ମେସିନ୍‌ ଜାଳି ଚାଷୀଙ୍କୁ ଅପମାନ କରିଛନ୍ତି ବିରୋଧୀ, କୃଷି ବିଲ୍‌ ନେଇ ବିରୋଧୀଙ୍କୁ ମୋଦିଙ୍କ କଡା ଜବାବ

ନୂଆଦିଲ୍ଲୀ,୩୦/୯ : କୃଷି ବିଲ୍‌କୁ ବିରୋଧ କରି ଟ୍ରାକ୍ଟର ଓ ଅନ୍ୟାନ୍ୟ ଚାଷ ଉପକରଣ ଜାଳୁଥିବା ଲୋକମାନେ ଚାଷୀଙ୍କୁ ଅପମାନ କରୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କାରଣ ଚାଷ ସହ ଜଡ଼ିତ ଉପକରଣଗୁଡ଼ିକୁ କୃଷକମାନେ ପୂଜା କରିଥାନ୍ତି । ବିଲ୍‌କୁ ନେଇ ଦେଶବ୍ୟାପୀ ହଙ୍ଗାମା ଚଳାଇଥିବା ବିରୋଧୀ ଦଳଗୁଡ଼ିକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଜବାବ ଦେଇଛନ୍ତି । ସୋମବାର ପଞ୍ଜାବ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଟ୍ରାକ୍ଟର ଓ ଅନ୍ୟାନ୍ୟ ମେସିନ୍‌ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।


ନମାମି ଗଙ୍ଗା ମିଶନ ଅଧୀନରେ ଉତ୍ତରାଖଣ୍ଡର ୬ ମେଗା ପ୍ରକଳ୍ପର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି । କଂଗ୍ରେସକୁ ଟାର୍ଗେଟ୍‌ କରି ସେ କହିଛନ୍ତି, ସେମାନେ (କଂଗ୍ରେସ) ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଲାଗୁ କରିବେ ବୋଲି ଅନେକ ବର୍ଷ ଧରି କହୁଥିଲେ । କିନ୍ତୁ ତାହା କରି ନ ଥିଲେ । ଯେବେ କି ଆମ ସରକାର ସ୍ୱାମୀନାଥନ କମିଶନ ସୁପାରିସ ମୁତାବକ ଏମ୍‌ଏସ୍‌ପି ଲାଗୁ କରିଥିଲା । ଏବେ କିଛି ଲୋକ କୃଷି ବିଲ୍‌କୁ ବିରୋଧ କରୁଛନ୍ତି । ଏମ୍‌ଏସ୍‌ପିକୁ ଆଳ କରି ଚାଷୀମାନଙ୍କୁ ଭ୍ରମିତ କରୁଛନ୍ତି । କାରଣ ସେମାନଙ୍କ କଳା ରୋଜଗାରର ଆଉ ଏକ ମାଧ୍ୟମ ଏବେ ବନ୍ଦ ହୋଇଯାଇଛି ।


ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗତ ସପ୍ତାହରେ ଶେଷ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ଚାଷୀ, ଶ୍ରମିକ ଏବଂ ସ୍ୱାସ୍ଥ୍ୟ ସହ ଜଡ଼ିତ କିଛି କ୍ଷେତ୍ରରେ ଅନେକ ସୁଧାର ଅଣାଯାଇଛି । ଚାଷୀମାନେ ଏବେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ଯେ କୌଣସି ସ୍ଥାନରେ ଯାହାକୁ ଚାହିଁବେ ବିକିପାରିବେ । କେନ୍ଦ୍ର ସରକାର ଚାଷୀମାନଙ୍କୁ ସେମାନଙ୍କ ଅଧିକାର ଦେଉଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । ଚାଷୀମାନେ ଖୋଲା ବଜାରରେ ସେମାନଙ୍କ ସାମଗ୍ରୀ ବିକ୍ରି କରି ଲାଭବାନ ନ ହୁଅନ୍ତୁ ବୋଲି ସେମାନେ ଚାହୁଁଛନ୍ତି । ବରଂ ସେମାନଙ୍କ ଦ୍ରବ୍ୟ ଦ୍ୱାରା ଦଲାଲମାନେ ମୋଟା ଲାଭ କମାନ୍ତୁ ବୋଲି ସେମାନେ ଚାହୁଁଛନ୍ତି । ଏଭଳି ଭାବେ ସେମାନେ ଚାଷୀଙ୍କ ସ୍ୱାଧୀନତାକୁ ବିରୋଧ କରୁଛନ୍ତି ।


ସର୍ଜିକାଲ ଷ୍ଟ୍ରାଇକ୍‌ ସମ୍ପର୍କରେ କଂଗ୍ରେସକୁ ସମାଲୋଚନା କରି ମୋଦି କହିଛନ୍ତି, ଏହି ଲୋକମାନେ (କଂଗ୍ରେସ) ସୁରକ୍ଷା ବାହିନୀକୁ ମଜବୁତ କରିବା ପାଇଁ କିଛି କରିନାହାନ୍ତି । ବାୟୁସେନା ରାଫେଲ ଯୁଦ୍ଧ ବିମାନ ଦାବି କରୁଥିଲା, କିନ୍ତୁ ତାହା ପ୍ରତି କର୍ଣ୍ଣପାତ କରାଯାଇ ନ ଥିଲା । ଯେବେ ଆମ ସରକାର ଫ୍ରାନ୍ସରୁ ରାଫେଲ ଆଣିବା ପାଇଁ ଚୁକ୍ତି କଲା, ସେମାନଙ୍କ ସମସ୍ୟା ଆରମ୍ଭ ହୋଇଗଲା । ୪ ବର୍ଷ ପୂର୍ବେ ଆଜିର ଦିନରେ ଆମର ବାହାଦୁର ଯବାନମାନେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ଆତଙ୍କୀ ଶିବିରଗୁଡ଼ିକୁ ଧୂଳିସାତ୍‌ କରିଦେଇଥିଲା । କିନ୍ତୁ ବିରୋଧୀମାନେ ଏହା ଉପରେ ପ୍ରମାଣ ମାଗିଲେ । ସର୍ଜିକାଲ ଷ୍ଟ୍ରାଇକ୍‌କୁ ବିରୋଧ କରି ସେମାନେ ଦେଶ ସମ୍ମୁଖରେ ନିଜ ସ୍ୱାର୍ଥକୁ ପଦାରେ ପକାଇଥିଲେ ।

   ସମ୍ବନ୍ଧିତ ଖବର


କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ

ପରିବାର ଲୋକଙ୍କୁ ଭେଟିବା ପାଇଁ ୨୬ ଦିନରେ ୬୦ କିଲୋମିଟର ଦୌଡିଲା ପୋଷା କୁକୁର- ପଢନ୍ତୁ ସଂଘର୍ଷର କାହାଣୀ