ପିଏମ୍‌-କିଷାନରେ ଓଡ଼ିଶା; ତାଲିକା ଦେବା ମାତ୍ରେ ଟଙ୍କା ମିଳିବ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୧ ।୨(ବ୍ୟୁରୋ): ବାଦ-ବିବାଦ ଓ ଭିଡ଼ା ଓଟରାରେ ପଡ଼ିଛି ପୂର୍ଣ୍ଣଛେଦ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଓଡ଼ିଶା ସାମିଲ ହେବ । ରାଜ୍ୟର ଚାଷୀମାନେ ପାଇବେ ଆର୍ଥିକ ସହାୟତା । ଏଥିପାଇଁ ଖୁବଶୀଘ୍ର ରାଜ୍ୟ ସରକାର କେନ୍ଦ୍ରକୁ ଚାଷୀଙ୍କ ତାଲିକା ଦେବେ । ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ‘କାଳିଆ’ରେ ପ୍ରଥମ ପର୍ଯ୍ୟାୟରେ ସହାୟତା ପାଇଥିବା ୧୨ ଲକ୍ଷ ୪୫ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ପଠାଯିବ ।
କେନ୍ଦ୍ରର ଆୟୁଷ୍ମାନ ଭାରତକୁ ନା କହିଥିବା ରାଜ୍ୟ ସରକାର ‘କିଷାନ’ ଯୋଜନାକୁ କାର୍ଯ୍ୟକାରୀ କରିବେ ନା ନାହିଁ? ଏହାକୁ ନେଇ ଚାଲିଥିଲା ଟଣାଓଟରା । କେନ୍ଦ୍ରକୁ ଚାଷୀ ତାଲିକା ଦେବାରେ ରାଜ୍ୟ ଦିନ ଗଡ଼ାଇ ଚାଲିଥିଲା ବେଳେ କେନ୍ଦ୍ର ମନ୍ତ୍ରୀମାନେ ଏଥିପାଇଁ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଥିଲେ । ‘କାଳିଆ’ ଭଳି କିଷାନରେ ଭାଗଚାଷୀ, ଭୂମିହୀନ ଓ ଅକ୍ଷମ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନଥିବା କଥା ମୁଖ୍ୟମନ୍ତ୍ରୀ ଉଠାଇବା ସହ କେନ୍ଦ୍ରକୁ ଚିଠି ଲେଖିଥିଲେ । ତେଣୁ କିଷାନ ଯୋଜନାରେ ଓଡ଼ିଶା ସାମିଲ୍‌ ହେବ ନା ନାହିଁ ତାହା ପ୍ରଶ୍ନବାଚୀରେ ଥିଲା । ଗୁରୁବାର କିନ୍ତୁ ରାଜ୍ୟ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ପ୍ରଧାନମନ୍ତ୍ରୀ କିଷାନକୁ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ କାଳିଆରେ ସହାୟତା ପାଇଥିବା ଚାଷୀମାନଙ୍କ ନାମ କେନ୍ଦ୍ରକୁ ପଠାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । କୃଷି ସଚିବ ସୌରଭ ଗର୍ଗ କହିଛନ୍ତି, କେନ୍ଦ୍ରକୁ ତାଲିକା ଦେବାକୁ ରାଜ୍ୟର ପ୍ରସ୍ତୁତି ସରିଛି । କିଷାନ ଯୋଜନାରେ ହିତାଧିକାରିମାନେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କା ଲେଖାଏଁ ପାଇବେ ।
ଉଲ୍ଲେଖଯୋଗ୍ୟ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସୁନିଶ୍ଚିତ ଆୟ ସହାୟତା ପାଇଁ ଗତ ବଜେଟରୁ ଆରମ୍ଭ ହୋଇଛି ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ନାମକ ଐତିହାସିକ ସ୍କିମ୍‌ । ୨ ହେକ୍ଟର ପର୍ଯ୍ୟନ୍ତ ଚାଷଜମି ଥିବା ଦେଶର ପ୍ରତିଟି ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୩ଟି କିସ୍ତିରେ ୨,୦୦୦ ଟଙ୍କା ଲେଖାଏଁ ପାଣ୍ଠି ସ୍ଥାନାନ୍ତର କରାଯିବ । ଏଥିପାଇଁ ସମ୍ପୂର୍ଣ୍ଣ ପାଣ୍ଠି କେନ୍ଦ୍ର ବହନ କରିବ । ମାତ୍ର ଏ ଯୋଜନା ଘୋଷଣା ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ କାଳିଆ ଯୋଜନା ଆରମ୍ଭ କରିଥିଲେ । କିଷାନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରକୁ ଚାଷୀ ତାଲିକା ଦେବାରେ ରାଜ୍ୟର ବିଳମ୍ବ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ସଭାସମିତିରେ ରାଜ୍ୟକୁ ସମାଲୋଚନା କରିଥିଲେ । ଗୁରୁବାର ଓଡ଼ିଶା ଗସ୍ତରେ ଆସିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ନବୀନ ଜାଣିଶୁଣି ‘କିଷାନ’କୁ କାର୍ଯ୍ୟକାରୀ କରିବାକୁ ଚାହୁଁନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଏ ପ୍ରସଙ୍ଗରେ ବିବାଦ ଜୋର ଧରିବା ପରେ ଆଜି କିଷାନ କାର୍ଯ୍ୟକାରୀ କରିବାକୁ ରାଜ୍ୟ ନିଷ୍ପତ୍ତି ନେଇଛି ।
ଏପଟେ କିଷାନରେ ସାମିଲ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେପଟେ ବରଗଡ଼ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ଜୋରଦାର ବର୍ଷିଛନ୍ତି । ଚାଷୀଙ୍କୁ କିଷାନ ଯୋଜନାରେ ୬ ହଜାର ବଦଳରେ ୧୦ ହଜାର ଦେବାକୁ ଦାବି କରିଛନ୍ତି । ଏପରିକି ସେ ଗତ ୩ ଦିନ ହେବ ରାଜ୍ୟର ବିଭିନ୍ନ ସମାବେଶରେ ‘କାଳିଆ’ର ପ୍ରଶଂସା କରିବା ସହ ‘କିଷାନ’କୁ ସମାଲୋଚନା କରିଛନ୍ତି । କିଷାନରେ ଭାଗଚାଷୀ, ଭୂମିହୀନ ଓ ଅକ୍ଷମ ଚାଷୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ ମଧ୍ୟ କରିଛନ୍ତି ।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ‘କାଳିଆ’ ଯୋଜନାରେ ଏ ଯାଏ ୩୦ ଲକ୍ଷ ୪୦ ହଜାର ୩୮ ଜଣ ଚାଷୀଙ୍କୁ ମିଳିଛି ଆର୍ଥିକ ସହାୟତା । ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ସରକାର ୫ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି । କାଳିଆରେ ସବୁଠାରୁ ଅଧିକ ଚାଷୀ ମୟୂରଭଞ୍ଜ ଜିଲ୍ଲାର ଲାଭବାନ ହୋଇଛନ୍ତି । ଜିଲ୍ଲାର ୨ ଲକ୍ଷ ୨୭ ହଜାର ଚାଷୀ ସହାୟତା ପାଇଥିଲା ବେଳେ ଦେବଗଡ଼ରେ ସର୍ବନିମ୍ନ ୩୬ ହଜାର ୪୬୮ ଜଣ ଟଙ୍କା ପାଇଛନ୍ତି । ବାଲେଶ୍ୱରରେ ୧ ଲକ୍ଷ ୮୨ ହଜାର, ଗଞ୍ଜାମରେ ୧ ଲକ୍ଷ ୯୦ ହଜାର, କଳାହାଣ୍ଡିରେ ୧ ଲକ୍ଷ ୭୩ ହଜାର, ବରଗଡ଼ରେ ୧ ଲକ୍ଷ ୪୭ ହଜାର, କେନ୍ଦୁଝରରେ ୧ ଲକ୍ଷ ୬୨ ହଜାର, ସୁନ୍ଦରଗଡ଼ରେ ୧ ଲକ୍ଷ ୩୧ ହଜାର ଚାଷୀ ସହାୟତା ପାଇଛନ୍ତି । ମାଲକାନଗିରିରେ ୫୫, ୬୯୧, ନୂଆପଡ଼ାରେ ୬୭, ୮୮୨, ଝାରସୁଗୁଡ଼ାରେ ୩୬, ୪୭୯ ଚାଷୀ ସହାୟତା ପାଇଛନ୍ତି ।

   ସମ୍ବନ୍ଧିତ ଖବର


ଶିକ୍ଷକଙ୍କୁ କଚାଡି ମାରିଲା ହାତୀ

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍, କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲା

ଟ୍ରେନରେ କଟି ଗୋଟିଏ ପରିବାରର ୩ ମୃତ: ଆତ୍ମହତ୍ୟା ସନ୍ଦେହ

ଘର ସାମ୍ନାରେ ଖେଳୁଥିବାବେଳେ ଶିଶୁ ଉପରେ ଚଢିଗଲା ବୋଲେରୋ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ପରିବାରଲୋକ