉତ । ଚାଷୀ ଘରର ପିଲା ମୈତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାରେ ମୋଟ ୯୦.୧୭% ଅର୍ଥାତ ୬୦୦ରୁ ସର୍ବାଧିକ ୫୪୧ ନମ୍ୱର ରଖି ରାଜ୍ୟ ଟପର୍‌ ହୋଇଛନ୍ତି ।

ମଠସାହି ଗ୍ରାମର ରବୀନ୍ଦ୍ର ରାଉତ ଓ ଭାଗ୍ୟଲତା ରାଉତଙ୍କ ସବା ସାନଝିଅ ହେଉଛନ୍ତି ମୈତ୍ରୀ। ଘରର ଆର୍ଥିକ ଚଳଣି ଭଲ ନୁହେଁ। ବାପା ରବୀନ୍ଦ୍ର ଚାଷବାସ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ପୁଣି ୩ ଝିଅଙ୍କର ପାଠପଢ଼ା ବି ରହିଛି। ଯାହାହେଉ ଦୁଃଖକଷ୍ଟରେ ଘର ଚଳିଯାଏ। ବଡ଼ଝିଅ ଲୋପାମୁଦ୍ରା ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ତାଙ୍କର ବିବାହ ସରିଛି। ମଝିଆଁ ଝିଅ ସଂଘମିତ୍ରା ମଧ୍ୟ ସ୍ନାତକ ପାସ୍‌ ପରେ ଉଚ୍ଚଶିକ୍ଷା ଲକ୍ଷ୍ୟରେ ଅଛନ୍ତି। ମୈତ୍ରୀ ପିଲାଟିବେଳୁ ଅନିସନ୍ଧିତ୍ସୁ, କ'ଣ କିଛି ପୁରୁଣା, ଭଙ୍ଗାରୁଜା ଯନ୍ତ୍ରପାତି ଦେଖିଲେ ତର୍ଜମା ଆରମ୍ଭ କରିଦିଅନ୍ତି, ଯାହା ତାଙ୍କୁ ପରେ ଧନ୍ଦାମୂଳକ ପାଠ୍ୟକ୍ରମ ପଢ଼ିବାକୁ ପ୍ରେରିତ କରିଥିଲା। ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି କଲେଜଯାଏ ଭଲ ପଢ଼ୁଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ସାଙ୍ଗସାଥୀ ସମସ୍ତଙ୍କର ସେ ପ୍ରିୟପାତ୍ର । ପିଲାଟିବେଳୁ ତାଙ୍କ ପ୍ରତିଭା ମହକିତ ହୋଇ ଚାଲିଥିଲ। ଯୁକ୍ତ ଦୁଇ ପରୀକ୍ଷାରେ ଟପର୍‌ ହେବା ଲାଗି ଦିନକୁ ସେ ୭ରୁ ୮ରୁ ଘଣ୍ଟା ନିଷ୍ଠାର ସହ ପରିଶ୍ରମ କରୁଥିବା କହିଛନ୍ତି।

ମୈତ୍ରୀଙ୍କ କହିବା ଅନୁସାରେ, କଲେଜରେ ସେ ନିୟମିତ କ୍ଲାସ୍‌ କରୁଥିଲେ। ଅର୍ଥାଭାବରୁ କୋଚିଂ ନେବା ସମ୍ଭବପର ହୋଇନଥିଲା। ବାପା, ପରିବାର ସଦସ୍ୟ ତାଙ୍କ ପାଠପଢ଼ା ପ୍ରତି ଯତ୍ନଶୀଳ ଥିଲେ। ସବୁବେଳେ ତାଙ୍କ ମନୋବଳ ବଢ଼ାଇ ଆସିଛନ୍ତି। ସେ ପଢ଼ୁଥିବା କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାମାନେ ତାଙ୍କୁ ପଢ଼ାରେ ଗାଇଡ୍‍ କରିବା ସହ ମାର୍ଗଦର୍ଶନ କରିଆସିଛନ୍ତି। କରୋନା କାରଣରୁ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ୱ ହୋଇଥିଲେ ବି ଫଳାଫଳକୁ ନେଇ ସେ ଖୁସି ଥିବା କହିଛନ୍ତି। ଭବିଷ୍ୟତରେ ଜଣେ ଅଧ୍ୟାପିକା ହୋଇ ଶିକ୍ଷାଦାନ କରିବାକୁ ଇଚ୍ଛା ରଖିଛନ୍ତି ମୈତ୍ରୀ। ତାଙ୍କର ଏହି ସଫଳତା ପାଇଁ ବାପା, ମା', ଦୁଇ ଭଉଣୀ, ପରିବାର ସଦସ୍ୟ, କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ସହପାଠୀମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସେ ଗୌରବ ଆଣିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.